Advertisment

BJD crisis: କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ଦିବ୍ୟଶଙ୍କର ଓ ଦେବେଶଙ୍କ ୟୁ-ଟର୍ଣ୍ଣ, କହିଲେ ନବୀନ ହିଁ ସର୍ବମାନ୍ୟ ନେତା

ନବୀନଙ୍କ ନେତୃତ୍ୱକୁ ପରୋକ୍ଷରେ ଚ୍ୟାଲେଞ୍ଜ କରିବା ଭଳି ପଶ୍ଚିମଓଡ଼ିଶାର ଏହି ଦୁଇ ବିଜେଡି ନେତା ବୟାନ ଦେବାପରେ କଂଗ୍ରେସ ଓ ବିଜେପି ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବିଜେଡିକୁ କଟାକ୍ଷ କରିବା ପରେ ଦଳ ନିଜର ନେତାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିବାକୁ ବାଧ୍ୟ ହୋଇଥିଲା ।

BJD-conflict
Advertisment

ନିଜର ଅପକର୍ମ ପାଇଁ କ୍ଷମତା ହରାଇଥିବା ବିଜେଡିରେ ଅସ୍ଥିରତା ଥମିବାର ନାଁ ଧରୁନି । ନବୀନଙ୍କ ଉତ୍ତରାଧିକାରୀ ଓ ଦଳର ନେତୃତ୍ୱ କାହା ପାଖରେ ରହିବ ତାକୁ ନେଇ ନିୟମିତ ବ୍ୟବଧାନରେ ଦଳୀୟ ନେତାମାନଙ୍କ ମଧ୍ୟରେ ବୟାନବାଜି ବିଜେଡିକୁ ଅସ୍ଥିରତା ଭିତରକୁ ଠେଲି ଦେଇଛି । ପଶ୍ଚିମ ଓଡ଼ିଶାର ଦୁଇ ପ୍ରଭାବଶାଳୀ ନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ବୁଧବାର ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓଙ୍କୁ ‘ଭାବି ନେତା’ ଭାବେ ପ୍ରୋଜେକ୍ଟ କରିବା ପରେ ବିଜେଡି ସୁପ୍ରିମୋଙ୍କ ନିଦ ହଜିଯାଇଛି । 

Advertisment


ଆଉ ଏହାକୁ ନେଇ ବିବାଦ ବଢ଼ିବା ପରେ ଗଣମାଧ୍ୟମ ଉପରେ ଦୋଷ ଲଦିଛନ୍ତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର । ସେହିପରି ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ନିଜ ସ୍ୱର ବଦଳାଇଛନ୍ତି । ତେବେ ‘ସତ କହିବାର ସାହାସ ସମସ୍ତଙ୍କର ରହିବା ଦରକାର’ ବୋଲି କହି କଳିକେଶଙ୍କୁ ନେତୃତ୍ୱ ନେବା ସପକ୍ଷରେ ଯୁକ୍ତି ବାଢ଼ିଥିବା ଦିବ୍ୟଶଙ୍କରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯିବା ପରେ ସେ ୨୪ଘଣ୍ଟା ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ମତ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ।

 ଦଳ ମଧ୍ୟ ନିଜର ମୁଖପାତ୍ର ଶାରଦା ଜେନାଙ୍କ ମାଧ୍ୟମରେ ଦିବ୍ୟଶଙ୍କର ଓ ଦେବେଶଙ୍କୁ କଡ଼ା ସନ୍ଦେଶ ଦେବାକୁ ପଛାଇନାହିଁ । ତେବେ ଅପ୍ରତ୍ୟାଶିତ ଢଙ୍ଗରେ କଳିକେଶଙ୍କ ନେତୃତ୍ୱ ଦେବା ସପକ୍ଷରେ ଯୁକ୍ତି ବାଢ଼ିଥିବା ଦିବ୍ୟଶଙ୍କର ଓ ଦେବେଶଙ୍କ ଅସଲ ଉଦ୍ଦେଶ୍ୟ କ’ଣ ରହିଛି ତାକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି ।

Advertisment


ଭୟ ନା ବାଧ୍ୟବାଧକତା? ୨୪ଘଣ୍ଟା ନପୁରୁଣୁ ୟୁ-ଟର୍ଣ୍ଣ ନେଲେ ଦିବ୍ୟଶଙ୍କର

ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ ରାଜ୍ୟର ନେତୃତ୍ୱ ନିଅନ୍ତୁ ଓ ଆମେ ପଶ୍ଚିମ ଓଡ଼ିଶାର ସମସ୍ତେ ତାଙ୍କୁ ସହଯୋଗ କରିବୁ ବୋଲି କହିଥିବା ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ବୟାନରୁ ଓହରି ଯାଇଛନ୍ତି । ତାଙ୍କର ବୟାନକୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ‘କଟ ପେଷ୍ଟ’ କରି ବିଭ୍ରାନ୍ତ କରିଥିବା କହିଛନ୍ତି । ନବୀନ ପଟ୍ଟନାୟକ ହିଁ ଦଳର ଅଦ୍ୱିତୀୟ ନେତା ଓ ତାଙ୍କ ମାର୍ଗଦର୍ଶନରେ ଆମେ ସମସ୍ତ ବିଧାୟକ ଓ ସାଂସଦ କାମ କରୁଛୁ ବୋଲି କହିଛନ୍ତି ।

