/odisha-reporter/media/post_attachments/uploadimage/library/16_9/16_9_0/IMAGE_1734495457.jpg)
loka seva bhawan
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବେଗ, ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା, ଅର୍ଥ ସଚିବ ଓ ମୁଖ୍ୟ ସଚିବଙ୍କ ଚେତାବନୀ ସତ୍ତ୍ୱେ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ଖୁଲମଖୁଲା ନିଜର ମନମୁଖୀ କାରବାର ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଆଉଟସୋର୍ସିଂ, ପିଏମୟୁ, ଟିଏସୟୁ ଆଦି ଆଳରେ ବେଧଡ଼କ ବାହାର ଘରୋଇ ସଂସ୍ଥାଗୁଡ଼ିକୁ କୋଟିକୋଟି ଟଙ୍କାର କାର୍ଯ୍ୟାଦେଶ ଟେକି ଦେବାରେ ଲାଗିଛନ୍ତି । ଏହା ନାକେବଳ ରାଜକୋଷ ଉପରେ ଅଯଥା ବୋଝ ବୃଦ୍ଧି କରୁଛି ବରଂ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ଓ ସରକାରୀ ଚାକିରିରେ ଥିବା ଯୋଗ୍ୟ ଅଫିସର ଓ କର୍ମଚାରୀମାନଙ୍କ ଦକ୍ଷତା ତଥା ମନୋବଳ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପୂର୍ବରୁ ସାଢ଼େ ୧୦କୋଟି ଟଙ୍କାର ଡିଲ୍ ଚୂଡ଼ାନ୍ତ
ମୁଖ୍ୟ ସଚିବ ମନୋଜ ଆହୁଜା ଗତକାଲି(ଜୁଲାଇ ୩୧)ରେ ଏକ ନିର୍ଦ୍ଦେଶନାମା ଜାରି କରିବାର ଠିକ୍ ଦିନକ ପୂର୍ବରୁ ରାଜ୍ୟ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାତୀୟ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମିଶନ(ଏନୟୁପିଏଏମ) ପାଇଁ ମେସର୍ସ ଗ୍ରାଂଟ ଥୋର୍ଣ୍ଣଟନ୍ ଇଣ୍ଡିଆ ଏଲଏଲପିକୁ ବାର୍ଷିକ ୧୦.୫୩ କୋଟି (ଜିଏସଟିକୁ ବାଦ୍ ଦେଇ) ଟଙ୍କାର ମାନବସମ୍ବଳ ନିଯୁକ୍ତି ଆଉଟସୋର୍ସିଂରେ ଟେକି ଦିଆଯାଇଛି । ଏହି ସଂସ୍ଥା ରାଜ୍ୟର ବିଭିନ୍ନ ପୌରସଂସ୍ଥାରେ ମୋଟ ୧୨୭ଜଣ ପ୍ରଫେସନାଲଙ୍କୁ ନିଯୁକ୍ତି ଦେବ । ତେବେ ରାଜ୍ୟ ସରକାରଙ୍କ ପାଖରେ ନିଜସ୍ୱ କର୍ମଚାରୀ ଓ ଦକ୍ଷ ମାନବ ସମ୍ବଳ ଥିବା ସତ୍ତ୍ୱେ ଏହି ସଂସ୍ଥାକୁ କାହିଁକି ସାଢ଼େ ୧୦କୋଟି ଟଙ୍କା ବ୍ୟୟରେ ମାନବ ସମ୍ବଳ ନିଯୁକ୍ତି କାର୍ଯ୍ୟ ଟେକି ଦିଆଯାଇଛି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଯଦିଓ ଏଭଳି ଆଉଟସୋର୍ସିଂ ପାଇଁ ଅର୍ଥ ବିଭାଗର ଅନୁମତି ବାଧ୍ୟତାମୂଳକ ବୋଲି ୨୦୨୫ ଜୁଲାଇ ୨୪ରେ ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା । ୨୦୨୪ ସେପ୍ଟେମ୍ବର ୧୨ତାରିଖରେ ସାଧାରଣ ପ୍ରଶାସନ ବିଭାଗର ସଂକଳ୍ପପତ୍ର ଓ ୨୦୨୫ ଫେବୃୟାରୀ ୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦବେଗ ସତ୍ତ୍ୱେ ଏତେ ଟଙ୍କା ବ୍ୟୟରେ ଆଉଟସୋର୍ସିଂ ପାଇଁ କିଭଳି ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜୁଲାଇ ୩୧ତାରିଖରେ ମୁଖ୍ୟ ସଚିବ ଶ୍ରୀ ଆହୁଜା ବିଭିନ୍ନ ବିଭାଗ ମନଇଚ୍ଛା କନ୍ସଲଟାଂଟ ଓ ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟ, ଟିଏମୟୁ ଆଦି ଆଉଟସୋର୍ସିଂ କରୁଥିବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ଆଉଟସୋର୍ସିଂ କାରଣରୁ ସରକାରୀ କର୍ମଚାରୀମାନଙ୍କ ଦକ୍ଷତାର ପୂର୍ଣ୍ଣ ଉପଯୋଗ ହୋଇପାରୁନାହିଁ ବୋଲି କହିବା ସହ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ଯାହାର ବିନା ଅନୁମୋଦନରେ କୌଣସି