ବିଜେଡିର ନେତୃତ୍ୱ ଏବେ ଆତ୍ମଘୋଷିତ ଉତ୍ତରାଧିକାରୀ ନେଉଛନ୍ତି, ତାଙ୍କ ସହ ସାଲିସ୍ କରିନି କି କରିବି ନାହିଁ: ଅନୁଭବ

ବିଜେପିରେ ସାମିଲ ହେବାପରେ ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ଅନୁଭବ ବିଜେଡି ଉପରେ ବର୍ଷିଛନ୍ତି

ଅନୁଭବ ମହାନ୍ତି

  • Published: Friday, 17 May 2024
  • , Updated: 17 May 2024, 10:17 PM IST

ବିଜୁ ଜନତା ଦଳର ନେତୃତ୍ୱ ଏବେ ନବୀନ ପଟ୍ଟନାୟକ ନେଉନାହାନ୍ତି । ଦୀର୍ଘ ୫ବର୍ଷ ଧରି ତାଙ୍କୁ ଦେଖା କରିପାରି ନାହିଁ । ଫୋନ୍ ବି କରିଛି ତାହା ମଧ୍ୟ ସମ୍ଭବପର ହୋଇନି । ଯିଏ ଏବେ ଆତ୍ମଘୋଷିତ ଉତ୍ତରାଧିକାରୀ ଭାବୁଛନ୍ତି ଓ ବିଜୁ ଜନତା ଦଳର ନେତୃତ୍ୱ ନେଉଛନ୍ତି ତାଙ୍କ ସହ ବି କଥା ହେବା କଷ୍ଟ । ତେବେ ମୁଁ ତାଙ୍କ ଆଗରେ କେବେ ମୁଣ୍ଡ ନୁଆଁଇ ନାହିଁ କି ନୁଆଇଁବି ନାହିଁ । ଓଡିଶା ମାଟିର ଇଜ୍ଜତକୁ ଜଣେ ବାହାରୁ ଆସିଥିବା କଳାପାହାଡ ହାତରେ ଟେକି ଦେଇପାରିବିନି । ଆଜି ଏଭଳି ଢଙ୍ଗରେ ବିଜେଡି ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ବିଜେପିରେ ସାମିଲ ହେବାପରେ ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ଅନୁଭବ ବିଜେଡି ଉପରେ ବର୍ଷିଛନ୍ତି । ସେ ଆସନ୍ତାକାଲିଠୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ଦେବା ସହ ତାଙ୍କୁ ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେଡି କରିଥିବା ଅପଚେଷ୍ଟା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ,ନିର୍ବାଚନରେ ବିଜେଡି ଜିତିବ ବୋଲି ଡିଣ୍ଡିମ ପିଟୁଛି । ବାସ୍ତବରେ କ୍ଷେତ୍ରରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ପଟ୍ଟନାୟକଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନବାବୁଙ୍କୁ ଓଡ଼ିଶାର ଲୋକେ ଦେଖିବା ତ ଦୂରର କଥା ଦଳର ନେତା, ମନ୍ତ୍ରୀମାନେ ମଧ୍ୟ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଁ ବିଜେଡିର ସାଂସଦ ଥିଲି, କିନ୍ତୁ ନବୀନ ବାବୁଙ୍କ ଦେଖିବାର ସୁଯୋଗ ପାଇନି କି କେନ୍ଦ୍ରାପଡା ବିକାଶର କୌଣସି ବିଷୟରେ କଥା ହେବାର ସୁଯୋଗ ମୋତେ ମିଳିନି । ତାଙ୍କ ପରେ ଯିଏ ନିଜକୁ ଆତ୍ମଘୋଷିତ ଉତରାଧିକାରୀ ଭାବୁଛନ୍ତି ତାଙ୍କ ସହ ବି କଥା ହେବା ଭାରି କଷ୍ଟକର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଏପ୍ରିଲ ୧ ଉତ୍କଳ ଦିବସରେ ସାମିଲ ହେଲି ।ମୁଁ ନିଜକୁ ଦୃଢତାର ସହ ପ୍ରତିଶ୍ରୁତି ଦେଇଛି ଯେ, ଓଡିଆ ଅସ୍ମିତା ଓ ଓଡିଶାର ସ୍ୱାଭିମାନକୁ ତଳେ ପକାଇବାକୁ ଦେବିନାହିଁ । ଓଡ଼ିଶାର ଅସ୍ମିତାକୁ କାହା ହାତରେ ଟେକିଦେବିନି । ମୋ ମୁଣ୍ଡ କେବେ ମୁଁ ବିକି ନଥିଲି, କି ବିକିବି ନାହିଁ । ମୁଁ ମୋ ନିଜକୁ ପ୍ରତିଶ୍ରୁତି ଦେଇଛି ।

