
BJD Ex MP Amar Patnaik joined BJP
ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ମଧ୍ୟରେ ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ଭୁବନେଶ୍ୱରରେ ଅମର ବିଜେପିରେ ମିଶିବା ବିଜେଡି ପାଇଁ ଏକ ଶକ୍ତଝଟକା ହୋଇଛି । ଅମର ଦୁଇ ତିନିଦିନ ମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ନୂଆପଡ଼ା ଯିବେ ।
ବିଜେପିରେ ସାମିଲ ହେଲେ ଅମର ପଟ୍ଟନାୟକ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ସମେତ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଦଳର ରାଜ୍ୟ ସଭାପତି ଶ୍ରୀ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ଦଳରେ ସ୍ୱାଗତ କରି କହିଥିଲେ ଯେ, ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ାରେ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଅମର ବାବୁ ମଧ୍ୟ ନୂଆପଡ଼ାରେ ଦଳ ପାଇଁ ପ୍ରଚାର କରିବେ । ବିଜେଡି ଭିତରର ରାଜନୀତିକ ଶ୍ୱାସରୁଦ୍ଧ ବାତାବରଣରୁ ଅମରବାବୁ ମୁକ୍ତ ହୋଇଛନ୍ତି ବୋଲି ଶ୍ରୀ ମାଝୀ କହିଥିଲେ ।
ସେହିପରି ଶ୍ରୀ ପଟ୍ଟନାୟକ ମଧ୍ୟ ବିଜେପିରେ ଯୋଗ ଦେଇ ସେ ନିଜକୁ ଗୌରବାନ୍ୱିତ ମନେ କରୁଥିବା କହିବା ସହ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟ ସରକାରଙ୍କ ପ୍ରୟାସ ଯୋଗୁଁ ଆଜି ନକ୍ସଲବାଦର ଅନ୍ତ ହେବାକୁ ବସିଛି । ତାଙ୍କୁ ଦଳ ଯେଉଁ କାମରେ ନିୟୋଜିତ କରିବ, ସେ ତାହା ସଂପାଦନ କରିବେ ବୋଲି ସଙ୍କଳ୍ପ ନେଇଥିବା କହିଛନ୍ତି ।
ପରେ ଏକ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ (Amar Patnaik) ସେ କହିଛନ୍ତି ଯେ, ଓଡ଼ିଶାର ସେବା କରିବା ପାଇଁ ଚାକିରିରୁ ଆଗୁଆ ଅବସର ନେଇ ୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲି । ବିଜେଡି ସୁଯୋଗ ଦେଇଥିଲା । ରାଜ୍ୟସଭା ସଦସ୍ୟ ଭାବେ ସୁଯୋଗ ମିଳିଲା ଓ ଲୋକଙ୍କ ସମସ୍ୟା ସେଠାରେ ଉତଥାପନ କରିଛି । ମାତ୍ର ଆଜି ମୋ ଜୀବନର ରାଜନୈତିକ କ୍ୟାରିୟରରେ ଏକ ‘ଲାଇଫ୍ ଚେଞ୍ଜିଂ ମୁହୂର୍ତ୍ତ' ଆସିଛି । ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଖୋଜୁଥିଲି । ଗତ କିଛିଦିନ ଧରି ବିଜେପିରେ ମିଶିବା ଅପେକ୍ଷାରେ ଥିଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ପାଇଁ ଭାବନା ଏବଂ ବିଶ୍ୱରେ ଭାରତର ପରିଚୟ ସୃଷ୍ଟି କରିବାର ଭିଜନ ଦ୍ୱାରା ମୁଁ ଅନୁପ୍ରାଣିତ ହୋଇଛି । ୨୦୪୭ ବେଳକୁ ନୂଆ ଭାରତ ଗଠନ ବେଳେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଭିଜନ ତିଆରି କରିଛନ୍ତି, ତାକୁ ସଫଳ କରିବାକୁ ହେବ । ବିଜେପି ଛଡ଼ା ଅନ୍ୟ କୌଣସି ଦଳର ରାଷ୍ଟ୍ର ନିର୍ମାଣରେ ସେପରି ଭୂମିକା ନାହିଁ ବୋଲି ମୁଁ ଅନୁଭବ କରିଥିଲି, ସେଥିପାଇଁ ବିଜେପିରେ ଯୋଗଦେଲି । ତେବେ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମ୍ମାନ ଏବେ ବି ବଳବତ୍ତର ରହିଛି ବୋଲି ଅମର କହିଛନ୍ତି ।
ଚାପ ପକାଇ ମିଶାଇଛନ୍ତି, ଫରକ ପଡ଼ିବନି:ବିଜେଡି
ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ପରେ ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ଚିରାଚରିତ ଢଙ୍ଗରେ କଡ଼ା ଭାଷାରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛି ବିଜେଡି । ଦଳର ଦୁଇ ମୁଖପାତ୍ର ଲେନିନ୍ ମହାନ୍ତି ଓ ସୁଲତା ଦେଓ କହିଛନ୍ତି ଯେ, ନୂଆପଡ଼ାରେ ନବୀନଙ୍କ ପ୍ରତି ସମର୍ଥନ ଦେଖି ଈର୍ଷାନ୍ୱିତ ହୋଇ ସମାନ ସମୟରେ ଏହି ମିଶ୍ରଣ ପର୍ବ କରାଇଛି । ଅମର ପଟ୍ଟନାୟକ ଚାପରେ ବିଜେପିରେ ସାମିଲ ହୋଇଛନ୍ତି । ସେ ତାଙ୍କର ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକ ରହିଛି । ଓଡ଼ିଶା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେ ମନେ ରଖିବା ଉଚିତ । ଅମର ପଟ୍ଟନାୟକ ପ୍ରତିଦିନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିଲେ । କିନ୍ତୁ ଏବେ ରାଷ୍ଟ୍ର ନିର୍ମାଣ କଥା କହୁଛନ୍ତି । ହଠାତ ତାଙ୍କର ମନ ପରିବର୍ତ୍ତନ କାହିଁକି ହେଲା ସେକଥା ଅମର ପଟ୍ଟନାୟକ କୁହନ୍ତୁ । ସେହିପରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଅମର ପଟ୍ଟନାୟକ କିଏ? ତାଙ୍କ ନିର୍ବାଚନ ମଣ୍ଡଳୀ କେଉଁଠି? କେତେଟା ଲୋକ ତାଙ୍କ ସହିତ ଅଛନ୍ତି? ସିଏ ଗଲେ କିଛି ଫରକ ପଡ଼ିବନି । ଉପନିର୍ବାଚନ ସମୟରେ ବିଜେପି ଏମିତି କରୁଛି କିନ୍ତୁ କିଛି ପ୍ରଭାବ ପଡ଼ିବନି । ବିଜେଡି ଉପନିର୍ବାଚନ(nuapada byelection)ରେ ଜିତିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
