UP
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ସମାଜବାଦୀ ପାର୍ଟି ବିଧାୟକ ପୂଜା ପାଲଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଛି। ସ୍ୱାମୀଙ୍କ ହତ୍ୟାକାଣ୍ଡରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ନ୍ୟାୟ ଦେଇଥିବା ପୂଜା ଦାବି କରି ସରକାରଙ୍କ ଅପରାଧଙ୍କ ବିରୋଧରେ ଶୂନ ସହନଶୀଳତା ନୀତିକୁ ପ୍ରଶଂସା କରିଥିଲେ। ଏଥିପାଇଁ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ତାଙ୍କୁ ଦଳରୁ ବାହାର କରି ଦେଇଛନ୍ତି।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି ଯେ ପୂଜାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଓ ଗୁରୁତର ବିଶୃଙ୍ଖଳା ପାଇଁ ତତ୍କାଳ ଭାବେ ଦଳରୁ ବହିଷ୍କାର କରାଯାଉଛି। ପୂର୍ବ ପରାମର୍ଶ ସତ୍ତ୍ୱେ ସେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି। ଏଥିପାଇଁ ତାଙ୍କୁ ସପାର ସମସ୍ତ ପଦପଦବୀରୁ ହଟାଇ ଦିଆଯାଇଛି। ସେ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ କିମ୍ବା ତାଙ୍କୁ ଭବିଷ୍ୟତରେ ନିମନ୍ତ୍ରଣ କରାଯିବ ନାହିଁ ବୋଲି ଅଖିଲେଶଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
୨୦୦୫ରେ ପୂଜାଙ୍କ ସ୍ୱାମୀ ରାଜୁ ପାଲଙ୍କୁ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଗୁଳି ମାରି ହତ୍ୟା କରିଥିଲେ। ପୂଜାଙ୍କୁ ବାହା ହେବାର କିଛି ଦିନ ପରେ ବିଏସ୍ପିର ପୂର୍ବତନ ବିଧାୟକ ରାଜୁଙ୍କୁ ହତ୍ୟା କରାଯାଇଥିଲା। ଅତିକଙ୍କ ଭାଇ ଅଶରଫଙ୍କ ସହ ରାଜୁଙ୍କ ରାଜନୀତିକ ବିବାଦ ରହିଥିଲା। ୨୦୦୪ ପ୍ରୟାଗରାଜ ପଶ୍ଚିମ ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ରାଜୁ ବିଜୟୀ ହୋଇଥିଲେ। ଅଶରଫ ହାରି ଯିବାରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ମଧ୍ୟ ୨୦୨୩ ଫେବୃଆରୀରେ ହତ୍ୟା କରାଯାଇଥିଲା।
ଏହାର କିଛି ଦିନ ପରେ ଜେଲରେ ଥିବା ଅତିକ ଓ ଅଶରଫଙ୍କୁ ପ୍ରୟାଗରାଜରେ ମେଡିକାଲ ଚେକଅପ ପାଇଁ ନିଆଯାଇଥିଲା। ଏହି ସମୟରେ ୩ ଜଣ ଯୁବକ କ୍ୟାମେରା ସାମ୍ନାରେ ଅହମଦ ଭ୍ରାତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହିପରି ଅତିକଙ୍କ ପୁଅ ଅସାଦଙ୍କୁ ମଧ୍ୟ ଝାନସୀରେ ପୁଲିସ ଏନକାଉଣ୍ଟର କରି ମାରିଥିଲା।
ଏହି ସବୁ ଘଟଣା ପରେ ପୂଜର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥଙ୍କୁ ପ୍ରଶଂସା କରିଥିଲା। ସେ ଗୁରୁବାର କହିଥିଲେ ଯେ “ମୋ ସ୍ୱାମୀଙ୍କୁ କିଏ ମାରିଥିଲା, ସେକଥା ସମସ୍ତେ ଜାଣିଛନ୍ତି। ମୋତେ ନ୍ୟାୟ ଆଣି ଦେଇଥିବରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। କାରଣ ମୋ କଥା କେହି ଶୁଣି ନଥିବା ବେଳେ ମୁଖ୍ୟମନ୍ତ୍ରୀ ଶୁଣିଥିଲେ। ପ୍ରୟାଗରାଜରେ ମୋ ଭଳି ଅନେକ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେଇଛନ୍ତି।
ସେ ଅପରାଧୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଆପଣାଇ ଥିବାରୁ ଅତିକ ଅହମଦ ଭଳି ଲୋକର ମୃତ୍ୟୁ ହୋଇଛି। ଏବେ ପୂରା ରାଜ୍ୟ ତାଙ୍କୁ ବିଶ୍ୱାସର ସହ ଚାହିଁଛି। ମୋ ସ୍ୱାମୀଙ୍କ ହତ୍ୟାକାରୀ ଅତିକ ଅହମଦକୁ ମୁଖ୍ୟମନ୍ତ୍ରୀ ମାଟିରେ ମିଶାଇ ଦେଲେ। ଅତିକ ଭଳି ଅପରାଧୀ ବିରୋଧରେ କେହି ଲଢ଼ିବାକୁ ଚାହୁଁ ନଥିବା ବେଳେ ମୁଁ ସ୍ୱର ଉଠାଇଥିଲି। ମୁଁ ଏହି ଲଢ଼େଇରେ ହତାଶ ଅନୁଭବ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋତେ ନ୍ୟାୟ ଦେଇଥିଲେ। ”
ବାସ୍ ଏହାପରେ ଅଖିଲେଶ ଯାଦବ ପୂଜାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳରୁ ବହିଷ୍କୃତ ହେବା ପରେ ପୂଜା କହିଛନ୍ତି, “ସମ୍ଭବତଃ ଆପଣ ମୋଠାରୁ ଅଧିକ ଚିନ୍ତାରେ ଥିବା ପ୍ରୟାଗରାଜର ମହିଳାଙ୍କ ସ୍ୱର ଶୁଣି ନଥିବେ। କିନ୍ତୁ ମୁଁ ସେମାନଙ୍କ ସ୍ୱର। ମୁଁ ଏକଥା ପ୍ରଥମ ଦିନରୁ କହି ଆସୁଛି। ଦଳରେ ଥିବା ବେଳେ ମୁଁ ଏକଥା କହୁଥିଲି। ଏବେ ବି ମୋ ବୟାନ ମୁଁ କାଏମ ରହିଛି। ମୁଁ ପରବର୍ତ୍ତୀ ଅବସ୍ଥାରେ ବିଧାୟକ ହୋଇଥିଲି। ହେଲେ ପ୍ରଥମେ ମୁଁ ଜଣେ ପୀଡ଼ିତା, ପତ୍ନୀ। ସେମାନେ(ସପା) ପିଡିଏ କଥା କହୁଛନ୍ତି।
ମୁଁ ମଧ୍ୟ ପଛୁଆ ବର୍ଗରୁ ଆସିଛି। ମୁଁ ସମସ୍ୟାରେ ଥିଲି। ମୋ ସ୍ୱାମୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯିବା ପରେ ମୁଁ ଘରୁ ଗୋଡ଼ କାଢ଼ିଥିଲି। ମୁଁ ନବ ବିବାହିତ ଥିଲି ଓ ଘରେ କେହି ନଥିଲେ। ଏବେ ସେମାନେ ସଂପୂର୍ଣ୍ଣ ଭାବେ ପିଡିଏ ବିରୋଧୀ ବୋଲି ପ୍ରମାଣ କରିଦେଲେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/UP_1755168875.jpg)