ସେ କେନ୍ଦ୍ରାପଡ଼ା ସାଂସଦ ଭାବେ ଲୋକଙ୍କ କାମ କାହିଁକି କରିପାରିନଥିଲେ ତା’ର ରହସ୍ୟ ଉଜାଗର କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାର ସାଂସଦ ଭାବେ ନିର୍ବାଚିତ ହେବା ପରଠୁ ତାଙ୍କୁ କେନ୍ଦ୍ରାପଡ଼ାରୁ ଦୂରେଇ ରହିବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା । ବିଜେଡି ସାଂସଦ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସରେ ତାଙ୍କ ଫାଇଲ ମାସମାସ ଧରି ପଡି ରହୁଥିଲା । କେନ୍ଦ୍ରାପଡା ପାଇଁ କାମ କରେଇ ଦିଆଯାଉନଥିଲା । କରୋନା ସମୟରେ ଓଡ଼ିଶାବାସୀ ତଥା କେନ୍ଦ୍ରାପଡ଼ାବାସୀ ଯେତେବେଳେ କୁଆଡେ ଗଲ ବୋଲି ପ୍ରଶ୍ନ କଲେ, ସେତେବେଳେ ମୁଁ କାହାର ଉତ୍ତର ଦେଇପାରୁ ନଥିଲି । କାରଣ କେନ୍ଦ୍ରାପଡ଼ା ନଯିବା ପାଇଁ ଦଳ ପକ୍ଷରୁ ମୋତେ ଫୋନ କରି ମନା କରାଯାଇଥିଲା । କେନ୍ଦ୍ରାପଡ଼ା ସରକାରୀ ମେଡିକାଲକୁ ସରପ୍ରାଇଜ ଭିଜିଟ କଲି କିନ୍ତୁ ବିଜେଡି କହିଲା ଭଲ କାମ କରୁଛନ୍ତି । ଏମିତି କରନ୍ତୁନି କାହିଁକି ନା ସରକାର ଉପରକୁ ଆଙ୍ଗୁଳି ଉଠୁଛି । ବିଜେଡି ମୋତେ କାମ କରିବାର ସୁଯୋଗ ଦେଲାନି ଲୋକଙ୍କ ଭିତରେ ମୋ’ ପାଇଁ ଘୃଣା ସୃଷ୍ଟି କରିବାର ସୁଯୋଗ କରାଇଦେଲା । ମୁଁ ଓଡ଼ିଶାବାସୀଙ୍କୁ ଭଲପାଏ ତାଙ୍କ ପାଇଁ କାମ କରିବି ବୋଲି ଶ୍ରୀ ମହାନ୍ତିି କହିଛ।

