ବିରୋଧୀଙ୍କ କଡ଼ା ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି । ଆଉ ଶ୍ରୀ ପାଣ୍ଡିଆନଙ୍କୁ ବିରୋଧ ପ୍ରସଙ୍ଗରେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗତକାଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଆଜି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ନିଜଆଡ଼ୁ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମତ ରଖିବା ସହ ବିରୋଧୀଙ୍କୁ ସମାଲୋଚନା କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ହେଉଥିବା ବ୍ୟକ୍ତିଗତ ସମାଲୋଚନା ଓ ଜିଲ୍ଲାସ୍ତରରେ ବିରୋଧ ପରେ ବିଜେଡି ଏହାର ଜବାବ ଦେବାକୁ ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣି ବିରୋଧୀଙ୍କ କଡ଼ା ମୁକାବିଲା କରିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଶ୍ରୀ ପାଣ୍ଡିଆନ ଆଜି ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେଠାରେ ତାଙ୍କୁ ବିଜେପି ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ କଳାପୋଷାକ ଓ କଳା ବେଲୁନ ଉଡ଼ାଇ ବିରୋଧ କରାଯାଇଛି । ବିଜେପିର ଏଭଳି ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମ ସମ୍ପର୍କରେ ଆବଶ୍ୟକ ସୂଚନା ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଷେଧକ ପଦକ୍ଷେପ ନିଆଯାଇନଥିଲା । ବାଲେଶ୍ୱରରେ ପାଣ୍ଡିଆନ ଗସ୍ତବେଳେ ଯେଉଁ ଢଙ୍ଗରେ କଂଗ୍ରେସ ନେତାମାନଙ୍କୁ ଅଟକ ରଖାଯାଇଥିଲା, ଜଗତସିଂହପୁରରେ ବିରୋଧୀଙ୍କୁ ବିରୋଧ କରିବାର ସୁଯୋଗ ଦିଆଯାଇଥିଲା ।
ତେବେ ପାଣ୍ଡିଆନଙ୍କୁ ଜିଲ୍ଲା ଗସ୍ତବେଳେ ଆଜି ପ୍ରଥମଥର ପାଇଁ ବିଜେପି ଖୋଲାଖୋଲି ବିରୋଧ କରିବା ପରେ ବିଜେଡି ଶିବିର ଚଳଚଂଚଳ ହୋଇପଡ଼ିଛି । ଏଣିକି ବିରୋଧୀଙ୍କୁ ଗଣମାଧ୍ୟମରେ ଦଳ ପକ୍ଷରୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ସମର୍ଥନ ଓ ବିରୋଧୀଙ୍କ ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯିବ ଏନେଇ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି । ଯାହାର ଫଳସ୍ୱରୂପ ଗତକାଲି ଅତନୁ ସବ୍ୟସାଚୀ ନାୟକ ଓ ଆଜି ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଥିବାବେଳେ ଆଗାମୀ ଦିନରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଆଗକୁ ଆସିବେ ତଥା ବିରୋଧୀ ଦଳ କରୁଥିବା ସମାଲୋଚନାର ଜବାବ ଦେବେ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ମୋହନ ମାଝୀ ଆଜି ପୁଣିଥରେ ପାଣ୍ଡିଆନଙ୍କୁ ସିଧାସଳଖ ସମାଲୋଚନା କରିବା ସହ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଏବେ ଫାଇଭ-ଟି ସଚିବଙ୍କ ବଚସ୍କର ହୋଇ ତାଙ୍କୁ ଭଗବାନ ବୋଲି ସ୍ୱୀକାର କରିନେଇଥିବା ଅଭିଯୋଗ କରିଛନ୍ତି । ଶାସକ ବିଜେଡି ନେତା-ମନ୍ତ୍ରୀମାନେ ଅସହାୟ ହୋଇପଡ଼ିଛନ୍ତି । ଟିକେଟ୍ କଟିବା ଓ ଜେଲ ଯିବା ଭୟରେ ଏବେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ବିଜେଡି ନେତାମାନେ ଆଗେଇ ଆସିଲେଣି । ଏହା ନିଶ୍ଚିତ ଭାବେ ଓଡ଼ିଶାରେ ଗଣତନ୍ତ୍ର ପ୍ରତି ବିପଦ ।
