Advertisment

ଶରଦ ପାୱାରଙ୍କୁ ପୁଣି ଝଟକା, ଅଜିତ ପାୱାରଙ୍କ ଗୋଷ୍ଠୀଙ୍କ ସପକ୍ଷରେ ରୁଲିଂ ଦେଲେ ବାଚସ୍ପତି

ଅଜିତ ପାୱାରଙ୍କ ସମେତ ଏନସିପିର ୪୧ ଜଣ ବିଧାୟକ ବିଦ୍ରୋହ ଘୋଷଣା କରି ବିଜେପି ସହ ହାତ ମିଳାଇଛନ୍ତି।

author-image
Hemant Lenka
NCP

NCP

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାରୱେକର ଶରଦ ପାୱାରଙ୍କ ଗୋଷ୍ଠୀଙ୍କୁ ବଡ଼ ଝଟକା ଦେଇଛନ୍ତି। ନିର୍ବାଚନ କମିଶନଙ୍କ ଭଳି ବାଚସ୍ପତି ରାହୁଲ ମଧ୍ୟ ଅଜିତ ପାୱାରଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଏନସିପିର ମାନ୍ୟତା ଦେଇଛନ୍ତି।

Advertisment

ଅଜିତ ପାୱାରଙ୍କ ସମେତ ଏନସିପିର ୪୧ ଜଣ ବିଧାୟକ ବିଦ୍ରୋହ ଘୋଷଣା କରି ବିଜେପି ସହ ହାତ ମିଳାଇଛନ୍ତି। ଗତବର୍ଷ ଜୁନ ମାସରୁ ଏନସିପି ଦୁଇ ଫାଳ ହୋଇଥିବା ବେଳେ ଶରଦ ପାୱାରଙ୍କ ଗୋଷ୍ଠୀ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ବାଚସ୍ପତି ରାହୁଲ ଆଜି ଉକ୍ତ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଅଜିତ ପାୱାର ଓ ତାଙ୍କ ସହ ଥିବା ବିଧାୟକମାନେ ହିଁ ପ୍ରକୃତ ଏନସିପି ବୋଲି ସେ କହିଛନ୍ତି।

ରାହୁଲ ନାରୱେକର କହିଛନ୍ତି, “ମୁଁ କହିବାକୁ ଚାହୁଁଛି ଯେ ଅଜିତ ପାୱାର ନେତୃତ୍ୱାଧୀନ ଗୋଷ୍ଠୀ ପ୍ରକୃତ ଏନସିପି। ଅଜିତ ପାୱାରଙ୍କ ପାଖରେ ୪୧ ଜଣ ବିଧାୟକ ରହିଛନ୍ତି। ଏହା ବିବାଦହୀନ। ସେମାନେ ନିଜ ଇଚ୍ଛା ଅନୁସାରେ ସବୁ କାମ କରିଛନ୍ତି। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ନାହିଁ। ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ସମସ୍ତ ଆବେଦନକୁ ଅଗ୍ରାହ୍ୟ କରାଯାଉଛି।”

Advertisment

ଫେବୃଆରୀ ୧୫ ସୁଦ୍ଧା ଅଜିତ ପାୱାର ଓ ତାଙ୍କ ସହ ଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ବାଚସ୍ପତି ଆଜି ନିଜର ରୁଲିଂ ଶୁଣାଇଛନ୍ତି।

ବିଦ୍ରୋହ ପୂର୍ବରୁ ଏନସିପିର ମୋଟ ୫୩ ଜଣ ବିଧାୟକ ଥିଲେ। ହେଲେ ଅଜିତ ପାୱାରଙ୍କ ସହ ୪୧ ଜଣ ବିଧାୟକ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଛାଡି ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ଗଠନ କରିଥିବା ସରକାରରେ ସାମିଲ ହୋଇଯାଇଛନ୍ତି। ଶରଦ ପାୱାରଙ୍କ ଗୋଷ୍ଠୀ ପାଖରେ କେବଳ ୧୨ ଜଣ ବିଧାୟକ ରହିଛନ୍ତି।

ଗତ ସପ୍ତାହରେ ନିର୍ବାଚନ କମିଶନ ମଧ୍ୟ ସମାନ ଢଙ୍ଗରେ ଅଜିତ ପାୱାରଙ୍କ ଗୋଷ୍ଠୀକୁ ରିୟଲ ଏନସିପିର ମାନ୍ୟତା ଦେବା ସହ ଦଳୀୟ ଚିହ୍ନ ଘଣ୍ଟା ମଧ୍ୟ ପ୍ରଦାନ କରିଥିଲେ। ନିର୍ବାଚନ କମିଶନ ଶରଦ ପାୱାରଙ୍କ ଗୋଷ୍ଠୀ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ କରିଛନ୍ତି। ଶରଦ ଆଣ୍ଡ କୋ ଏବେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟ ଶରଦ ଚନ୍ଦ୍ର ପାୱାର ନାଁରେ କାର୍ଯ୍ୟ କରିବ ବୋଲି ଇସି କହିଥିଲେ।

Sharad Pawar NCP Ajit Pawar