Advertisment

୧୨ଦିନ ଅପେକ୍ଷା ପରେ ୩ଜଣଙ୍କୁ ଉପଦେଷ୍ଟା ନିଯୁକ୍ତି କଲେ ରାଜ୍ୟପାଳ

ରାଜ୍ୟପାଳ ରଘୁବର ଦାସଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଆଇଏଏସ୍ ସନ୍ତୋଷ କୁମାର ଶତପଥୀ ଓ ଅନ୍ୟ ୨ଜଣଙ୍କୁ ନିଜର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି।

author-image
Ordigital Desk
undefined

Raghubar Das

ରାଜ୍ୟପାଳ ରଘୁବର ଦାସଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଆଇଏଏସ୍ ସନ୍ତୋଷ କୁମାର ଶତପଥୀ ଓ ଅନ୍ୟ ୨ଜଣଙ୍କୁ ନିଜର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ରାଜଭବନ ପ୍ରାୟ ୧୨ଦିନ ଅପେକ୍ଷା କରିବା ପରେ ରାଜ୍ୟ ସରକାର ଏହି ନିଯୁକ୍ତି ନେଇ ସହମତି ଦେଇଥିଲେ । ଆଜି ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଜାରି ହୋଇଛି ।

Advertisment

ରାଜଭବନ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା(ଆଦିବାସୀ ଓ ସାଧାରଣ ବିଷୟ) ଭାବେ ଅବସରପ୍ରାପ୍ତ ଆଇଏଏସ୍ ସନ୍ତୋଷ କୁମାର ଶତପଥୀଙ୍କୁ ମାସିକ ୭୫ହଜାର ଟଙ୍କା ପାରିଶ୍ରମିକରେ ନିଯୁକ୍ତି ମିଳିଛି ।

ସେହିପରି ରାଜ୍ୟପାଳଙ୍କ ଉପଦେଷ୍ଟା(ଏକାଡେମିକ୍ ସଂକ୍ରାନ୍ତ) ଭାବେ ପ୍ରଫେସର ଡାକ୍ତର ଶୁକ୍ଳା ମହାନ୍ତି ମାସିକ ୫୦ହଜାର ଟଙ୍କା ପାରଶ୍ରମିକରେ ଏବଂ ରାଜ୍ୟପାଳଙ୍କ ଉପଦେଷ୍ଟା (ମିଡିଆ ଓ ଆଇଟି) ଭାବେ ସୁବ୍ରତ କୁମାର ମହାନ୍ତି ମାସିକ ୫୦ହଜାର ଟଙ୍କା ପାରିଶ୍ରମିକରେ ନିଯୁକ୍ତି ପାଇଛନ୍ତି । ଏହି ୩ଜଣ ଉପଦେଷ୍ଟାଙ୍କ ନିଯୁକ୍ତିବାବଦ ଖର୍ଚ୍ଚ ରାଜ୍ୟ ସରକାରଙ୍କ ମିସେଲିନିୟସ ଏକ୍ସପେଣ୍ଡିଚରରୁ ହେବ ।

Advertisment

ସୂଚନା ଅନୁସାରେ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଗତ ଡିସେମ୍ବର ୨୧ତାରିଖରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟପାଳ ଉପରୋକ୍ତ ୩ଜଣ ବ୍ୟକ୍ତିଙ୍କୁ ନିଜର ଉପଦେଷ୍ଟା ଭାବେ ନିଯୁକ୍ତି ଦେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ବୋଲି ଜଣାଇବା ସହ ସେମାନଙ୍କର ବାୟୋଡାଟା ମଧ୍ୟ ପଠାଇଥିଲେ । ଏ ସଂକ୍ରାନ୍ତରେ ଯଥାଶୀଘ୍ର ଆବଶ୍ୟକୀୟ ବିଜ୍ଞପ୍ତି ଜାରି ପାଇଁ ଅନୁରୋଧ କରିଥିଲେ ।

ତେବେ ରାଜ୍ୟପାଳଙ୍କ ଚିଠିର ପ୍ରାୟ ୧୨ଦିନ ପରେ ଅର୍ଥାତ୍ ୨୦୨୪ ଜାନୁୟାରୀ ୧ତାରିଖରେ ସଂସଦୀୟ ବ୍ୟାପାର ବିଭାଗ ଉପରୋକ୍ତ ବ୍ୟକ୍ତିମାନଙ୍କୁ ଉପଦେଷ୍ଟା ନିଯୁକ୍ତି କରାଯିବା ସଂକ୍ରାନ୍ତରେ ରାଜଭବନକୁ ଅବଗତ କରାଇଥିଲେ । ଯାହାକୁ ଆଧାର କରି ଆଜି ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଏହି ନିଯୁକ୍ତି ସଂକ୍ରାନ୍ତ ଅଫିସ୍ ନିର୍ଦ୍ଦେଶନାମା ଜାରି ହୋଇଛି ।
ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପ୍ରାୟ ୭୦ରୁ ଅଧିକ ଦଳୀୟ ନେତାଙ୍କୁ ଉପଦେଷ୍ଟା ଭାବେ ଥଇଥାନ କରିଥିବାବେଳେ ରାଜ୍ୟ ଶାସନର ମୁଖ୍ୟ ଖୋଦ୍ ରାଜ୍ୟପାଳଙ୍କୁ ନିଜର ଉପଦେଷ୍ଟା ନିଯୁକ୍ତି ପାଇ ୧୨ଦିନ ଅପେକ୍ଷା କରିବାକୁ ପଡ଼ୁଛି ବୋଲି ସାଧାରଣରେ ଚର୍ଚ୍ଚା ।

Ips Governor Raghubar Das