
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯିବାର ୨୪ଘଣ୍ଟା ନପୁରୁଣୁ ଯାଜପୁର ରାଜନୀତିରେ ବିସ୍ଫୋରଣ ହୋଇଛି । ଯାଜପୁରରେ ଦଳୀୟ ସଂଗଠନ ଭୁଶୁଡ଼ି ପଡ଼ିଛି। ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କ ସମେତ ୧୬ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଶତାଧିକ ଆଗଧାଡ଼ିର ନେତାମାନେ ବିଜେପିରେ ସାମିଲ ହେବାପରେ ନବୀନ ନିବାସରେ ହଟଚମଟ ସୃଷ୍ଟି ହୋଇଛି ।
ବିଜେଡିର ପ୍ରଭାବଶାଳୀ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ନିଜ ଜିଲ୍ଲାରେ ଏହି ସାଂଗଠନିକ ବିପର୍ଯ୍ୟୟ ଦଳ ପାଇଁ ଏକ ଶକ୍ତ ଧକ୍ମା ହୋଇଥିବାବେଳେ ତାଙ୍କ ସମ୍ମତି ବିନା ଏହା ସମ୍ଭବପର ନୁହେଁ ବୋଲି ସନ୍ଦେହ କରାଯାଉଛି । ଜିଲ୍ଲାରେ ଏତେ ସଂଖ୍ୟକ ଲୋକପ୍ରତିନିଧି ଦଳ ଛାଡ଼ିବାକୁ ନେଇ କ୍ଷୁବ୍ଧ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବବିଙ୍କୁ ନବୀନ ନିବାସ ଡକାଇ କଡ଼ା ଭାଷାରେ ବର୍ଷିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଅରବିନ୍ଦଙ୍କ ଉପରେ ନିଆଯାଇଥିବା ଆକ୍ସନର ଏହା ଏକ ‘ରିଟର୍ଣ୍ଣ ଗିଫ୍ଟ’ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ।
ବବିଙ୍କ ଉପରେ କଡ଼ା ଭାଷାରେ ବର୍ଷିଲେ ନବୀନ
ବିଜେଡି ସୂତ୍ର ଅନୁସାରେ, ଯାଜପୁରରେ ଦଳର ଏଭଳି ସାଂଗଠନିକ ବିପର୍ଯ୍ୟୟକୁ କାହିଁକି ରୋକାଗଲାନି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସିଧାସଳଖ ବବିଙ୍କୁ ପ୍ରଶ୍ନ କରିଥିଲେ । ବବି ନିଜେ କୋରେଇ ନିର୍ବାଚନ ମଣ୍ଡଳୀର ଦାୟିତ୍ୱରେ ଥାଇ ମଧ୍ୟ ସେଠାରୁ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା କିଭଳି ଦଳ ଛାଡ଼ିଲେ ବୋଲି ପ୍ରଶ୍ନ କରିବା ସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କ ସମେତ ୧୬ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ପୂର୍ବତନ ସାଂସଦ ରୀତା ତରାଇ, ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ ରାଉତ ଓ ଯାଜପୁରର ବହୁ ସଂଖ୍ୟକ ସରପଂଚ ଓ ସମିତି ସଭ୍ୟ କିଭଳି ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଲେ ଓ କାହିଁକି ସେମାନଙ୍କୁ ମ୍ୟାନେଜ କରାଗଲା ନାହିଁ ବୋଲି ସିଧାସଳଖ ବବିଙ୍କୁ ପ୍ରଶ୍ନ କରିଥିଲେ ନବୀନ । କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ବବି ଦେଇପାରିନଥିବା ସୂଚନା ମିଳିଛି । ଦଳର ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ଯୁବ ସଭାପତି ଓ ବ୍ଲକ ସଭାପତିମାନେ ବିଜେପିରେ ମିଶିବା ମଧ୍ୟ ସିଧାସଳଖ ବବିଙ୍କ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ମାତ୍ର ଏହି ମିଶ୍ରଣ ପଛରେ ବବିଙ୍କ ପରୋକ୍ଷ ସମ୍ମତି ରହିଥିବା ଚର୍ଚ୍ଚା ହେଉଛି ।
ଅରବିନ୍ଦ-ସନାତନ ଆକ୍ସନର ‘ରିଟର୍ଣ୍ଣ ଗିଫ୍ଟ’