ବିଜେଡି ସରକାରର ଆକ୍ରୋଶମୂଳକ ଆଚରଣ ପାଇଁ ତାଙ୍କ ବାପା ୧୬ବର୍ଷ ଧରି କଷ୍ଟ ଭୋଗିଛନ୍ତି । ସରକାରୀ ଦଳରେ ଥିଲି କିନ୍ତୁ କିଛି କରିପାରିଲିନି? କାରଣ  ନିଜ କ୍ଷମତାର କେବେ ଅପବ୍ୟବହାର କରିନାହିଁ । ମୋ ବାପାଙ୍କ ନାଁରେ ବିଜେଡି ୨୦୨୧ରେ ଯେଉଁ ଅଭିଯୋଗ ଆଣିଥିଲା ତାହା ସମ୍ପୂର୍ଣ୍ଣ ମିଛ । ବିଜେଡି ବୃଦ୍ଧ, ବୃଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ତୀର୍ଥ ଯାତ୍ରା କରିବାର ଯେଉଁ ଡିଣ୍ଡିମ ପିଟୁଛି, ତାହା କେବଳ ଲୋକଦେଖାଣିଆ ଓ ପ୍ରଚାର ସର୍ବସ୍ୱ । ବିଜେଡି ସରକାରରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ନାହିଁ । ବିଜେଡି ନିର୍ବାଚନ ପୂର୍ବରୁ କାମ କରେ ଓ ନିଜ ପାଇଁ ପ୍ରଶଂସା ସାଉଁଟେ । ମିଛ ପ୍ରଶଂସା ସାଉଁଟିକି ଓଡ଼ିଶାକୁ ହାଇଜାକ୍ କରିବାକୁ ଚାହୁଁଛନ୍ତି । ବିଜେଡି ମୋତେ କ୍ରିମିନାଲ ସଜାଇ ଦେଇଛି । ମୋ ନାଁରେ ଦୀର୍ଘ ୫ବର୍ଷ ଧରି ଏକପାଖିଆ ନ୍ୟୁଜ ଗଣମାଧ୍ୟମରେ ପ୍ରସାରଣ କଲେ । ମିଛ କେସ୍‌କୁ ଜାଣିଶୁଣି ଘୋଷରା ଯାଉଛି । ସରକାରୀ କଳବଳକୁ ବିଜେଡି ବହୁମାତ୍ରାରେ ଅପବ୍ୟବହାର କରୁଛି । ବିଜେଡିର ଯେଉଁ ନେତାମାନଙ୍କ ପାଇଁ ପରିଶ୍ରମ କରିଥିଲି ସେମାନେ କେବେବି ମୋ ଅସୁବିଧାବେଳେ ସାହାଯ୍ୟର ହାତ ବଢ଼ାଇ ନାହାନ୍ତି । ମୋ ନାଁରେ ଜାମିନ ବିହୀନ ଓ୍‌ôାରେଂଟ ବାହାର କରି ବିଜେପି ପାଇଁ ଯେପରି ପ୍ରଚାର କରିପାରିବନି ନାହିଁ ତା’ର ଷଡ଼ଯନ୍ତ୍ର କରାଗଲା । ଓଡିଶାର ଜନତା ନିଷ୍ପତି ନେଇସାରିଲେଣି  ଏଥର ପରିବର୍ତନ ନିଶ୍ଚିତ ହେବ । ବିଜେପି ସରକାରରେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଓଡ଼ିଆ, ମୋ’ ମାଟି ଓଡ଼ିଶା । ମୋ ମାଟି ଜଗନ୍ନାଥ ମାଟି । ଓଡ଼ିଶାର ସ୍ୱାଭିମାନକୁ ରକ୍ଷା କରିବା, ବାହ୍ୟଶକ୍ତି ଆଗରେ ଓଡ଼ିଶାର ସ୍ୱାଭିମାନକୁ ଟେକି ଦେବା ନାହିଁ ତାହା ଆମ ସମସ୍ତଙ୍କ କର୍ତ୍ତବ୍ୟ । ବିଜେଡିର କୁକର୍ମର ଜବାବ ଭୋଟ ଜରିଆରେ ଦେବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Related story