୧୦ ଦିନ ପରେ ବି ଜେଲରୁ ମୁକୁଳି ପାରୁନାହାନ୍ତି ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା

ଜୁଏଲଙ୍କ ସହ ଦଳର ମହିଳା ନେତ୍ରୀ ସୁକେଶୀ ଓରାମ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ବିଶ୍ୱରଞ୍ଜନ ବଡ଼ଜେନା ଓ ସଂଗ୍ରାମ ନାୟକ ପ୍ରମୁଖ ଗସ୍ତ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୁଏଲ କହିଛନ୍ତି ଯେ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯୁବମୋର୍ଚ୍ଚା ଆରମ୍ଭ କରିଥିବା ସଂଗ୍ରାମ ପ୍ରତି ରାଜ୍ୟବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି ।

ଜେଲ୍‌ରେ ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ଭେଟି ବାହାରୁଛନ୍ତି ଜୁଏଲ ଓରାମ

  • Published: Friday, 10 March 2023
  • , Updated: 10 March 2023, 10:11 PM IST

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଦିଗହରା ତଦନ୍ତ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ କରି ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ଗିରଫ ହେବାର ୧୦ଦିନ ବିତିବା ପରେ ବି ଜେଲରୁ ମୁକୁଳି ପାରୁନାହାନ୍ତି ।

ଅନ୍ୟପକ୍ଷରେ ଆଜି ବିଜେପିର ଦୁଇଟି ଦଳ ଝାରପଡ଼ା ଜେଲ ଯାଇ ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ଭେଟିଛନ୍ତି । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ଏକ ଟିମ୍ ଝାରପଡ଼ା ଜେଲ ଯାଇ ଦଳର ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଭେଟିଥିଲେ । ଜୁଏଲଙ୍କ ସହ ଦଳର ମହିଳା ନେତ୍ରୀ ସୁକେଶୀ ଓରାମ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ବିଶ୍ୱରଞ୍ଜନ ବଡ଼ଜେନା ଓ ସଂଗ୍ରାମ ନାୟକ ପ୍ରମୁଖ ଗସ୍ତ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୁଏଲ କହିଛନ୍ତି ଯେ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯୁବମୋର୍ଚ୍ଚା ଆରମ୍ଭ କରିଥିବା ସଂଗ୍ରାମ ପ୍ରତି ରାଜ୍ୟବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ବିରୋଧୀଙ୍କୁ ଦମନ କରିବାର ଶାସକ ବିଜେଡିର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ । ଏପରିକି ହୀନ ଷଡ଼ଯନ୍ତ୍ର ରଚି ବିରୋଧୀଙ୍କ ସ୍ୱରକୁ ଚାପି ଦେବାକୁ ବିଜେଡି ପ୍ରୟାସ ଜାରି ରଖିଛି । ଆନ୍ଦୋଳନରତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରି ଜେଲରେ ଭର୍ତି କରିଦେବା ଭଳି ଘଟଣା ଆଜି ସମସ୍ତଙ୍କୁ ଆଚମ୍ବିତ କରିଛି। ସ୍ୱେଚ୍ଛାଚାରୀ ଓ ଭ୍ରଷ୍ଟାଚାରୀ ବିଜେଡି ଶାସନର ଅନ୍ତ ସମୟ ଆସିଯାଇଛି ବୋଲି ଜୁଏଲ କହିଛନ୍ତି ।

ସେହିପରି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍ ଝାରପଡ଼ା ଯାଇ ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଭେଟିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସ୍ୱେଚ୍ଛାଚାରୀ ବିଜେଡି ଶାସନର ଅନ୍ତ ଘଟାଇବା ପାଇଁ ଲଢେଇକୁ ଆହୁରି ଶାଣିତ କରାଯିବ । ରାଜ୍ୟବାସୀଙ୍କ ସୁରକ୍ଷା ଓ ସ୍ୱାର୍ଥ ପାଇଁ ଲଢ଼େଇ କରି ଅନ୍ୟାୟ ଭାବେ ଗିରଫ ହୋଇ ଜେଲରେ ଥିବା ଯୁବ ସାଥୀମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ମାନସିକ ସ୍ଥିତି ସୁଦୃଢ଼ ଅଛି । ଓଡ଼ିଶାର ଶତାଧିକ ଯୁବକ ଯୁବମୋର୍ଚ୍ଚାର ଏହି ଆନ୍ଦୋଳନ ପଛରେ ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି । ସେମାନଙ୍କ ସ୍ୱରକୁ ରାଜ୍ୟ ସରକାର ଚପାଇ ପାରିବେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ରଙ୍କ ସହ ବିଜେପି ନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, ଜଗନ୍ନାଥ ପ୍ରଧାନ, ସୁଜିତ୍ କୁମାର ଦାସ, ରଶ୍ମିରଂଜନ କାନୁନଗୋ, ପ୍ରଦୀପ ବଳସାମନ୍ତ ପ୍ରମୁଖ ଝାରପଡ଼ା ଜେଲ୍ ଯାଇ ଯୁବମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ଭେଟିଛନ୍ତି ।

ସୂଚନାଯୋଗ୍ୟ, ଫେବୃୟାରୀ ୨୮ରେ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆନ୍ଦୋଳନ କରୁଥିବା ଯୁବମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଥିଲା । ସେବେଠୁ ସେମାନେ ଝାରପଡ଼ା ଜେଲରେ ବନ୍ଦୀ ଅଛନ୍ତି ।

Related story