Advertisment

ବିଧାୟକଙ୍କୁ ନାଲି ଆଖି ଦେଖାଇଲେ ଅଖିଳେଶ, କହିଲେ- ଦଳରୁ ବାହାର

ସମାଜବାଦୀ ପାର୍ଟିର ୭ ଜଣ ଓ ବିଏସ୍‌ପିର ଜଣେ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Akhilesh Yadav

Akhilesh Yadav

ରାଜ୍ୟସଭା ନିର୍ବାଚନର ଭୋଟିଂକୁ ନେଇ ହାଇଡ୍ରାମା। ଉତ୍ତରପ୍ରଦେଶର ୧୦ଟି ଆସନ ପାଇଁ ଭୋଟିଂକୁ ନେଇ ଚାଲିଛି ଛକାପଞ୍ଝା। ସମାଜବାଦୀ ପାର୍ଟି ଓ ବିଜେପି ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ। ଏହାରି ଭିତରେ ବିଧାୟକଙ୍କୁ ନାଲି ଆଖି ଦେଖାଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ।

Advertisment

ସମାଜବାଦୀ ପାର୍ଟିର ୭ ଜଣ ଓ ବିଏସ୍‌ପିର ଜଣେ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି। ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ସଚେତକ ମନୋଜ ପାଣ୍ଡେ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ସପା ଅଧ୍ୟକ୍ଷ ଅଖିଳେଶ ସିଂହ ଚେତାବନୀ ଜାରି କରିଛନ୍ତି। କ୍ରସ୍‌ ଭୋଟିଂ କରିଥିବା ସମସ୍ତ ବିଧାୟକଙ୍କୁ ଦଳରୁ ବାହାର କରିଦେବାକୁ ସେ ଘୋଷଣା କରିଛନ୍ତି।

ବିଦ୍ରୋହ କରିଥିବା ସମସ୍ତ ବିଧାୟକଙ୍କୁ ଦଳରୁ ବାହାର କରିଦିଆଯିବ। ସେମାନେ ଦଳରୁ ବିଦା ହେବେ ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟି ବିଧାୟକଙ୍କୁ ଶାସକ ଦଳ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ରାଜ୍ୟସଭା ନିର୍ବାଚନରେ ଭୋଟ ହାସଲ କରିବା ପାଇଁ ବିଜେପି ସମସ୍ତ ପନ୍ଥା ଆପଣାଇଛି। ଯେଉଁମାନେ ବିଦ୍ରୋହ କରି ଯାଇଛନ୍ତି, ସେମାନଙ୍କ ପାଖରେ ସରକାରଙ୍କ ବିରୋଧରେ ଠିଆ ହେବା ପାଇଁ ସାହାସ ନଥିବ। ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଖିଳେଶ କହିଛନ୍ତି।

Advertisment

ସେପଟେ ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଆମେ ୮ଟି ଆସନରେ ଜିତୁଛି। ସମସ୍ତ ମତଦାତା ଓ ବିଧାୟକଙ୍କ ସମର୍ଥନ ଏବଂ ଆଶୀର୍ବାଦ ବିଜେପି ସହ ରହିଛି। ସେପଟେ ଜନସତ୍ତା ଦଳ ଲୋକତାନ୍ତ୍ରିକର ବିଧାୟକ ରଘୁରାଜ ପ୍ରତାପ ସିଂହ ଓରଫ ରାଜା ଭୟା ମଧ୍ୟ ବିଜେପିକୁ ସମର୍ଥନ କରିବାକୁ ସ୍ପଷ୍ଟ ଭାବେ କହିଛନ୍ତି।

ଉତ୍ତରପ୍ରଦେଶରୁ ରାଜ୍ୟସଭା ପାଇଁ ୧୦ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏଥିରୁ ବିଜେପିର ୭ ଓ ସମାଜବାଦୀ ପାର୍ଟିର ୩ ଜଣ ପ୍ରାର୍ଥୀଙ୍କ ବିଜୟ ପକ୍କା ଥିଲା। କିନ୍ତୁ ବିଜେପି ତା'ର ଅଷ୍ଟମ ପ୍ରାର୍ଥୀ ସଞ୍ଜୟ ସେଠ୍‌ଙ୍କୁ ମଇଦାନକୁ ଓହ୍ଲାଇ ଅଙ୍କ ବିଗାଡି ଦେଇଛି। ଏହାକୁ ନେଇ ଅଡୁଆ ପରିସ୍ଥିତି ଉପୁଜିଛି।  

Akhilesh Yadav Uttar Pradesh Rajya Sabha Election Samajwadi Party