Advertisment

ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: କଂଗ୍ରେସରୁ କେହି ଆସିଲେନି, ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ସତ୍ତ୍ୱେ ଯୋଗଦେଲେନି ନବୀନ

କଂଗ୍ରେସ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି କହିଲେ ତାରା ପ୍ରସାଦ ବାହିନୀପତି।

author-image
Jitendra Garnayak
CM and ExCM

CM and ExCM

ଆସନ୍ତାକାଲିଠୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ। ତା’ ପୂର୍ବରୁ ଆଜି ସରିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। ସେହିପରି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ।

Advertisment

ମୁଖ୍ୟମନ୍ତ୍ରୀ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ତେବେ ନବୀନ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନଥିଲେ। ସେହିଭଳି ଆଜିର ସର୍ବଦଳୀୟ ବୈଠକରେ କଂଗ୍ରେସ ଦଳରୁ କେହି ଯୋଗ ଦେଇ ନଥିଲେ।

ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ଏତେ ପୁରୁଣା ଦଳ, କିନ୍ତୁ ନେତା ବାଛି ପାରୁନାହିଁ କଂଗ୍ରେସ। ଏହାକୁ ନେଇ କାହାକୁ କ’ଣ ଦାୟୀ କରିବି। ମୁଁ ନିଜକୁ ଦାୟୀ କରିବି। ମୋତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି। ସେ କହିଥିଲେ ଯେ ତାଙ୍କୁ କିଛି ନିର୍ଦ୍ଦେଶ ଆସିନି। କଂଗ୍ରେସ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନ ପାରିବା ଦୁର୍ଭାଗ୍ୟଜନକ।

Advertisment

ଅନ୍ୟପକ୍ଷରେ ଅନ୍ୟତମ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି, ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଔପଚାରିକ ଚିଠି ଆସିନି। ଠିକ୍‌ ସମୟରେ ବିଧାୟକ ଦଳ ନେତା ଚୟନ ହେବ। ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ବିଧାୟକ ଦଳ ନେତା ଚୟନ ହୋଇଯିବ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କଂଗ୍ରେସ ନେତା ବାଛି ନ ଥିବାରୁ ପିସିସି ସଭାପତିଙ୍କ ସହ କଥା ହୋଇଥିଲି। ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ଫୋନ୍‌ରେ କଥା ହୋଇଥିଲି। ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି। ବିରୋଧୀଦଳ ମୁଖ୍ୟ ସଚେତକ ଗଠନମୂଳକ ସହଯୋଗ କରିବେ ବୋଲି କହିଛନ୍ତି।

ଆସନ୍ତାକାଲି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ।

Naveen Patnaik All Party Meeting Odisha Budget CM Mohan Charan Majhi