Advertisment

ପାଣ୍ଡିଆନଙ୍କ ସପକ୍ଷରେ ଅତନୁଙ୍କ ପରେ ଆସିଲେ ପ୍ରସନ୍ନ: ବିରୋଧୀଙ୍କ ମୁକାବିଲା କରିବେ ବରିଷ୍ଠ ନେତା

ଶ୍ରୀ ପାଣ୍ଡିଆନ ଆଜି ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

author-image
Ordigital Desk
Prasanna Acharya

Prasanna Acharya

ବିରୋଧୀଙ୍କ କଡ଼ା ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି । ଆଉ ଶ୍ରୀ ପାଣ୍ଡିଆନଙ୍କୁ ବିରୋଧ ପ୍ରସଙ୍ଗରେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗତକାଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଆଜି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ନିଜଆଡ଼ୁ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମତ ରଖିବା ସହ ବିରୋଧୀଙ୍କୁ ସମାଲୋଚନା କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ହେଉଥିବା ବ୍ୟକ୍ତିଗତ ସମାଲୋଚନା ଓ ଜିଲ୍ଲାସ୍ତରରେ ବିରୋଧ ପରେ ବିଜେଡି ଏହାର ଜବାବ ଦେବାକୁ ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣି ବିରୋଧୀଙ୍କ କଡ଼ା ମୁକାବିଲା କରିବ ବୋଲି ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଶ୍ରୀ ପାଣ୍ଡିଆନ ଆଜି ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେଠାରେ ତାଙ୍କୁ ବିଜେପି ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ କଳାପୋଷାକ ଓ କଳା ବେଲୁନ ଉଡ଼ାଇ ବିରୋଧ କରାଯାଇଛି । ବିଜେପିର ଏଭଳି ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମ ସମ୍ପର୍କରେ ଆବଶ୍ୟକ ସୂଚନା ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଷେଧକ ପଦକ୍ଷେପ ନିଆଯାଇନଥିଲା । ବାଲେଶ୍ୱରରେ ପାଣ୍ଡିଆନ ଗସ୍ତବେଳେ ଯେଉଁ ଢଙ୍ଗରେ କଂଗ୍ରେସ ନେତାମାନଙ୍କୁ ଅଟକ ରଖାଯାଇଥିଲା, ଜଗତସିଂହପୁରରେ ବିରୋଧୀଙ୍କୁ ବିରୋଧ କରିବାର ସୁଯୋଗ ଦିଆଯାଇଥିଲା ।

ତେବେ ପାଣ୍ଡିଆନଙ୍କୁ ଜିଲ୍ଲା ଗସ୍ତବେଳେ ଆଜି ପ୍ରଥମଥର ପାଇଁ ବିଜେପି ଖୋଲାଖୋଲି ବିରୋଧ କରିବା ପରେ ବିଜେଡି ଶିବିର ଚଳଚଂଚଳ ହୋଇପଡ଼ିଛି । ଏଣିକି ବିରୋଧୀଙ୍କୁ ଗଣମାଧ୍ୟମରେ ଦଳ ପକ୍ଷରୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ସମର୍ଥନ ଓ ବିରୋଧୀଙ୍କ ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯିବ ଏନେଇ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି । ଯାହାର ଫଳସ୍ୱରୂପ ଗତକାଲି ଅତନୁ ସବ୍ୟସାଚୀ ନାୟକ ଓ ଆଜି ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଥିବାବେଳେ ଆଗାମୀ ଦିନରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଆଗକୁ ଆସିବେ ତଥା ବିରୋଧୀ ଦଳ କରୁଥିବା ସମାଲୋଚନାର ଜବାବ ଦେବେ ବୋଲି ସୂଚନା ମିଳିଛି ।

Advertisment

ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ମୋହନ ମାଝୀ ଆଜି ପୁଣିଥରେ ପାଣ୍ଡିଆନଙ୍କୁ ସିଧାସଳଖ ସମାଲୋଚନା କରିବା ସହ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଏବେ ଫାଇଭ-ଟି ସଚିବଙ୍କ ବଚସ୍କର ହୋଇ ତାଙ୍କୁ ଭଗବାନ ବୋଲି ସ୍ୱୀକାର କରିନେଇଥିବା ଅଭିଯୋଗ କରିଛନ୍ତି । ଶାସକ ବିଜେଡି ନେତା-ମନ୍ତ୍ରୀମାନେ ଅସହାୟ ହୋଇପଡ଼ିଛନ୍ତି । ଟିକେଟ୍ କଟିବା ଓ ଜେଲ ଯିବା ଭୟରେ ଏବେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ବିଜେଡି ନେତାମାନେ ଆଗେଇ ଆସିଲେଣି । ଏହା ନିଶ୍ଚିତ ଭାବେ ଓଡ଼ିଶାରେ ଗଣତନ୍ତ୍ର ପ୍ରତି ବିପଦ ।

