
ବିଜେଡିରେ ଚାଲିଥିବା ଇସ୍ତଫା ପର୍ବ ଓ ତୀବ୍ର ଗୋଷ୍ଠୀକନ୍ଦଳ ମଧ୍ୟରେ ଦଳର ନିଲମ୍ବିତ ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ପୁଣିଥରେ ମୁହଁ ଖୋଲିଛନ୍ତି। ଆଲେକ୍ସାଣ୍ଡାରଙ୍କ ମୃତ୍ୟୁ କାହାଣୀ କହି ବୁଲେଇବଙ୍କେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ଷମତା ମୋହ ତ୍ୟାଗ କରି ଦଳର ନେତୃତ୍ୱ ହସ୍ତାନ୍ତର ନିମନ୍ତେ ତେରେଚ୍ଛା ବାଣ ମାରିଛନ୍ତି।
ଯେଉଁ ନେତାମାନେ ସମ୍ମାନର ସହ ବିଦାୟ ନେବା ପରିବର୍ତ୍ତେ ପଦବୀକୁ ଜାବୁଡ଼ି ଧରି ବସନ୍ତି, ସେମାନଙ୍କୁ ସମାଜ ଶେଷରେ ଜଣେ ସ୍ୱାର୍ଥପର କ୍ଷମତାଲୋଭୀ ଭାବେ ମନେରଖେ ବୋଲି କହି ଶ୍ରୀମୟୀ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛନ୍ତି । ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତା ପାଇଁ ନବୀନ ସାଂଗଠନିକସ୍ତରରେ ନିଷ୍କ୍ରିୟ ରହିବା ଓ ଦଳରେ ନେତୃତ୍ୱର ସଙ୍କଟ ଭିତରେ ଶ୍ରୀମୟୀଙ୍କ ଏହି ବୟାନ ରାଜନୀତିକସ୍ତରରେ ବେଶ୍ ଗୁରୁତ୍ୱ ବହନ କରୁଥିବା ଜଣାପଡ଼ିଛି।
ଆଲେକ୍ସାଣ୍ଡାର ଉପାଖ୍ୟାନ, ନବୀନଙ୍କୁ ତେରେଚ୍ଛା ବାଣ
ନିଜ ସୋସିଆଲ ମିଡିଆରେ ଜଣେ ଦାର୍ଶନିକଙ୍କ ଦ୍ୱାରା ଆଲେକ୍ସାଣ୍ଡାରଙ୍କ ମୃତ୍ୟୁ ସମୟର କାହାଣୀର ଉଦାହରଣ ଦେଇ ଶ୍ରୀମୟୀ ବୁଲେଇବଙ୍କେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତେରେଚ୍ଛା ବାଣ ମାରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି ଯେ, ଆଲେକ୍ସଜାଣ୍ଡାର ଦି ଗ୍ରେଟ୍ ତାଙ୍କ ମୃତ୍ୟୁ ପୂର୍ବରୁ ୩ଟି ଶେଷ ଇଚ୍ଛା ପୂରଣ ପାଇଁ ତାଙ୍କ ସେନାପତିମାନଙ୍କୁ ଆଦେଶ ଦେଇଥିଲେ । ପ୍ରଥମ ଇଚ୍ଛା-ଡାକ୍ତରମାନେ ହିଁ ତାଙ୍କ କଫିନ୍ ବୋହିବେ, ଯାହାକି ମୃତ୍ୟୁ ଆଗରେ ସବୁ ଚିକିତ୍ସା ବିଫଳ ବୋଲି ଦର୍ଶାଇବ। ଦ୍ୱିତୀୟ-କଫିନ୍ ଯେଉଁ ରାସ୍ତାରେ ଯିବ ସେହି ମାର୍ଗରେ ତାଙ୍କର ସଂଚିତ ସବୁ ଧନସମ୍ପଦ ବିଛାଇ ଦିଆଯିବ। ଯାହାକି ଯେତେ ଧନଅର୍ଜନ କଲେ ତାହା ସବୁ ମାଟିରେ ହିଁ ରହିଯିବର ସନ୍ଦେଶ ଦେବ। ଶେଷଇଚ୍ଛା ଥିଲା, କଫିନ ବାହାରେ ତାଙ୍କର ଦୁଇ ହାତ ଝୁଲିରହିବ, ଯାହାକି ଖାଲି ହାତରେ ଆସିବା ଓ ଫେରିଯିବାକୁ ଦର୍ଶାଉଛି ।
ଏହି ଉପାଖ୍ୟାନ କହି ବିଜେଡିରେ ନେତୃତ୍ୱ ପରିବର୍ତ୍ତନ ଓ ହସ୍ତାନ୍ତରକୁ ନେଇ ଚାଲିଥିବା ଟଣାଓଟରାକୁ ଶ୍ରୀମୟୀ ଅଧିକ ସରଗରମ କରାଇଛନ୍ତି। ଶ୍ରୀମୟୀ ଲେଖିଛନ୍ତି ଯେ, ପ୍ରକୃତ ମହାନତା କୌଣସି ପଦବୀକୁ ଅନ୍ତିମ ସମୟ ଯାଏଁ ଧରି ରଖିବାରେ ନାହିଁ, ବରଂ ତ୍ୟାଗ ଓ ମାର୍ଗଦର୍ଶନ ଦେଇ ସମ୍ମାନର ସହ ବିଦାୟ ନେବାରେ ଥାଏ । ଯେଉଁମାନେ ନିଜଠୁ ଆରମ୍ଭ ଓ ଶେଷ ବୋଲି ଧରିନେଇଥାନ୍ତି, ସେମାନଙ୍କ ପ୍ରତି ଲୋକଙ୍କ ମନରେ ସମ୍ମାନ ଅପେକ୍ଷା କ୍ଷୋଭ ଓ ବିରକ୍ତି ହିଁ ଅଧିକ ରହିଥାଏ। ଏପରି ବ୍ୟକ୍ତିମାନେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସମାଜ ସେମାନଙ୍କୁ ଶେଷରେ ଜଣେ ସ୍ୱାର୍ଥପର କ୍ଷମତାଲୋଭୀ ଭାବେ ମନେରଖେ।।
ସେନାପତି ଶୂନ୍ୟ ଶଙ୍ଖ ବାହିନୀ: କୁଆଡ଼େ଼ ଗଲେ ପାଣ୍ଡିଆନ,ସୁଜାତା ଓ ବବି?
ନବୀନଙ୍କ ସାଂଗଠନିକ କାର୍ଯ୍ୟ ପାଇଁ ଅନାଗ୍ରହ ମଧ୍ୟରେ ଦଳରେ ଇସ୍ତଫା ପର୍ବ ଲାଗି ରହିଛି। ଦଳୀୟ ପରିଚାଳନା ପାଇଁ ସେକେଣ୍ଡ ଇନ୍ କମାଣ୍ଡ(ନବୀନଙ୍କ ପରେ ଦ୍ୱିତୀୟ ନେତା) କେହି ନଥିବା ତଥା ଦଳ କାହାରିକୁ ଏଥିନିମନ୍ତେ କ୍ଷମତା ଦେଇନଥିବାରୁ ବିଜେଡି ଏବେ ନେତୃତ୍ୱହୀନ ଭାବେ ପରିଚାଳନା ହେଉଥିବା ଚର୍ଚ୍ଚା। ବିଜେଡିକୁ ନିୟନ୍ତ୍ରଣ କରି ଆସୁଥିବା ଭିକେ ପାଣ୍ଡିଆନ ଏବେ ଦୀର୍ଘଦିନ ଧରି ନବୀନ ନିବାସ ଆସୁନଥିବାବେଳେ ତାଙ୍କ ପତ୍ନୀ ସୁଜାତା ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବି ମଧ୍ୟ ସମ୍ମୁଖକୁ ଆସୁନାହାନ୍ତି। ଯଦିଓ ପାଣ୍ଡିଆନ ଦଳକୁ ଭର୍ଚୁଆଲ ମୋଡରେ ପରିଚାଳନା କରୁଥିବା ଚର୍ଚ୍ଚା ହେଉଛି।