ଯଦିଓ ଗତକାଲି ଶ୍ରୀ ମିଶ୍ର କହିଥିଲେ ଯେ, ରାଜେନ୍ଦ୍ର ନାରାୟଣ ସିଂହଦେଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଓ ପୁରା ପଶ୍ଚିମାଂଚଳ ତାଙ୍କ ପାଇଁ ଗର୍ବ ଅନୁଭବ କରେ। ସେହିପରି ଆଗାମୀ ଭବିଷ୍ୟତ ଆମେ ସମସ୍ତେ ମିଳିତ ଭାବେ କଳିକେଶ ସିଂହଦେଓଙ୍କୁ ବି ନେତୃତ୍ୱ ଦେବାକୁ ଚାହୁଁଛୁ । ସେ ପୁରା ଓଡ଼ିଶାର ନେତୃତ୍ୱ ନିଅନ୍ତୁ । ଆମେ ବଲାଙ୍ଗୀର-କଳାହାଣ୍ଡି ଓ ସମଗ୍ର ପଶ୍ଚିମାଂଚଳର ଲୋକେ ତାଙ୍କୁ ସହଯୋଗ କରିବୁ । ତାଙ୍କ ପାଖରେ ପାଖରେ ଦକ୍ଷତା, ଗତିଶୀଳତା ଓ ଯୁବ ସ୍ପିରିଟ୍ ରହିଛି । ଆଉ ଏଭଳି ସତ କହିବାର ସାହାସ ସମସ୍ତଙ୍କ ପାଖରେ ରହିବା ଜରୁରୀ ବୋଲି କହିଥିଲେ । ତାଙ୍କ ସ୍ୱରରେ ସ୍ୱର ମିଳାଇ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ କହିଥିଲେ ଯେ କଳିକେଶଙ୍କ ଦୀର୍ଘ ଦିନର ସାଂସଦ ଓ ବିଧାୟକ ଅଭିଜ୍ଞତା ରହିଛି ଏବଂ ଆଗାମୀ ଦିନରେ ତାଙ୍କ ନେତୃତ୍ୱ ନିଶ୍ଚିତ ଭାବେ ଆସିବ । ଦିବ୍ୟଶଙ୍କର ଓ ଦେବେଶଙ୍କ ଏହି ବୟାନକୁ ନେଇ ବିଜେଡିରେ ତୀବ୍ର ପ୍ରତିିକ୍ରିୟା ପ୍ରକାଶ ପାଇଥିଲା । 

ବିଜେଡି ପୂର୍ବରୁ ପ୍ରତିକ୍ରିୟାଶୀଳ ହୋଇଥିଲେ ବିରୋଧୀ

ଏପରିକି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ମଧ୍ୟ କଟାକ୍ଷ କରି ଏଭଳି ବୟାନ ପାଇଁ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଆଜି ମଧ୍ୟ ବିଜେପି ବିଧାୟକ ସରୋଜ ପାଢ଼ୀ ବିଜେଡ଼ି ଉତ୍ତରାଧିକାରୀ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ବିଧାୟକ ସରୋଜ ପାଢ଼ୀ କଟାକ୍ଷ କରି କହିଥିଲେ ଯେ, ବିଜେଡିକୁ ଖଣ୍ଡବିଖଣ୍ଡ ହୋଇଗଲାଣି । ଦଳରେ ଏବେ ଉତ୍ତରାଧିକାରୀ ଚିନ୍ତା । ଆମେ ଆଗରୁ ବି କହିଥିଲୁ, ସେ ଦଳ ଆଉ ରହିବ ନାହିଁ । ଆଉ ସେ ଦଳର ଭବିଷ୍ୟତ ମଧ୍ୟ ନାହିଁ । ସେମାନେ ଉତ୍ତରାଧିକାରୀ ଖୋଜା ଚଳାଇଛନ୍ତି । ବିଜେଡିର ଆଉ ମାର୍କେଟ୍ ନାହିଁ, ଉତ୍ତରାଧିକାରୀ ଦେଇ ଦେଲେ କ’ଣ କିଛି ହୋଇଯିବ କି ବୋଲି ସେ କଟାକ୍ଷ କରିଛନ୍ତି ।

