କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀମୃତ୍ୟୁ ଓ ପରବର୍ତ୍ତୀ ଘଟଣାକ୍ରମ ଓଡ଼ିଶାକୁ ବିଶ୍ୱଦରବାରରେ ନିନ୍ଦିତ କଲା । ନିଜ ଜୀବନ ଓ କ୍ୟାରିୟର ପ୍ରତି ବିପଦ ଆଶଙ୍କାରେ ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ନେପାଳୀ ଛାତ୍ରଛାତ୍ରୀ ଏବେବି କିଟ୍ କ୍ୟାମ୍ପସକୁ ଫେରିବା ସମ୍ଭବପର ହୋଇନଥିବାବେଳେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଯାଂଚ କମିଟିର ବିଳମ୍ବିତ ତଦନ୍ତ ପ୍ରକ୍ରିୟା ମଧ୍ୟ ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ‘ବେଡ଼ି ଉପରେ କୋରଡ଼ା ମାଡ଼’ ସଦୃଶ ହେବାରେ ଲାଗିଛି । ଏସବୁ ମଧ୍ୟରେ କିଟ୍ ପକ୍ଷରୁ ଏକ ଭିଡିଓକୁ ଭାଇରାଲ କରାଯାଉଛି ଯେଉଁଥିରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସବୁକିଛି ସ୍ୱାଭାବିକ ଅଛି ବୋଲି ଦର୍ଶାଇବାକୁ ପ୍ରୟାସ ହୋଇଛି । ଓଡ଼ିଶାକୁ ନିନ୍ଦିତ କରିଥିବା କିଟ୍ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଓ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବା ଦାବି ଥମିବାର ନାଁ ନେଉନି । ଆଉ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷାଜଗତର ମହାପୁରୁଷ ଭାବେ ଚିତ୍ରିତ କରିବାକୁ ସୋସିଆଲ ମିଡିଆରେ ଚାଲିଥିବା ପ୍ରଚାରର ଭିତରେ କିଟ୍ ବିଶ୍ୱବିଦ୍ୟାଳୟର ବାର୍ଷିକ ଆୟ-ବ୍ୟୟର ହିସାବ ପଦାକୁ ଆସିଛି । ଏହି ଶିକ୍ଷା ବ୍ୟବସାୟରୁ କିଟ୍ ବର୍ଷକୁ ପ୍ରାୟ ୨୦୦କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ ସିଏସଆର(କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ) ବାବଦରେ ଟଙ୍କାଟିଏ ବି ଖର୍ଚ୍ଚର ହିସାବ ନିଜର ବାର୍ଷିକ ଆର୍ଥିକ ରିପୋର୍ଟରେ ଦର୍ଶାଇନଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୯୮୦ ଆଧାରରେ ପଞ୍ଜିକୃତ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିବର୍ଷ ମୋଟାଅଙ୍କର ଆର୍ଥିକ ଲାଭ କରୁଛି । କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର ୨୦୧୮-୧୯ରୁ ୨୦୨୩-୨୪ ଆର୍ଥିକବର୍ଷର ବାଲାନ୍ସସିଟ୍ ଓ ଅଡିଟ୍ ରିପୋର୍ଟ ଏହି ସଙ୍କେତ ଦେଉଛି । ଯଦିଓ ଭାରତରେ ଶିକ୍ଷା ହେଉଛି ଏକ ଅଣଲାଭଜନକ ବ୍ୟାପାର । ଭାରତରେ ‘ଆର୍ଥିକ ଫାଇଦା ପାଇଁ ଶିକ୍ଷା’ ଉପରେ ମୁଖ୍ୟତଃ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ନିଜ ରାୟରେ ଦର୍ଶାଇଛନ୍ତି । ଏହାସହିତ ଜାତୀୟ ଶିକ୍ଷା ନୀତି ଓ ଶିକ୍ଷା ଅଧିକାର ଆଇନର ନିୟମ ଏବଂ ବୋର୍ଡ ଅନୁବନ୍ଧିତ ମାନଦଣ୍ଡ ଆଦି ମଧ୍ୟ ଶିକ୍ଷାରୁ ଆର୍ଥିକ ଫାଇଦା ଉପରେ କଟକଣା ଲଗାଇଛନ୍ତି । ମାତ୍ର ଦେଶର ଆଇନରେ ଥିବା ଗଳାବାଟ ଯୋଗୁ ଶିକ୍ଷା ଏବେ ଲାଭଜନକ ବ୍ୟବସାୟରେ ପରିଣତ ହେବାରେ ଲାଗିଛି ।
କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷିତ ତଥ୍ୟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷ(ବିଗତ ବର୍ଷ)ରେ କିଟ୍ ମୋଟ ୧୯୯ କୋଟି ୨୩ଲକ୍ଷ ୯୬ହଜାର ୧୨୩ଟଙ୍କା ଲାଭ କରିଛି । ୨୦୨୪ ମାର୍ଚ୍ଚ ୩୧ତାରିଖରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କିଟ୍ ମୋଟ ୧୮୦୮.୯୪କୋଟି ଟଙ୍କା ଉପାର୍ଜନ କରିଥିବାବେଳେ ସେଥିରୁ ୧୬୦୯.୭୦କୋଟି ଟଙ୍କା ବ୍ୟୟ କରିଛି । ଏହି ଆର୍ଥିକ ବର୍ଷରେ କିଟ୍ ବିଶ୍ୱବିଦ୍ୟାଳୟର ମୋଟ ସ୍ଥାବର-ଅସ୍ଥାବର ସମ୍ପତ୍ତିର ପରିମାଣ ୩୩୯୬.୮୨କୋଟି ଟଙ୍କା ରହିଛି । ଏଥିରେ କିଟ୍ ଉପରେ ପ୍ରାୟ ୭୦୩କୋଟି ଟଙ୍କାର ଋଣ ମଧ୍ୟ ସାମିଲ ଅଛି ।
କିଟ୍ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ଓ ଆୟ ପ୍ରତିବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ୨୦୧୮-୧୯ରେ(୨୦୧୯ ମାର୍ଚ୍ଚ ୩୧ସୁଦ୍ଧା) ମୋଟ୍ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୧୮୪୩.୩୬କୋଟି ଟଙ୍କା ରହିଥିଲା । ଯାହାକି ୨୦୧୮ ମସିହାର ଏହି ଅବଧି ତୁଳନାରେ ପ୍ରାୟ ୨୪୫କୋଟି ଟଙ୍କା ଅଧିକ ରହିଥିଲା । ତେବେ କିଟ୍ ଉପରେ ଋଣବୋଝ ପରିମାଣ ପ୍ରାୟ ୭୧୭କୋଟି ଟଙ୍କା ଥିଲା, ଯାହା ଏବେବି ସେହି ୭୦୦କୋଟି ଟଙ୍କା ପାଖାପାଖି ରହିଛି । ତେବେ ୨୦୧୮-୧୯ ଆର୍ଥିକ ବର୍ଷ ଶେଷସୁଦ୍ଧା ବିଶ୍ୱବିଦ୍ୟାଳୟର ଲାଭ ୮୩.୭୪ କୋଟି ଟଙ୍କା ଥିବା ଜଣାପଡ଼ିଛି ।
