Advertisment

ଅମରଙ୍କ କଥାକୁ ଭରସା କରି ପାରିବେ କି ବର୍ଷା?

ଅମର କହିଛନ୍ତି, ମୋ’ ଟିକେଟ କଟିବା ଘଟଣା ବଡ଼ଚଣାର ଦଳୀୟ ନେତା ଓ କର୍ମୀଙ୍କୁ ଘୋର ଆଘାତ ଦେଇଛି। ଟିକେଟ୍ କାହିଁକି କଟିଲା ଜାଣିନି କିନ୍ତୁ ଲୋକଙ୍କ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନେବି ।

author-image
Niharika Rout
ଅଦ୍ୟତନ ହୋଇଛି
Amar Satpathy & Barsha Priyadarshini

Amar Satpathy & Barsha Priyadarshini

୬ ଥରର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାଟି ବିଜେଡି ଏଥର ବର୍ଷା ପ୍ରିୟଦର୍ଶୀନିଙ୍କୁ ବଡ଼ଚଣା ଆସନରୁ ଛିଡ଼ା କରିଛି। ଏହାକୁ ନେଇ ଅମର ଶତପଥୀଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତାକୁ ପ୍ରଶମିତ କରିବାକୁ ପ୍ରୟାସ ଆରମ୍ଭ କରିଛି ଦଳ।

Advertisment

ଅନ୍ୟପକ୍ଷରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରତିକ୍ରିୟା । ପ୍ରଥମେ ବର୍ଷାଙ୍କ ପ୍ରାର୍ଥୀତ୍ୱକୁ କଡ଼ା ବିରୋଧ କରୁଥିବା ଅମର ଶତପଥୀ ଏବେ ନିଜେ ଆଉ ନିର୍ବାଚନ ଲଢ଼ିବେନି ବୋଲି କହିଲେଣି।

ଅମର ଶତପଥୀ କହିଛନ୍ତି, ମୋତେ ଅନ୍ୟ ଦଳରୁ ଅଫର ଆସୁଥିବା ବେଳେ ସ୍ୱାଧୀନ ଭାବେ ଲଢ଼ିବାକୁ ବି ଶୁଭେଚ୍ଛୁମାନେ ପରାମର୍ଶ ଦେଉଛନ୍ତି। କିନ୍ତୁ ମୁଁ ବିଜେଡିରେ ଅଛି ଓ ରହିବି । ମାତ୍ର ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବିନି ବୋଲି ସ୍ଥିର କରିଛି। ବଡ଼ଚଣା ସହ ମୋ’ ସମ୍ପର୍କ କଟିନି। ବଡ଼ଚଣାବାସୀଙ୍କ ସହ ମୋର ଭାବାତ୍ମକ, ପାରିବାରିକ ସମ୍ପର୍କ ରହିଛି। ମୁଁ କ୍ରମାଗତ ଭାବେ ୬ ଥର ବିଧାୟକ ହୋଇଛି। କାହାକୁ ପ୍ରାର୍ଥୀ କରିବେ ତାହା ଦଳ ସଭାପତିଙ୍କ ଇଚ୍ଛା। ମୋର କିଛି ଆଶା ନାହିଁ। ତେଣୁ ମୁଁ ଆଉ ଏଥର ଛିଡ଼ା ନ ହେବାକୁ ମନ ସ୍ଥିର କରିଛି। 

Advertisment

ତାଙ୍କର ଏହି ପ୍ରତିକ୍ରିୟା ଆସିବା ପରେ ବର୍ଷାଙ୍କ ପାଇଁ ରାସ୍ତା ପରିଷ୍କାର ହୋଇଯିବ ବୋଲି ରାଜନୀତି ବିଶାରଦମାନେ ଭାବୁଥିବା ବେଳେ ତାଙ୍କର ଆଉ ଏକ ମନ୍ତବ୍ୟ କିନ୍ତୁ ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

କାରଣ ଅମର ଆହୁରି କହିଛନ୍ତି, ମୋ’ ଟିକେଟ କଟିବା ଘଟଣା ବଡ଼ଚଣାର ଦଳୀୟ ନେତା ଓ କର୍ମୀଙ୍କୁ ଘୋର ଆଘାତ ଦେଇଛି। ଟିକେଟ୍ କାହିଁକି କଟିଲା ଜାଣିନି, କିନ୍ତୁ ଲୋକଙ୍କ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନେବି ।  ତେଣୁ ଅମର କାହା ପରାମର୍ଶରେ ପରେ କ’ଣ ପଦକ୍ଷେପ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବର୍ଷାଙ୍କୁ ମଇଦାନକୁ ଓହ୍ଲାଇବା ପୂର୍ବରୁ ସବୁ ଗୋଷ୍ଠୀଙ୍କ ସମର୍ଥନ ହାସଲ ନିମନ୍ତେ ଆଜି ଶଙ୍ଖ ଭବନରେ ବସିଥିଲା ବୈଠକ । ଏହି ବୈଠକରେ ବର୍ଷାଙ୍କ ସମେତ ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ସମର୍ଥକ, ରାଜ ନାରାୟଣ ମହାପାତ୍ରଙ୍କୁ ଡାକି ଆଲୋଚନା ହୋଇଛି। ତା’ସହ ଯାଜପୁର ସାଂସଦ, ଜିଲ୍ଲା ପର୍ଯ୍ୟବେକ୍ଷକ ବି ଏହି ବୈଠକରେ ଉପସ୍ଥିତ ଥିଲେ। ତେବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଏହି ବୈଠକରେ ଦେଖିବାକୁ ମିଳି ନ ଥିଲା।

ବର୍ଷାଙ୍କ ପ୍ରାର୍ଥିତ୍ୱ ଘୋଷଣା ହେବା ପରେ ଅମରଙ୍କ ସମେତ ତାଙ୍କ ସମର୍ଥକଙ୍କୁ ଶକ୍ତ ଆଘାତ ଲାଗିଛି। ଅମର ଶତପଥୀଙ୍କ ସମର୍ଥକ ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ଖୋଲିଖୋଲି ବିରୋଧ କରି ଆସୁଛନ୍ତି। ତେବେ ଆଜିର ବୈଠକରେ ଏହି ବିବାଦକୁ ସମାଧାନ କରି ବର୍ଷାଙ୍କୁ ଯେପରି ସବୁ ଗୋଷ୍ଠୀ ଗ୍ରହଣ କରିବେ ସେ ଦିଗରେ ଚେଷ୍ଟା ଆରମ୍ଭ ହୋଇଛି।

ମାତ୍ର କିଛି ଦିନ ପୂର୍ବେ ବିଜେଡିରେ ଯୋଗ ଦେଇଥିବା ବର୍ଷାଙ୍କୁ ଦଳ ବଡ଼ଚଣା ବିଧାନସଭା ଆସନ ଟିକେଟ ଦେଇଛି। ଫଳରେ ୬ ଥରର ବିଧାୟକ ତଥା ବରିଷ୍ଠ ନେତା ଅମର ଶତପଥୀଙ୍କୁ ଅଣଦେଖା କରିଛି ଦଳ। ଏହାକୁ ଅମରଙ୍କ ସମର୍ଥକ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ବର୍ଷା କିପରି ବଡ଼ଚଣାରେ ନିର୍ବାଚନୀ ବୈତରଣୀ ପାର କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର। 

BjD Varsha Priyadarshini