ଶାରଦାଙ୍କ ମୁହଁରେ ଚେତାବନୀ ଦେଲା ଦଳ: ନବୀନ ହିଁ ନେତା

ନବୀନଙ୍କ ନେତୃତ୍ୱକୁ ପରୋକ୍ଷରେ ଚ୍ୟାଲେଞ୍ଜ କରିବା ଭଳି ପଶ୍ଚିମଓଡ଼ିଶାର ଏହି ଦୁଇ ବିଜେଡି ନେତା ବୟାନ ଦେବାପରେ କଂଗ୍ରେସ ଓ ବିଜେପି ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବିଜେଡିକୁ କଟାକ୍ଷ କରିବା ପରେ ଦଳ ନିଜର ନେତାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିବାକୁ ବାଧ୍ୟ ହୋଇଥିଲା । ଆଉ ଦଳର ମୁଖପାତ୍ର ତଥା ଶୃଙ୍ଖଳା କମିଟି ସଦସ୍ୟ ଶାରଦା ପ୍ରସନ୍ନ ଜେନାଙ୍କ ମାଧ୍ୟମରେ ପଶ୍ଚିମଓଡ଼ିଶାର ଏହି ଦୁଇ ପୁରୁଖା ନେତାଙ୍କୁ କଡ଼ା ସନ୍ଦେଶ ଦେଇଛି ।


ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶାରଦା କହିଛନ୍ତି ଯେ,ନବୀନ ବାବୁ ହେଉଛନ୍ତି ବିଜେଡିର ସର୍ବମାନ୍ୟ ନେତା । ସେ ସଂପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଅଛନ୍ତି ଆଉ ଲଗାତାର ବିଧାୟକମାନଙ୍କ ସହ ବୈଠକ ବି କରୁଛନ୍ତି । ନବୀନ ତ ଫିଟ ଅଛନ୍ତି ତ ପୁଣି ଉତ୍ତରାଧିକାରୀ କଥା କାହିଁକି ଉଠୁଛି? ନବୀନବାବୁ ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ। ଏବେ ଯେଉଁମାନେ ଉଠାଉଛନ୍ତି ସେମାନେ କେଉଁ ଉଦ୍ଦେଶ୍ୟରେ ଉଠାଉଛନ୍ତି ସେମାନେ ତା’ର ଉତ୍ତର ଦେଇ ପାରିବେ। କଳିକେଶ ରାଜ୍ୟର ବରିଷ୍ଠ ସାଧାରଣ ସମ୍ପାଦକ ଅଛନ୍ତି, ପୁଣି ନେତୃତ୍ୱ କ’ଣ ଦିଆଯିବ? ତେଣୁ କିଏ କେଉଁ ପରିପ୍ରେକ୍ଷୀରେ କହିଛି ତାର ତର୍ଜମା କରାଯାଉଛି । ତର୍ଜମା ପରେ ଆକ୍ସନ ନିଆଯିବ କି ନାହିଁ ତାହା ଶୃଙ୍ଖଳା କମିଟି ଓ ସଭାପତି ନିଷ୍ପତ୍ତି ନେବେ ବୋଲି ଶାରଦା କହିବା ପରେ ଦିବ୍ୟଶଙ୍କର ସାମ୍ବାଦିକ ସମ୍ମିଳନୀ କରି ନିଜର ସଫେଇ ରଖିଥିବା ଜଣାପଡ଼ିଛି ।

ପଶ୍ଚିମ ଓଡ଼ିଶା କାର୍ଡ ଖେଳୁଛନ୍ତି କି ନେତା?


ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେଡି ଭିତରେ ଏବେ ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଦେଇ ଗତି କରୁଛି । ପଶ୍ଚିମ ଓଡ଼ିଶାର ନେତାମାନେ ଏହି ସୁଯୋଗରେ ଦଳ ଭିତରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ "ଆଂଚଳିକ ନେତୃତ୍ୱ’ର କାର୍ଡ ଖେଳିଛନ୍ତି । ପଶ୍ଚିମ ଓଡ଼ିଶାର ଏହି ଦୁଇ ନେତା କାହିଁକି କଳିକେଶଙ୍କୁ ନବୀନଙ୍କ ଉପରେ ରଖିବାକୁ ଚେଷ୍ଟା କଲେ ଏବଂ ପରେ କାହିଁକି ମତ ବଦଳାଇଲେ ତାହା ଏବେ ଚର୍ଚ୍ଚାରେ ରହିଛି । ତେବେ ଏହା ସତ୍ୟ ଯେ, ମାତ୍ର ଦଳର ଶୀର୍ଷ ନେତୃତ୍ୱ ଏହାକୁ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି । ଯେଉଁଥିପାଇଁ ଶାରଦା ଜେନାଙ୍କ ମୁହଁରେ ‘ଆକ୍ସନ’ ଧମକ ଦେଇ ସ୍ୱରକୁ ଚପାଇବାକୁ ପ୍ରୟାସ କରିଛନ୍ତି । ତେବେ ଏହି ଧମକ କେବଳ କଥାରେ ରହିବ ନା ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe