କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସଂସଦର ନୂଆ ବିଲଡିଂର ଉଦଘାଟନ କାର୍ଯ୍ୟକ୍ରମକୁ ବିଜେପି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରି ନଥିଲା। କିନ୍ତୁ ବିଜେପି ସିନେମା କଳାକାରଙ୍କୁ ନିମନ୍ତ୍ରଣ କରିଥିଲା ବୋଲି ଖଡଗେ ଦାବି କରିଛନ୍ତି।
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନରେ ଆୟୋଜିତକ ଗୋଟିଏ ସଭାରେ ଖଡଗେ କହିଛନ୍ତି, “ଏହା ରାଷ୍ଟ୍ରପତିଙ୍କ ପ୍ରତି ଘୋର ଅପମାନ। କଂଗ୍ରେସରେ ସବୁ ସଂପ୍ରଦାୟରେ ଲୋକ ଅଛନ୍ତି। ବିଜେପି କାହାକୁ ବି ନିଜ ପାଖକୁ ଆସିବାକୁ ଦିଏ ନାହିଁ। ରାଷ୍ଟ୍ରପତି ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଧିକାର କରିଛନ୍ତି। ତାଙ୍କୁ ନ ଡାକିବା ପଛର କାରଣ କ’ଣ?”
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସଂସଦର ନୂଆ ବିଲଡିଂ ଶିଳାନ୍ୟାଶ ବେଳେ ଡକା ଯାଇ ନଥିବା କଥା ମଧ୍ୟ ଖଡଗେ ଉଠାଇଛନ୍ତି। ଅଛୁଆଁ ଭାବ ଯୋଗୁ ତାଙ୍କୁ ନିମନ୍ତ୍ରଣ କରା ଯାଇ ନଥିବା ସେ ଅଭିଯୋଗ କରିଛନ୍ତି।
ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, ବିଜେପି ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହୁଁନାହିଁ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ ଅଣାଯାଇଛି। ବିରୋଧୀ ଦଳଗୁଡ଼ିକ ଇଣ୍ଡିଆ ମେଣ୍ଟ କରିବାରୁ ବିଜେପି ମହିଳା ସଂରକ୍ଷଣ ବିଲ ଆଣି ନୂଆ ଭେଳିକି କରୁଛି। ମହିଳା ସଂରକ୍ଷଣ ବିଲ୍ର ପ୍ରାବଧାନ ଏବେ ଲାଗୁ ହେବନାହିଁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।