ମାତ୍ର ଦଳରେ ଦ୍ୱିତୀୟ ସର୍ବେସର୍ବାଙ୍କ ପ୍ରତ୍ୟକ୍ଷ ଆବଶ୍ୟକତା ଥିବାବେଳେ ବିଜେଡି କାହିଁକି କାହାରିକୁ ଆଗକୁ ଆଣୁନି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନବୀନ ସବୁବେଳେ ଉପଲବ୍ଧ ନଥିବାବେଳେ ତାଙ୍କ ପରିବର୍ତ୍ତେ ପଂଚାୟତ ଓ ପୌର ନିର୍ବାଚନ ପରିଚାଳନା ନିଷ୍ପତ୍ତି କିଏ ନେବ ତାକୁ ନେଇ ଦଳରେ ଅନିଶ୍ଚିତତା ବଢ଼ିବାରେ ଲାଗିଛି। ବବି ଏବେ କୋରେଇ ନିର୍ବାଚନମଣ୍ଡଳୀ ମଧ୍ୟରେ ନିଜକୁ ସୀମିତ ରଖିଥିବାବେଳେ ସୁଜାତାଙ୍କ ରାଜନୀତିକ ଏଂଟ୍ରି ଉପରେ ସାମୟିକ ବ୍ରେକ୍ ଲାଗିଥିବା ଚର୍ଚ୍ଚା ହେଉଛି ।
ସନ୍ତୃପ୍ତ ଆକ୍ଟିଭ, ଶ୍ରୀମୟୀ ଦେଇଥିଲେ ସଙ୍କେତ
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନିଜର ପୁରୁଖା ଓ ଅଭିଜ୍ଞ ନେତାମାନଙ୍କ ପରିବର୍ତ୍ତେ ପାଣ୍ଡିଆନଙ୍କ ଖାସ୍ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିବ ବୋଲି ବହୁ ପୂର୍ବରୁ ଶ୍ରୀମୟୀ ସଙ୍କେତ ଦେଇଥିଲେ। ରାଜ୍ୟସଭା ପାଇଁ ଡିଲ୍ ହୋଇସାରିଥିବା ଓ ‘ବସ କଣ୍ଡକ୍ଟର’ କହି ସେ ସୋସିଆଲ ମିଡିଆରେ କଟାକ୍ଷ ମଧ୍ୟ କରିଥିଲେ। ବିଗତ ଦେଢ଼ମାସ ଧରି ସନ୍ତୃପ୍ତ ଯେଉଁଭଳି ଢଙ୍ଗରେ ବିଜେଡିରେ ଅଚାନକ ସକ୍ରିୟ ହୋଇଛନ୍ତି, ତାହା ଶ୍ରୀମୟୀଙ୍କ କଥାକୁ ସତ ବୋଲି ପ୍ରମାଣିତ କରୁଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି।
ଉପକୂଳରେ ଭୁଶୁଡ଼ୁଛି ବିଜେଡି ଗଡ଼
ବିରିଡି ଓ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବିଜେଡିର ଶତାଧିକ ଆଗଧାଡ଼ିର ନେତା-କର୍ମୀ ଆନୁଷ୍ଠାନିକ ଭାବେ ଗତକାଲି ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଇସ୍ତଫା ପର୍ବ ଜାରି ରହିଥିବାବେଳେ ସଂଗଠନକୁ ସଜାଡ଼ିବା ପାଇଁ କେହି ଆଗକୁ ନଆସିବା ଓ କର୍ମୀମାନେ ହତାଶ ହୋଇ ଦଳ ଛାଡ଼ିଥିବାବେଳେ ଶ୍ରୀମୟୀଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ଏବେ ଅସନ୍ତୁଷ୍ଟ ନେତାଙ୍କ ପାଇଁ ଏକ ଅସ୍ତ୍ର ସାଜିଛି । "ଖାଲି ହାତରେ ଆସିଛ, ଖାଲି ହାତରେ ଯିବ’ କହି ସେ ପରୋକ୍ଷରେ BJD Naveen Patnaikଙ୍କୁ ସମ୍ମାନର ସହ ମାଗର୍ଦର୍ଶକ ସାଜି ବିଦାୟ ନେବା ଉଚିତ୍ ବୋଲି ସତର୍କ କରାଇ ଦେଇଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