ପାଣ୍ଡିଆନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପଠାଇଥିବା ଚିଠି ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏହା କିଛି ନୂଆ କଥା ନୁହେଁ ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦେଇଥିବା ବୟାନକୁ ସମାଲୋଚନା କରି ସେ କହିଥିଲେ ଏବେ ବିଷମ ସଙ୍କଟରେ ବିଜେଡି ଓ ବିଜେଡି ସରକାର ପଡ଼ିଯାଇଛନ୍ତି । ତେବେ ଏହି ଚିଠିକୁ ସେମାନେ ସାଧାରଣ ଚିଠି ବୋଲି ଭାବିବା ସେମାନଙ୍କ ପାଇଁ ଆଗାମୀ ଦିନରେ ବହୁତ ବଡ଼ ମୁର୍ଖାମୀ ହେବ । ଏହି ଚିଠି  ଆଟମ୍ ବମ୍ ଭଳି ବିସ୍ଫୋରଣ ହୋଇ ସେମାନଙ୍କର ଗର୍ବ ଓ ଅହଙ୍କାରକୁ ଭାଙ୍ଗିଦେବ ଏବଂ ସରକାରକୁ ମଧ୍ୟ ଭସ୍ମ କରିଦେବ ବୋଲି ସେ କହିଛନ୍ତି । ଗଣତନ୍ତ୍ର ଓ ଅମଲାତନ୍ତ୍ର କେଉଁଠି ରହିବା କଥା ଓ ଲୋକଙ୍କ ବିକାଶ କିଭଳି ହେବା କଥା ତାହା ହେଉନି । ଏଠି କେବଳ ରାଜନୀତିକରଣ କରାଯାଉଛି । ବୋଲି ଶ୍ରୀ ମାଝୀ କହିଛନ୍ତି ।

ଏପଟେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଆଜି ନିଜ ଦଳର ଆଭିମୁଖ୍ୟରୁ ଦୂରେଇ ଯାଇ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ସମର୍ଥନ କରିଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରରେ ମଧ୍ୟ ଏଭଳି କିଛି ଲୋକଙ୍କୁ କ୍ଷମତା ଦିଆଯାଇ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ ହେଉଥିଲା। ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କ୍ଷମତା ଅଛି ଓ ଯାହାକୁ ଚାହିଁବେ ତାଙ୍କୁ ପାୱାର ଦେଇ କାର୍ଯ୍ୟ କରାଇପାରିବେ ବୋଲି କହିବା ସହ ପାଣ୍ଡିଆନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଯଦିଓ ତାଙ୍କ ଦଳ କଂଗ୍ରେସର ଅନ୍ୟ ନେତାମାନେ ଗତ କିଛିଦିନ ଧରି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଓ ରାଜକୀୟ ସମ୍ବର୍ଦ୍ଧନାକୁ ତୀବ୍ର ବିରୋଧ କରି ଆସୁଛନ୍ତି।

ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି। ନବୀନ ପଟ୍ଟନାୟକ ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ ଶାସନର ମୁଖ୍ୟ ଭାବେ ସରକାରୀ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ସାମ୍ବିଧାନିକ। ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖରେ ପହଂଚୁଛି । ସେଥିରେ ଲୋକେ ଖୁସି । ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନଥାଏ ସେମାନେ ଏଭଳି କଥାକୁ ପ୍ରସଙ୍ଗ କରିଥାନ୍ତି ବୋଲି ସେ କହିଛନ୍ତି।

ପାଣ୍ଡିଆନଙ୍କ ସପକ୍ଷରେ ଅତନୁ ଓ ପ୍ରସନ୍ନଙ୍କ ଏଭଳି ଆଭିମୁଖ୍ୟ ପରେ ବିଜେଡି ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣି ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେବା ସହ ପାଣ୍ଡିଆନଙ୍କ ପ୍ରତି ନିଜର ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଏକ ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଥିବା ଚର୍ଚ୍ଚା ।

BjD State Bjp Bjd Leader Vk Pandian