Advertisment

ବିଜେପି ସହ ସମ୍ପର୍କ ତୁଟାଇଲା ଏଆଇଏଡିଏମକେ, ସଂକଳ୍ପ ପାସ୍‌

ଦଳର ସାଂସଦ, ବିଧାୟକ ଓ ଜିଲ୍ଲା ମୁଖ୍ୟମାନଙ୍କୁ ନେଇ ଚେନ୍ନାଇ ସ୍ଥିତ ମୁଖ୍ୟାଳୟରେ ବୈଠକ ବସିଥିଲା। ଏହି ବୈଠକରେ ବିଜେପି ଓ ଏନଡିଏ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ଗୋଟିଏ ସଂକଳ୍ପ ପାରିତ ହୋଇଛି।

AIADMK

AIADMK

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା। ତାମିଲନାଡୁର ଏଆଇଏଡିଏମକେ ବିଧିବଦ୍ଧ ଭାବେ ବିଜେପି ଓ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛି।

Advertisment

ଏନଡିଏରୁ ଦଳ ବାହାରିବା ନେଇ ଗୋଟିଏ ସଂକଳ୍ପ ମଧ୍ୟ ପାରିତ କରିଛି। ଏଆଇଏଡିଏମକେର ଡେପୁଟି ସାଧାରଣ ସମ୍ପାଦକ କେପି ମୁନୁସାମୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦଳର ସାଂସଦ, ବିଧାୟକ ଓ ଜିଲ୍ଲା ମୁଖ୍ୟମାନଙ୍କୁ ନେଇ ଚେନ୍ନାଇ ସ୍ଥିତ ମୁଖ୍ୟାଳୟରେ ବୈଠକ ବସିଥିଲା। ଏହି ବୈଠକରେ ବିଜେପି ଓ ଏନଡିଏ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ଗୋଟିଏ ସଂକଳ୍ପ ପାରିତ ହୋଇଛି। ମୁନୁସାମୀ ଏହା ଘୋଷଣା କରିବା ପରେ ଦଳର କର୍ମୀମାନେ ବାଣ ଫୁଟାଇ ଏହାକୁ ସ୍ୱାଗତ କରିଥିଲେ।

Advertisment

ବିଜେପିର ତାମିଲନାଡୁ ମୁଖ୍ୟ କେ ଆନ୍ନାମଲାଇ ଏଆଇଏଡିଏମକର ପ୍ରତିଷ୍ଠାତା ଏମଜି ରାମଚନ୍ଦ୍ରନଙ୍କ ମେଣ୍ଟୋର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନାଦୁରାଇଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏହାକୁ ନେଇ ବିଜେପି ସହ ଏଆଇଏଡିଏମକେ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିଲା। ତଥାପି ଶନିବାର ଦିଲ୍ଲୀରେ ଏଆଇଏଡିଏମକେକୁ ବୁଝାଇବାକୁ ବିଜେପି ସବୁ ପ୍ରକାରର ପ୍ରୟାସ କରିଥିଲା।

କିନ୍ତୁ ଏଆଇଏଡିଏମକେ ନିଜ ଜିଦରେ ଅଟଳ ରହିବା ସହ ଆନ୍ନାମଲାଇ କ୍ଷମା ମାଗନ୍ତୁ କିମ୍ବା ତାଙ୍କ ବଦଳରେ ଜଣେ ଅଣ ବିବାଦୀୟ ନେତାଙ୍କୁ ବିଜେପି ତାମିଲନାଡୁ ମୁଖ୍ୟ କରୁ ବୋଲି ଦାବି ରଖିଥିଲା। ହେଲେ ବିଜେପି ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆ ଯାଇ ନଥିଲା। ତେଣୁ ଏବେ ଏଆଇଏଡିଏମକେ ସମ୍ପର୍କଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି।

ଆନ୍ନାମଲାଇ ଏହାପୂର୍ବରୁ ଦଳର ଚର୍ଚ୍ଚିତ ଚେହେରା ଦିବଗଂତ ଜେ ଜୟଲଳିତାଙ୍କ ବିରୋଧରେ ମତ ରଖିଥିଲେ। ସେହି ସମୟରେ ଏଆଇଏଡିଏମକେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କରିଥିଲା। ଏଥିସହ ଆନ୍ନାମଲାଇଙ୍କୁ ଏପରି ବୟାନରୁ ଦୂରେଇ ରହିବାକୁ କହିଥିଲା। ତଥାପି ଆନ୍ନାମଲାଇ ବାରମ୍ବାର ଏଆଇଏଡିଏମକେର ବରିଷ୍ଠ ନେତାଙ୍କ ବିରୋଧରେ ଅଶୋଭନୀୟ ବୟାନ ଦେଇ ଚାଲିଛନ୍ତି।

ଦକ୍ଷିଣ ଭାରତରେ ବିଜେପିର ଦବଦବା ନାହିଁ। କିନ୍ତୁ ଦଳ ଏଆଇଡିଏମକେ କାନ୍ଧରେ ବନ୍ଧୁକ ରଖି ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି। ଏପରି ସ୍ଥିତିରେ ଆନ୍ନାମଲାଇଙ୍କ ବୟାନ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ମାର୍ଚ୍ଚ ମାସରେ ଆନ୍ନାମଲାଇ ୨୦୨୪ରେ ଏଆଇଏଡିଏମକେ ସହ ମେଣ୍ଟ କରିବା ବିରୋଧରେ ମତ ରଖିଥିଲେ।

ସେପ୍ଟେମ୍ବର ୧୮ରେ ଏଆଇଏଡିଏମକେ ନେତା ଜୟକୁମାର କହିଥିଲେ, “ଆନ୍ନାମଲାଇ ଏଆଇଏଡିଏମକେ ସହ ମେଣ୍ଟ କରିବାକୁ ଚାହୁଁ ନାହାନ୍ତି। କିନ୍ତୁ ବିଜେପି କର୍ମୀମାନେ ମେଣ୍ଟ ଚାହୁଁଛନ୍ତି। ଆମ ନେତାମାନଙ୍କର ସବୁ ପ୍ରକାରର ଅପମାନକୁ କ’ଣ ଆମେ ଏମିତି ସହି ଯିବୁ? ଆମେ କାହିଁକି ଆପଣମାନଙ୍କୁ ସାଙ୍ଗରେ ନେବୁ? ବିଜେପି କେବେ ହେଲେ ଏଠାରେ ନିଜର ଉପସ୍ଥିତି ଜାହିର କରିପାରିବ ନାହିଁ। ଆପଣଙ୍କ ଭୋଟ ବ୍ୟାଙ୍କ କଥା ଆମକୁ ଜଣା। ଆମ ପାଇଁ ଆପଣମାନଙ୍କୁ ଲୋକ ଜାଣୁଛନ୍ତି। ଆମେ ଆମ ନେତାମାନଙ୍କ ଅପମାନ ଆଉ ସହ୍ୟ କରିପାରିବୁ ନାହିଁ।”

ବିଜେପି ସହ ଏଆଇଏଡିଏମକେ ୨୦୧୯ ଲୋକସଭା ଓ ୨୦୨୧ ବିଧାନସଭା ନିର୍ବାଚନ ଲଢ଼ିଥିଲା। ହେଲେ ଦୁଇଟି ଯାକ ନିର୍ବାଚନରେ ଦଳକୁ ହାରିବାକୁ ପଡ଼ିଛି।

Bjp AIADMK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe