Advertisment

ଅଗ୍ନିପଥ ଯୋଜନାକୁ ନେଇ ସଂସଦରେ ଅଖିଲେଶ-ଅନୁରାଗ କଥା କଟାକଟି

ଅଗ୍ନିପଥ ଯୋଜନାକୁ ନେଇ ଦୁଇଟି ବରିଷ୍ଠ ନେତା ସଂସଦରେ ମୁହାଁମୁହିଁ ହୋଇଛନ୍ତି।

author-image
Hemant Lenka
Akhilesh

Akhilesh

ଲୋକସଭାରେ ବଜେଟକୁ ନେଇ ଆଲୋଚନା ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ଦେଖିବାକୁ ମିଳିଛି। ଅଗ୍ନିପଥ ଯୋଜନାକୁ ନେଇ ଦୁଇଟି ବରିଷ୍ଠ ନେତା ସଂସଦରେ ମୁହାଁମୁହିଁ ହୋଇଛନ୍ତି।

Advertisment

ଉତ୍ତର ପ୍ରଦେଶର କନୌଜରୁ ଜିତିଥିବା ଅଖିଲେଶ ଯାଦବ କହିଥିଲେ, “ଏହା ଏକ ନିରାଶାଜନକ ବଜେଟ। କିନ୍ତୁ ସରକାରରେ ଥିବା ଲୋକମାନେ ଏହାକୁ ପ୍ରଶଂସା କରୁଛନ୍ତି। ବେକାରୀ, ଯୁବଗୋଷ୍ଠୀ ଓ ଗାଁ ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ। ଯେଉଁମାନଙ୍କର ପରିବାର ଅଛି, ସେମାନେ ଜାଣିଛନ୍ତି ଘର ଚଳାଇବା କେତେ କଷ୍ଟ। ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ବୟସ୍କଙ୍କ ଚିକିତ୍ସା କରାଇବାକୁ ସେମାନେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।”

ଉତ୍ତର ପ୍ରଦେଶ ଉପରେ ଫୋକସ କରି ଅଖିଲେଶ କହିଛନ୍ତି, “ଆପଣମାନେ ମେକ ଇନ ଇଣ୍ଡିଆ ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଉତ୍ତର ପ୍ରଦେଶରୁ ଆମେ ପ୍ରଧାନମନ୍ତ୍ରୀ ପାଇଥିଲେ ହେଁ ରାଜ୍ୟକୁ କୌଣସି ବଡ଼ ପ୍ରକଳ୍ପ ମିଳିନାହିଁ।

Advertisment

କ’ଣ ଆମେ ଆଇଆଇଏମ କିମ୍ବା ଆଇଆଇଟି ପାଇଛୁ? କେଉଁ କେନ୍ଦ୍ରୀୟ ପ୍ରତିଷ୍ଠାନ ଉତ୍ତର ପ୍ରଦେଶରେ ପ୍ରତିଷ୍ଠା ହୋଇଛି? ସମାଜବାଦୀ ପାର୍ଟି ସରକାର ଥିବା ବେଳେ ରାଏବରେଲୀ ଓ ଗୋରଖପୁରରେ ୨ଟି ଏମ୍ସ ପାଇଁ ଜମି ଦେଇଥିଲା। କ’ଣ ସେଠାରେ ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଛି?”

ଗତ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହାକୁ ପ୍ରସଙ୍ଗ କରି ଅଖିଲେଶ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆପଣମାନେ କେତେ କାମ କରିଛନ୍ତି, ସେକଥା ୟୁପି ରେଜଲ୍ଟରୁ ଦେଖିବାକୁ ମିଳିଛି। ଯଦି ଆପଣ ଭଲ କାମ କରିଛନ୍ତି, ତା’ହେଲେ ରେଜଲ୍ଟ ଏମିତି ହୋଇଥାଆନ୍ତା?”

ଏହାପରେ ସେ ୱାସିମ ବାରେଲଭିଙ୍କ ଗୋଟିଏ ଶାୟରି ପଢ଼ିଥିଲେ। ଝାରଖଣ୍ଡରେ ହୋଇଥିବା ଟ୍ରେନ ଲାଇନଚ୍ୟୁତ ଘଟଣାକୁ ଉଠାଇ ଅଖିଲେଶ କହିଛନ୍ତି, “ଏ ସରକାର କ୍ଷମତାକୁ ଆସିବା ପରେ ରେଲ ଦୁର୍ଘଟଣା ଓ ପେପର ଲିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।”