ବିଜେଡି ସୂତ୍ର ଅନୁସାରେ, ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ବବି ଜାଣିଶୁଣି ନିଜ ସମର୍ଥକମାନଙ୍କୁ ବିଜେପିକୁ ସ୍ଥାନାନ୍ତର କରିଛନ୍ତି । ବବି ଚାହିଁଥିଲେ ଜିଲ୍ଲାର ଦଳୀୟ ନେତାମାନଙ୍କୁ ଦଳ ସହ ରଖିବାରେ ସକ୍ଷମ ହୋଇପାରିଥାନ୍ତେ । ଚର୍ଚ୍ଚା ହେଉଛି, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ବବି ଦାସଙ୍କର ଘନିଷ୍ଠତା ରହିଛି ତଥା ବିଜୟଙ୍କ ପୁଅ ଅରବିନ୍ଦଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବବି ସହଜରେ ଗ୍ରହଣ କରିପାରିନାହାନ୍ତି । ଯେଉଁଥିପାଇଁ ୨୪ଘଣ୍ଟା ନପୁରୁଣୁ ନିଜ ଜିଲ୍ଲାରେ ଦଳକୁ ଅସ୍ଥିର କରି ବିଜେଡି ନେତୃତ୍ୱକୁ ଏକ ଶକ୍ତ ସନ୍ଦେଶ ଦେଇଛନ୍ତି । ଯଦିଓ ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ଏହି ମିଶ୍ରଣ ପର୍ବରେ ମୁଖ୍ୟ ସମନ୍ୱୟକାରୀ ଭାବେ କାର୍ଯ୍ୟ କରିଥିଲେ, ତଥାପି ବବିଙ୍କ ବିନା ସମ୍ମତିରେ ଯାଜପୁରରେ ଏଭଳି ବିଦ୍ରୋହ ଅବା ସମୂହ ଦଳ ଛାଡ଼ିବା ସମ୍ଭବପର ନୁହେଁ ବୋଲି ଚର୍ଚ୍ଚା ହେଉଛି । ବିଗତ କିଛିମାସ ଧରି ଦଳରେ ବବିଙ୍କ ସମର୍ଥକ ନେତାମାନେ ବିଭିନ୍ନ ସ୍ଥାନରେ ମେଳି ଓ ଅରାଜକତା ସୃଷ୍ଟି କରୁଥିବାବେଳେ ଯାଜପୁରରେ ଏତେ ସଂଖ୍ୟକ ନେତା ଦଳ ଛାଡ଼ିବା ବିଜେଡିକୁ ଅଡ଼ୁଆରେ ପକାଇଛି ।
ବାଲେଶ୍ୱରରେ ବିଜେଡି ଦୁଇଫାଳ: ଝୁଲିଲା ନିଲମ୍ବନ ଖଣ୍ଡା ଓ ବବିଙ୍କ ଅନୁନୟ
କେବଳ ଯାଜପୁର ନୁହେଁ, ବାଲେଶ୍ୱର ଜିଲ୍ଲାରେ ବି ବିଜେଡି ଦୁଇଫାଳ ହୋଇଛି । ବିଧାୟିକା ସୁବାସିନୀ ଜେନା ଏବଂ ରବୀନ୍ଦ୍ର ଜେନାଙ୍କ ଭଳି ଟାଣୁଆ ନେତାମାନେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ସହ ନବୀନ ନିବାସର ଡାକରାକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି । ସୂତ୍ର ଅନୁସାରେ, ୩ଦିନ ତଳେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ନବୀନ ନିବାସ ଡକା ଯାଇଥିଲେ ମଧ୍ୟ ସେ ଆସିନଥିଲେ । ଆଜି ମଧ୍ୟ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁବାସିନୀଙ୍କୁ ଦଳର ଘେରାଉ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ରବୀନ୍ଦ୍ରଙ୍କୁ ସମର୍ଥନ କରି ଆଜି ବାଲେଶ୍ୱର ଜିଲ୍ଲାପାଳ ଅଫିସ ଘେରାଉ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର, ମାଧବ ଧଡ଼ା ପ୍ରମୁଖ ସାମିଲ ହୋଇନଥିଲେ । ଅବଶ୍ୟ ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ୱରୂପ ଦାସ, ସୁଧାଂଶୁ ପରିଡ଼ା ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଏହି ଘେରାଉ କାର୍ଯ୍ୟକ୍ରମରେ ଯୋଗ ହୋଇଥିଲେ ।
ରବିନ୍ଦ୍ର ଜେନା ଓ ସୁବାସିନୀଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ବବି ଆଜି ନିଜର ଶାଶୁ(ସାନଭାଇର) ସୁବାସିନୀଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନନେବାକୁ ନବୀନ ନିବାସରେ ନେହୁରା ହୋଇଥିବା ଜଣାପଡ଼ିଛି । ବବିଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଦୁଇ ଜିଲ୍ଲା ଯାଜପୁର ଓ ବାଲେଶ୍ୱରର ଏହି ଘଟଣାକ୍ରମ ବିଜେଡି ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
ନିଲମ୍ବନ ଓ ଭବିଷ୍ୟତ ରଣନୀତି: କଣ କରିବେ ନବୀନ?
ଯାଜପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଦଳକୁ ଅସ୍ଥିର କରିବା ପଛରେ ବବି ଦାସଙ୍କ ସମ୍ପୃକ୍ତିର ପୁଳାପୁଳା ପ୍ରମାଣ ରହିଥିଲେ ମଧ୍ୟ ନବୀନ ଏବେ ସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି । ଦଳର ଜିଲ୍ଲା ସଂଗଠନଗୁଡ଼ିକୁ ବଂଚାଇବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଯାଜପୁରର ଏହି ମଡେଲ ଅନ୍ୟ ଜିଲ୍ଲାକୁ ବ୍ୟାପିବା ଆଶଙ୍କା ଥିବାରୁ ଆଗାମୀ ଦିନରେ ବିଜେଡିରେ ଆହୁରି ଅଧିକ ବିଦ୍ରୋହ ଓ ନିଲମ୍ବନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