୨୦୧୯-୨୦ ଆର୍ଥିକ ବର୍ଷ ଶେଷରେ କିଟ୍ ବିଶ୍ୱବିଦ୍ୟାଳୟର ଲାଭ ୯୦.୭୦ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୯୬.୪୩ କୋଟି ଟଙ୍କା, ୨୦୨୧-୨୨ରେ ୧୧୬.୮୭ କୋଟି ଟଙ୍କା, ୨୦୨୨-୨୩ରେ ୧୨୮.୬୭ କୋଟି ଟଙ୍କା ଓ ୨୦୨୩-୨୪ରେ ୧୯୯.୨୩ କୋଟି ଟଙ୍କା କିଟ୍ ବିଶ୍ୱବିଦ୍ୟାଳୟ ଆର୍ଥିକ ଲାଭ କରିଛି ।
ତେବେ କିଟ୍ ବିଶ୍ୱବିଦ୍ୟାଳୟ ଏହି ଲାଭ ଅର୍ଥରୁ କେତେ ସିଏସଆର ବାବଦରେ ଖର୍ଚ୍ଚ କରିଛି ତା’ର କୌଣସି ନିର୍ଦ୍ଦିଷ୍ଟ ହିସାବ ସାର୍ବଜନୀନ କରିନାହିଁ । ନିଜର କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା, ଏକାଡେମିକ ଖର୍ଚ୍ଚ, ପ୍ରଶାସନିକ ଓ ସାଧାରଣ ଖର୍ଚ୍ଚ, ପରିବହନ ଖର୍ଚ୍ଚ, ମରାମତି ଖର୍ଚ୍ଚ, ଆର୍ଥିକ ଖର୍ଚ୍ଚ, ଅନ୍ୟାନ୍ୟ ଖର୍ଚ୍ଚ, ଅସ୍ଥାବର ସମ୍ପତ୍ତିର ମୂଲ୍ୟହ୍ରାସ ଓ ପରିଶୋଧନ ବ୍ୟୟ ବାବଦ ଖର୍ଚ୍ଚକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କର ବ୍ୟୟତାଲିକାରେ ସାମିଲ କରିଛନ୍ତି । ମାତ୍ର ବିଗତ ୫-୬ବର୍ଷର ଖର୍ଚ୍ଚ ତାଲିକାରେ କୌଣସି ସ୍ଥାନରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ସିଏସଆର ଖର୍ଚ୍ଚର ହିସାବକୁ ସାର୍ବଜନୀନ କରିନାହାନ୍ତି । ଯଦିଓ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ କୋଟିକୋଟି ଟଙ୍କା ଲାଭ କରିଛି ।
କିଟ୍ ବିଶ୍ୱବିଦ୍ୟାଳୟର ଆୟର ମୁଖ୍ୟ ସ୍ରୋତ ପିଲାମାନଙ୍କଠୁ ସଂଗ୍ରହ କରୁଥିବା ଏକାଡେମିକ୍ ବାବଦ ଅର୍ଥ ବୋଲି ଜଣାପଡ଼ିଛି । ବିଭିନ୍ନ ବାବଦରେ ଅନୁଦାନ ମଧ୍ୟ ମିଳିଥିବା କିଟ୍ ନିଜର ବାର୍ଷିକ ଆର୍ଥିକ ରିପୋର୍ଟରେ ଦର୍ଶାଇଛି ।
ଯଦିଓ କିଟ୍ ନିଜକୁ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ବୋଲି ଦାବି କରୁଛି କିନ୍ତୁ ତା’ର ପ୍ରତିବର୍ଷର ଆର୍ଥିକ ଉପାର୍ଜନ ଓ ଲାଭକୁ ଦେଖିଲେ ଏହା ଶିକ୍ଷା ନାଁରେ ଏକ ବ୍ୟବସାୟିକ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ସ୍ପଷ୍ଟ ପ୍ରତୀତ ହେଉଛି । ତେଣୁ ବର୍ଷକୁ ପ୍ରାୟ ୨୦୦କୋଟି ଟଙ୍କା ଲାଭ ଉପାର୍ଜନ କରୁଥିବା ଏହି ସଂସ୍ଥାକୁ ସୂଚନା ଅଧିକାର ଆଇନ ପରିସରକୁ ଅଣାଗଲେ ଶିକ୍ଷା ନାଁରେ ପିଲାମାନଙ୍କଠୁ ଆଦାୟ ହେଉଥିବା ଅର୍ଥ କେଉଁଆଡ଼େ ବିନିଯୋଗ ହେଉଛି ତାହା ସର୍ବସାଧାରଣ ଜାଣିବା ସମ୍ଭବପର ହୋଇପାରିବ ବୋଲି ଚର୍ଚ୍ଚା ।