ପାଣ୍ଡିଆନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପଠାଇଥିବା ଚିଠି ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏହା କିଛି ନୂଆ କଥା ନୁହେଁ ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦେଇଥିବା ବୟାନକୁ ସମାଲୋଚନା କରି ସେ କହିଥିଲେ ଏବେ ବିଷମ ସଙ୍କଟରେ ବିଜେଡି ଓ ବିଜେଡି ସରକାର ପଡ଼ିଯାଇଛନ୍ତି । ତେବେ ଏହି ଚିଠିକୁ ସେମାନେ ସାଧାରଣ ଚିଠି ବୋଲି ଭାବିବା ସେମାନଙ୍କ ପାଇଁ ଆଗାମୀ ଦିନରେ ବହୁତ ବଡ଼ ମୁର୍ଖାମୀ ହେବ । ଏହି ଚିଠି ଆଟମ୍ ବମ୍ ଭଳି ବିସ୍ଫୋରଣ ହୋଇ ସେମାନଙ୍କର ଗର୍ବ ଓ ଅହଙ୍କାରକୁ ଭାଙ୍ଗିଦେବ ଏବଂ ସରକାରକୁ ମଧ୍ୟ ଭସ୍ମ କରିଦେବ ବୋଲି ସେ କହିଛନ୍ତି । ଗଣତନ୍ତ୍ର ଓ ଅମଲାତନ୍ତ୍ର କେଉଁଠି ରହିବା କଥା ଓ ଲୋକଙ୍କ ବିକାଶ କିଭଳି ହେବା କଥା ତାହା ହେଉନି । ଏଠି କେବଳ ରାଜନୀତିକରଣ କରାଯାଉଛି । ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏପଟେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଆଜି ନିଜ ଦଳର ଆଭିମୁଖ୍ୟରୁ ଦୂରେଇ ଯାଇ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ସମର୍ଥନ କରିଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରରେ ମଧ୍ୟ ଏଭଳି କିଛି ଲୋକଙ୍କୁ କ୍ଷମତା ଦିଆଯାଇ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ ହେଉଥିଲା। ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କ୍ଷମତା ଅଛି ଓ ଯାହାକୁ ଚାହିଁବେ ତାଙ୍କୁ ପାୱାର ଦେଇ କାର୍ଯ୍ୟ କରାଇପାରିବେ ବୋଲି କହିବା ସହ ପାଣ୍ଡିଆନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଯଦିଓ ତାଙ୍କ ଦଳ କଂଗ୍ରେସର ଅନ୍ୟ ନେତାମାନେ ଗତ କିଛିଦିନ ଧରି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଓ ରାଜକୀୟ ସମ୍ବର୍ଦ୍ଧନାକୁ ତୀବ୍ର ବିରୋଧ କରି ଆସୁଛନ୍ତି।
ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି। ନବୀନ ପଟ୍ଟନାୟକ ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ ଶାସନର ମୁଖ୍ୟ ଭାବେ ସରକାରୀ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ସାମ୍ବିଧାନିକ। ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖରେ ପହଂଚୁଛି । ସେଥିରେ ଲୋକେ ଖୁସି । ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନଥାଏ ସେମାନେ ଏଭଳି କଥାକୁ ପ୍ରସଙ୍ଗ କରିଥାନ୍ତି ବୋଲି ସେ କହିଛନ୍ତି।
ପାଣ୍ଡିଆନଙ୍କ ସପକ୍ଷରେ ଅତନୁ ଓ ପ୍ରସନ୍ନଙ୍କ ଏଭଳି ଆଭିମୁଖ୍ୟ ପରେ ବିଜେଡି ନିଜର ପୁରୁଖା ନେତାମାନଙ୍କୁ ଆଗକୁ ଆଣି ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେବା ସହ ପାଣ୍ଡିଆନଙ୍କ ପ୍ରତି ନିଜର ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଏକ ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଥିବା ଚର୍ଚ୍ଚା ।