ଉପଦେଷ୍ଟା,ପିଏମୟୁ ଓ ଟିଏମୟୁ ଆଦିକୁ ଦରମା ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ବିଭାଗଗୁଡ଼ିକୁ ଯଦି ଏଭଳି ଆଉଟସୋର୍ସିଂର ଆବଶ୍ୟକତା ପଡ଼େ ତା’ହେଲେ ସେମାନେ ଉପଯୁକ୍ତ ଫର୍ମାଟରେ ଅର୍ଥ ବିଭାଗକୁ ଜଣାଇବେ ଆଉ ଉକ୍ତ ପ୍ରସ୍ତାବ ଉପରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି ନିଷ୍ପତ୍ତି ନେବ । ୨୦୨୬ ଏପ୍ରିଲ ୧ ପରେ ମୁଖ୍ୟ ସଚିବଙ୍କ କମିଟିର ବିନା ଅନୁମୋଦନରେ କୌଣସି ଆଉଟସୋର୍ସିଂ ନିଯୁକ୍ତି ଦିଆଯାଇଥିଲେ ସେମାନଙ୍କୁ ଦରମା ପ୍ରଦାନ କରାଯିବ ନାହିଁ ବୋଲି ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି ।
ଆଉଟସୋର୍ସିଂ ଓ ପୁନଃନିଯୁକ୍ତି ମୋହ ଛାଡ଼ିପାରୁନାହାନ୍ତି ବିଭାଗ
ସାଧାରଣ ପ୍ରଶାସନ ବିଭାଗର ୨୦୨୪ ସେପ୍ଟେମ୍ବର ୧୨ ତାରିଖର ସଂକଳ୍ପପତ୍ରକୁ ଖୋଲା ଉଲ୍ଲଘଂନ ଓ ଅର୍ଥ ବିଭାଗର ନିର୍ଦ୍ଦେଶନାମାକୁ ବେଖାତିର କରି ବିଭାଗଗୁଡ଼ିକ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପିଏମୟୁ ନିଯୁକ୍ତି, ଅବସରପ୍ରାପ୍ତଙ୍କୁ ପୁନଃନିଯୁକ୍ତି ଓ ଘରୋଇ ସଂସ୍ଥାଗୁଡ଼ିକୁ ନିଜର ଉପଦେଷ୍ଟା ଭାବେ ନିଯୁକ୍ତି ଦେବାର ମୋହ ଛାଡ଼ିପାରୁନଥିବା ଜଣାପଡ଼ିଛି । ସରକାରୀ ଚାକିରିରୁ ଅବସର ନେବାପରେ ଚନ୍ଦ୍ରଶେଖର ପାଢ଼ୀଙ୍କୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ପଦବୀରେ ପୁନଃନିଯୁକ୍ତି ଦିଆଯାଇଛି । ରାଜ୍ୟର ମୋହନ ମାଝୀ ସରକାର ନିଜେ ପୁନଃ ନିଯୁକ୍ତି ଉପରେ କଟକଣା ଜାରି କରିଥିବାବେଳେ ଶ୍ରୀ ପାଢ଼ୀ ପୁଣିଥରେ କିଭଳି ପୁନଃଥଇଥାନ ହେଲେ ଓ ତାଙ୍କ ବିନା କ’ଣ ଜଳସମ୍ପଦ ବିଭାଗ ପରିଚାଳିତ ହୋଇପାରିବ ନାହିଁ ନା ବିଭାଗରେ ଆଉ କେହି ଦକ୍ଷ ଅଫିସର ନାହାନ୍ତି, ଏଭଳି ପ୍ରଶ୍ନ ସାଧାରଣରେ ଉଙ୍କିମାରିଛି ।
ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ୨୦୨୫ ଜୁଲାଇ ୨୪ତାରିଖରେ ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟ(ପିଏମୟୁ) ଟେଣ୍ଡର ଜାରି କରିଛି । ପଂଚାୟତିରାଜ ବିଭାଗ ଅଧୀନରେ ଥିବା ‘ଓରମାସ’ ମଧ୍ୟ ନିଜର ପ୍ରଚାରପ୍ରସାର ଓ ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ‘ମିଡିଆ କନ୍ସଲଟାଂଟ ଏଜେନ୍ସୀ’ ନିଯୁକ୍ତି କରିବା ନିମନ୍ତେ ଟେଣ୍ଡର ଜାରି କରିଛି । ସେହିପରି ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ‘ସହରାଂଚଳ ବିକାଶ ଏଜେନ୍ସୀ-ସୁଡ଼ା) ୨୦୨୫ ଜୁଲାଇ ୨୪ତାରିଖରେ ଓଡ଼ିଶା ସହରାଂଚଳ ବିକାଶ ଟାସ୍କଫୋର୍ସ ନିମନ୍ତେ ଏକ ‘ଏକଜ୍ୟୁକେସନ ପାର୍ଟନର’ ଚୟନ ନିମନ୍ତେ ଟେଣ୍ଡର ଡାକିଛି ।
ସରକାରଙ୍କ ନିର୍ଦ୍ଦେଶ ଓ ତାଗିଦ୍ ସତ୍ତ୍ୱେ ବିଭାଗଗୁଡ଼ିକ ଏଭଳି ମନମୁଖୀ କାରବାର ଜାରି ରଖିଥିବାରୁ ଏଭଳି ସମସ୍ତ ନିଯୁକ୍ତିକୁ ତୁରନ୍ତ ରଦ୍ଦ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଯଦି ଘରୋଇ ଉପଦେଷ୍ଟା ଓ ପିଏମୟୁର ଆବଶ୍ୟକତା ଥିଲେ ତାକୁ ଅର୍ଥ ବିଭାଗ କିମ୍ବା ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ କଲେ ଆଉ ବିଭାଗଗୁଡ଼ିକ ନିଜର ପ୍ରିୟାପ୍ରୀତି ତୋଷଣ କରିପାରିବେ ନାହିଁ କିମ୍ବା ଟେଣ୍ଡରର ଗଳାବାଟର ଫାଇଦା ଉଠାଇପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
