Advertisment

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଲୋକସଭାରୁ ନିଲମ୍ବିତ

ଲୋକସଭାରେ କଂଗ୍ରେସର ନେତା ଭାବେ କାମ କରୁଥିବା କୌଣସି ସଦସ୍ୟ ଇତିହାସରେ ପ୍ରଥମଥର ପାଇଁ ଏପରି ନିଲମ୍ବିତ ହୋଇଛନ୍ତି।

author-image
Hemant Lenka
adhir

adhir

କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ସଂସଦର କାର୍ଯ୍ୟ ଚାଲିଥିବା ବେଳେ ସେ ବିଶୃଙ୍ଖଳା ଆଚରଣ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେବା ବେଳେ ସେ ଏଥିରେ ହସ୍ତକ୍ଷେପ କରିଥିଲେ।

Advertisment

ଏଥିପାଇଁ ବିଜେପି ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୋଟିଏ ସଂକଳ୍ପ ଆଣିଥିଲେ। ଏହାକୁ ସବୁ ସଦସ୍ୟ ସମର୍ଥନ କରିବାରୁ ଅଧୀର ରଞ୍ଜନ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ସ୍ୱାଧିକାର କମିଟି ଏ ସମ୍ପର୍କରେ ରିପୋର୍ଟ ନ ଦେବା ଯାଏ ଅଧୀର ରଞ୍ଜନ ଚୌଧୁରୀ ଲୋକସଭାକୁ ଆସି ପାରିବେ ନାହିଁ।

ମନ୍ତ୍ରୀ ଯୋଶୀ ଆଣିଥିବା ସଂକଳ୍ପରେ ଶ୍ରୀ ଚୌଧୁରୀ ବାରମ୍ବାର ଗୃହକୁ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ ଓ ସଂସଦର କାର୍ଯ୍ୟ ସମୟରେ ସେ ଦେଶର ଛବିକୁ ମଳିନ କରିବାକୁ ଚେଷ୍ଟା କରିଥିଲେ ବୋଲି ଉଲ୍ଲେଖ କରାଯାଇଛି।

Advertisment

ଯୋଶୀ କହିଛନ୍ତି, “ବିଶୃଙ୍ଖଳା ସୃଷ୍ଟି କରିବା ଶ୍ରୀ ଚୌଧୁରୀଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ବାରମ୍ବାର ସତର୍କ କରାଯାଇଥିଲେ ମଧ୍ୟ ସେ ନିଜର ଆଚରଣରେ କୌଣସି ପ୍ରକାରର ପରିବର୍ତ୍ତନ କରି ନଥିଲେ। ସେ ବିତର୍କ ବେଳେ ଭିତ୍ତିହୀନ ଅଭିଯୋଗ ସବୁ ଲଗାଇଥିଲେ।

ସେ ଦେଶ ଓ ଏହାର ଛବିକୁ ମଳିନ କରିଛନ୍ତି। ସେ କେବେ କ୍ଷମା ମଧ୍ୟ ମାଗି ନାହାନ୍ତି। ବୁଧବାର ମଧ୍ୟ ଅମିତ ଶାହଙ୍କ ଭାଷଣ ବେଳେ ସେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ।”

ଏହା କହିବା ପରେ ସେ ଅଧୀର ଚୌଧୁରୀଙ୍କ ଘଟଣାର ବିଚାର ସ୍ୱାଧିକାର କମିଟି ପାଖକୁ ପଠାଇବାକୁ ସଂକଳ୍ପ ଆଣିଥିଲେ। କମିଟି ନିଷ୍ପତ୍ତି ନ ନେବା ଯାଏ ଅଧୀର ନିଲମ୍ବିତ ହୋଇ ରହିବେ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଏହାକୁ ସଂସଦ ଗ୍ରହଣ କରି ନେଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକସଭାରେ କଂଗ୍ରେସର ନେତା ଭାବେ କାମ କରୁଥିବା କୌଣସି ସଦସ୍ୟ ଇତିହାସରେ ପ୍ରଥମଥର ପାଇଁ ଏପରି ନିଲମ୍ବିତ ହୋଇଛନ୍ତି। ପୂର୍ବରୁ କେବେ ବି ଏଭଳି ଘଟଣା ଘଟି ନଥିଲା।

Congress Parliament No Confidence Motion Lok Sabha