Advertisment

ନିର୍ବାଚନରେ ରାଜ ପରିବାରକୁ ପ୍ରତ୍ୟାଖ୍ୟାନ କରିବାକୁ ଅପିଲ୍‌ କଲେ ଅନଙ୍ଗଙ୍କ ସାନବୋହୂ

ବଲାଙ୍ଗିର ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ। ଆଉ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର। ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଉଭୟ ପ୍ରଚାରକୁ ଜୋରଦାର କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Adrija Manjari Singh

Adrija Manjari Singh

ଉଷ୍ମ ହେଉଛି ବଲାଙ୍ଗିର ରାଜ ପରିବାରର ରାଜନୀତି। ନିର୍ବାଚନ ମାହୋଲ ଭିତରେ ଏଣ୍ଟ୍ରି ମାରିଛନ୍ତି ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ବୋହୂ ତଥା ଅର୍କେଶଙ୍କ ପତ୍ନୀ ଅଦ୍ରୀଜା ମଞ୍ଜରୀ ସିଂହ। ଆଜି ଭିଡିଓ ବାର୍ତ୍ତା ଜାରି କରି ରାଜପରିବାରର ମୁଖା ଖୋଲିଛନ୍ତି। ଘରୋଇ ହିଂସା ଓ ଯୌତୁକ ନିର୍ଯାତନାରେ ଶିକାର ହୋଇଥିବାରୁ ନିର୍ବାଚନରେ ରାଜ ପରିବାରକୁ ପ୍ରତ୍ୟାଖ୍ୟାନ କରିବାକୁ ଅପିଲ୍‌ କରିଛନ୍ତି ଅଦ୍ରୀଜା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ଅର୍କେଶ। ଆଉ ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର।

Advertisment

ବଲାଙ୍ଗିର ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ। ଆଉ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର। ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଉଭୟ ପ୍ରଚାରକୁ ଜୋରଦାର କରିଛନ୍ତି। ଏତିକି ବେଳେ ଏଣ୍ଟ୍ରି ମାରିଛନ୍ତି କଳିକେଶଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ମଞ୍ଜରୀ ସିଂହ। ଭିଡିଓ ବାର୍ତ୍ତା ଜାରି କରି ରାଜ ପରିବାରକୁ ଟାର୍ଗେଟ କରିଛନ୍ତି। ନିର୍ବାଚନରେ ରାଜ ପରିବାରକୁ ପ୍ରତ୍ୟାଖ୍ୟାନ କରିବାକୁ ବଲାଙ୍ଗିରବାସୀଙ୍କୁ ଅନୁରୋଧ କରିଛନ୍ତି ଅଦ୍ରୀଜା।

ଭିଡିଓ ବାର୍ତ୍ତାରେ ଅଦ୍ରୀଜା ମଞ୍ଜରୀ ସିଂ କହିଛନ୍ତି, ମୁଁ ମୋ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ, ତାଙ୍କ ଭାଇ କଳିକେଶ ସିଂହଦେଓ, ଶ୍ୱଶୁର ଏୟୁ ସିଂହଦେଓ ଓ ପୂରା ସିଂହଦେଓ ପରିବାର ଲୋକଙ୍କ ଦ୍ୱାରା ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନାରେ ଶିକାର ହୋଇଛି। ମୋ ପରି ମହିଳାମାନେ ସେମାନଙ୍କ ଘରେ ଲାଞ୍ଛିତ ଓ ଶୋଷିତ ହୋଇଛନ୍ତି। ଏହି ପରିବାର ନିର୍ଲଜ ଭାବରେ ରାଜନୀତିକୁ ନିଜ ସ୍ୱାର୍ଥରେ ବ୍ୟବହାର କରୁଛି। ତାହା ସତ୍ତ୍ୱେ ବିଜେଡି ସେମାନଙ୍କୁ ଟିକେଟ୍ ପ୍ରଦାନ କରିଛି। ବଲାଙ୍ଗିରର ବୋହୂ ହିସାବରେ ଏଥିରେ ମୁଁ ବହୁ ବ୍ୟଥିତ। ଯେଉଁମାନେ ବିବାହର ପବିତ୍ରତା କ’ଣ ଜାଣିନାହାନ୍ତି ଓ ମହିଳାଙ୍କୁ ଅପମାନିତ କରୁଛି, ସେମାନଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହି ଅନ୍ୟାୟ ବିରୋଧରେ ମୋ ସାଙ୍ଗରେ ଠିଆ ହେବା ପାଇଁ ଆପଣମାନଙ୍କୁ ଅନୁରୋଧ କରୁଛି ବୋଲି ଅଦ୍ରୀଜା କହିଛନ୍ତି।

Advertisment

ଅଦ୍ରୀଜାଙ୍କ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିବା ପରେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଓ ତାଙ୍କ ବାପା ନରସିଂହ ମିଶ୍ରଙ୍କ ବିରୋଧରେ ବର୍ଷିଛନ୍ତି ଅର୍କେଶ। ସେ କହିଛନ୍ତି, ଏହାର ସ୍କ୍ରିପ୍‌ ରାଇଟର ହେଉଛନ୍ତି ନରସିଂହ ମିଶ୍ର। ମୁଖ୍ୟ ଅଭିନେତା ହେଉଛନ୍ତି ସମରେନ୍ଦ୍ର ମିଶ୍ର। ଆଉ ହିରୋଇନ୍‌ ସାଜିଛନ୍ତି ଅଦ୍ରୀଜା ମଞ୍ଜରୀ ସିଂହ। କଂଗ୍ରେସ ପ୍ରାର୍ଥୀ କିମ୍ୱା ତାଙ୍କ ଟିମର ସଦସ୍ୟମାନେ ସ୍କ୍ରିପ୍ଟ ଲେଖି ତାଙ୍କ ଦ୍ୱାରା ପଢ଼ାଇଛନ୍ତି। କଳିକେଶ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦୁଇଥର ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବହୁ କାମ କରିଛନ୍ତି। ଲୋକମାନେ ତାଙ୍କୁ ଚିହ୍ନିଛନ୍ତି। ହେଲେ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅର୍କେଶ।

ଅର୍କେଶଙ୍କ ଅଭିଯୋଗର ଜବାବ ରଖିଛନ୍ତି ସମରେନ୍ଦ୍ର ମିଶ୍ର। ସେ କହିଛନ୍ତି, ରାଜ ପରିବାରର ବିବାଦ ଉପରେ ଆମର କିଛି ଯାଏ ଆସେ ନାହିଁ। ପରିବାରର କଳହ ଭିତରେ ଆମର କିଛି କରିବାର କିମ୍ବା କହିବାର ନାହିଁ। ନବୀନ ପଟ୍ଟନାୟକଙ୍କୁ କିଏ ପ୍ରଭାବିତ କଲା? ଆମେ କ’ଣ ନବୀନ ପଟ୍ଟନାୟକଙ୍କୁ କହି ଅର୍କେଶଙ୍କ ଟିକେଟ୍‌ କାଟିଲୁ? ନିଶ୍ଚିତ ଭାବେ ନବୀନ ବାବୁ କିଛି ତଥ୍ୟ ପାଇଛନ୍ତି। ଯେଉଁଥିପାଇଁ ତାଙ୍କ ଟିକେଟ କଟାଗଲା ବୋଲି ସମରେନ୍ଦ୍ର କହିଛନ୍ତି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

BjD Congress Balangir