ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ବିଜେଡି ସରକାର ଅମଳରେ ହୋଇଥିବା ତ୍ରୁଟିକୁ ସୁଧାରିଛନ୍ତି ବିଜେପି ସରକାର । ଏହାସହିତ ପେସା ଆଇନ-୧୯୯୬ର ଡ୍ରାଫ୍ଟ ରୁଲ ଉପରେ ଅଧିକ ତର୍ଜମା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଆସନ୍ତା ୫ତାରିଖରେ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରାଯିବ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ପ୍ରଥମ ଜନଜାତି ଉପଦେଷ୍ଟା ପରିଷଦ(ଟିଏସି) ବୈଠକ ଅନୁଷ୍ଠିତ ହୋଇଛି ।
ଆଜିର ପରିଷଦ ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତର ଆଇନର ନିୟମାବଳୀ-୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଛି । ବିଜେଡି ସରକାର ଅମଳରେ ୨୦୨୩ ଜୁଲାଇ ୧୧ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା । ପରେ ୨୦୨୩ ନଭେମ୍ବର ୧୪ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । କିନ୍ତୁ ବିଭିନ୍ନ ଆଡ଼ୁ ତୀବ୍ର ବିରୋଧ ପରେ ତତକାଳୀନ ବିଜେଡି ସରକାର ୨୦୨୪ ଜାନୁୟାରୀ ୨୯ତାରିଖରେ କ୍ୟାବିନେଟର ନିଷ୍ପତ୍ତିକୁ ସଂଶୋଧନ କରିଥିଲେ । ତେବେ ସେବେଠୁ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ବସିନଥିଲା । ଆଜି ଏହି ପ୍ରସ୍ତାବକୁ ମଧ୍ୟ ନାମଞ୍ଜୁର କରାଯାଇଛି । ଫଳରେ ଆଦିବାସୀମାନଙ୍କ ସମ୍ପତ୍ତିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରାଯାଇ ପାରିବ ନାହିଁ । ତେବେ ଜନଜାତି ଲୋକମାନେ ଯେପରି ପିଲାଙ୍କ ବିବାହ,ଉଚ୍ଚଶିକ୍ଷା କିମ୍ବା ବ୍ôୟସାୟ ଆଦି କାମରେ ଋଣ ପାଇପାରିବେ ସେଥିପାଇଁ ଆଗାମୀ ଦିନରେ ଅନ୍ୟାନ୍ୟ ବିକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଆଜିର ବୈଠକରେ ସ୍ଥିର ହୋଇଛି ।
ସେହିପରି ପେସା ଆକ୍ଟ-୧୯୯୬ର କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ଉପରେ ବୈଠକରେ ଆଲୋଚନା ହୋଇଥିଲା । ତେବେ ଏହି ନିୟମାବଳୀ ଉପରେ ଅଧିକ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଛି । ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରି ସେଥିରେ ବ୍ଲକ,ଜିଲ୍ଲା, ,ପୌରାଂଚଳ,ବିଧାନସଭା,ଲୋକସଭା ଓ ରାଜ୍ୟସଭାର ଜନଜାତି ପ୍ରତିନିଧିମାନଙ୍କୁ ସାମିଲ କରି ନିୟମାବଳୀ ପ୍ରସ୍ତୁତ ଉପରେ ବିସ୍ତୃତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେହିପରି ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ପ୍ରସ୍ତାବ ଆଜିର ବୈଠକରେ ଗୃହୀତ ହୋଇଛି । ଏହାବ୍ୟତୀତ ଅନ୍ୟାନ୍ୟ ଜନଜାତି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା ।
ଏହାବ୍ୟତୀତ ବୈଠକରେ ‘ଧରୀତ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ, ପିଏମ ଜନମନ ଯୋଜନା,ମାଧେସିଂ ହାତଖର୍ଚ୍ଚ ଯୋଜନା, ଶହୀଦ ଲକ୍ଷ୍ମଣନାୟକ ବିଦ୍ୟାଳୟ ରୂପାନ୍ତରୀଣ କାର୍ଯ୍ୟକ୍ରମ ଆଦି ଉପରେ ଆଲୋଚନା ହୋଇଥିଲା । ଜନଜାତି ବର୍ଗର ପିଲାମାନଙ୍କୁ ପାଠପଢ଼ା ପାଇଁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ର ଶୁଭାରମ୍ଭ ଜାନୁୟାରୀ ୫ତାରିଖରେ କରାଯିବ । ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ ।
ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ ଏହି ଜନଜାତି ଉପଦେଷ୍ଟା ପରିଷଦ ଗଠନ ହୋଇଥିଲା । ଏହାର କାର୍ଯ୍ୟକାଳ ଦୁଇବର୍ଷ ରହିଛି । ଏହି ପରିଷଦର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି । ଅନ୍ୟ ୧୮ଜଣ ସଦସ୍ୟ ଅଛନ୍ତି । ୧୫ଜଣ ବିଧାୟକ,୨ଜଣ ସାଂସଦ ଓ ଜଣେ ଆଦିବାସୀ ମହିଳାଙ୍କୁ ସଦସ୍ୟା ଭାବେ ସାମିଲ କରାଯାଇଛି । ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଅତିଥି ସଦସ୍ୟ ଭାବେ ଯୋଗ ଦେଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।