ସେନା ବାହିନୀରେ ୪ ବର୍ଷିଆ ନିଯୁକ୍ତି ସ୍କିମ ଅଗ୍ନିପଥ ଯୋଜନା ସମ୍ପର୍କରେ ଅଖିଲେଶ କହିଛନ୍ତି, “କୌଣସି ଯୁବଗୋଷ୍ଠୀ ସେନା ବାହିନୀରେ ଭର୍ତ୍ତି ହେକାକୁ ଅଭ୍ୟାସ କରୁନାହାନ୍ତି। ଏହି ଯୋଜନା ଯେତେବେଳେ ଆସିଲା ପ୍ରଖ୍ୟାତ ଶିଳ୍ପପତିମାନଙ୍କୁ ଏହା ଠାରୁ ଭଲ ଚାକିରି କିଛି ନାହିଁ ବୋଲି କହି ଟ୍ୱିଟ କରିବାକୁ କୁହାଯାଇଥିଲା। ୪ ବର୍ଷର ଚାକିରି ଶେଷ ହେବା ପରେ ସେମାନଙ୍କୁ (ଅଗ୍ନିବୀର) ଶିଳ୍ପପତିମାନେ ନିଯୁକ୍ତି ଦେବେ ବୋଲି କୁହାଗଲା। କିନ୍ତୁ ସରକାର ଜାଣିଛନ୍ତି ଯେ ଏହା ଭଲ ଯୋଜନା ନୁହେଁ। ଖାସ ଏହି କାରଣ ପାଇଁ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଉଛି।”

ଏହାକୁ ଅନୁରାଗ ଠାକୁର ବିରୋଧ କରିବାରୁ ତାଙ୍କୁ ମଧ୍ୟ କଡ଼ା ଭାଷାରେ କଟାକ୍ଷ କରିଥିଲେ ଅଖିଲେଶ। ଅଗ୍ନିପଥ ଗୋଟିଏ ଭଲ ଯୋଜନା ବୋଲି ଅନୁରାଗ କୁହନ୍ତୁ ବୋଲି ଅଖିଲେଶ ଆହ୍ୱାନ ଦେଇଥିଲେ।

ଏହାର ଜବାବରେ ଅନୁରାଗ ଠାକୁର କହିଥିଲେ, “ମୁଁ ହିମାଚଳ ପ୍ରଦେଶରୁ ଆସିଛି। ଏହି ରାଜ୍ୟ ଦେଶକୁ ପ୍ରଥମ ପରମ ବୀର ଚକ୍ରଧାରୀଙ୍କୁ ଦେଇଛି। ସହିଦ ସୋମନାଥ ଶର୍ମା ଏହା ପାଇଛନ୍ତି। ଅନେକ କାର୍ଗିଲ ସହିଦ ହିମାଚଳ ପ୍ରଦେଶର।

ନରେନ୍ଦ୍ର ମୋଦି ସରକାର ହିଁ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ୱାନ ରାଙ୍କ ୱାନ ପେନସନ ବ୍ୟବସ୍ଥା ଲାଗୁ କରିଥିଲେ। ମୁଁ ଏଠାରେ କହିବାକୁ ଚାହୁଁଛି ଯେ ଅଗ୍ନିବୀରଙ୍କ ପାଇଁ ୧୦୦% ନିଯୁକ୍ତି ଗ୍ୟାରେଣ୍ଟୀ ରହିଛି।”

ଏହାପରେ ଅଖିଲେଶ ଯାଦବ କହିଥିଲେ, “ଯଦି ଏମିତି କଥା, ତା’ହେଲେ ରାଜ୍ୟ ସରକାରମାନଙ୍କୁ ଅଗ୍ନିବୀରଙ୍କ ପାଇଁ କାହିଁକି ସଂରକ୍ଷଣ ବ୍ୟବସ୍ଥା କରିବାକୁ ପଡ଼ୁଛି? ମୁଁ ଗୋଟିଏ ମିଲିଟାରୀ ସ୍କୁଲକୁ ଯାଇଥିଲି। ଆମେ ମଧ୍ୟ ପରମ ବୀର ଚକ୍ରର ଗଣତି କରିପାରିବୁ।”

ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଠାକୁର ନିଜ ଆସନରେ ଛିଡ଼ା ହୋଇଥିଲେ ଓ କହିଥିଲେ, “ସେ(ଅଖିଲେଶ) ଏବେ ଏବେ ମିଲିଟାରୀ ସ୍କୁଲକୁ ଯାଇଛନ୍ତି। ମୁଁ ଟେରିଟୋରିଆଲ ଆର୍ମି କ୍ୟାପ୍ଟେନ ଭାବେ କାମ କରି ସାରିଛି। ଦୟା କରି ମୋତେ ଜ୍ଞାନ ଦିଅନ୍ତୁ ନାହିଁ।”

ଏହାକୁ କଟାକ୍ଷ କରି ଅଖିଲେଶ କହିଥିଲେ “ସମ୍ଭବତଃ ସେ ଏଥର ମନ୍ତ୍ରୀ ପଦ ପାଇ ନଥିବାରୁ ଏପରି ରାଗୁଛନ୍ତି। ମୁଁ ତାଙ୍କ ମୁହଁରୁ ଯନ୍ତ୍ରଣା ପଢ଼ି ପାରୁଛି।”

Akhilesh Yadav Lok Sabha Anurag Thakur