Advertisment

ଅନାସ୍ଥା ପ୍ରସ୍ତାବ: ମଣିପୁର ହିଂସା ପାଇଁ ହାଇକୋର୍ଟଙ୍କୁ ଦାୟୀ କଲେ ଅମିତ ଶାହ

ବିରୋଧୀ ମଣିପୁର ହିଂସା ପ୍ରସଙ୍ଗରେ ସରକାରଙ୍କ ବିପଫଳତାକୁ ଦାୟୀ କରୁଥିବା ବେଳେ ଅମିତ ଶାହ ଆଜି ଏହାକୁ କାଉଣ୍ଟର କରିଛନ୍ତି। ମଣିପୁର ଜଳିବା ପଛରେ ସେ ମଣିପୁର ହାଇକୋର୍ଟ ଦେଇଥିବା ରାୟକୁ ଦାୟୀ କରିଛନ୍ତି।

author-image
Hemant Lenka
amit shah

amit shah

ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରାୟ ୨ ଘଣ୍ଟା ଭାଷଣ ଦେଇଛନ୍ତି। ସେ ସରକାରଙ୍କ ସଫଳତା ବଖାଣିବା ସହ କଶ୍ମୀର ଠାରୁ ଆରମ୍ଭ କରି କରୋନା ଯାଏ ସବୁ ପ୍ରସଙ୍ଗରେ ସରକାର ନେଇଥିବା ନିଷ୍ପତ୍ତିଗୁଡ଼ିକ ଗୃହକୁ ଅବଗତ କରାଇଛନ୍ତି। ସେ ବିରୋଧୀଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି।

Advertisment

ବିରୋଧୀ ମଣିପୁର ହିଂସା ପ୍ରସଙ୍ଗରେ ସରକାରଙ୍କ ବିପଫଳତାକୁ ଦାୟୀ କରୁଥିବା ବେଳେ ଅମିତ ଶାହ ଆଜି ଏହାକୁ କାଉଣ୍ଟର କରିଛନ୍ତି। ମଣିପୁର ଜଳିବା ପଛରେ ସେ ମଣିପୁର ହାଇକୋର୍ଟ ଦେଇଥିବା ରାୟକୁ ଦାୟୀ କରିଛନ୍ତି।

ଏପ୍ରିଲ ମାସରେ ମୈତୈ ସଂପ୍ରଦାୟର ଲୋକଙ୍କୁ ହଠାତ୍‌ ହାଇକୋର୍ଟ ଆଦିବାସୀ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଷ୍ପତ୍ତି ହିଁ ମଣିପୁରରେ ସୃଷ୍ଟି ହୋଇଥିବା ହିଂସାକୁ ବ୍ୟାପକ କରିଥିଲା। ପାହାଡ଼ ଉପରେ ରହୁଥିବା କୁକି ସଂପ୍ରଦାୟର ଲୋକମାନେ ଏହାକୁ ବିରୋଧ କରିବାରୁ ଭୟଙ୍କର ହିଂସା ଘଟିଥିବା ସେ କହିଛନ୍ତି।

Advertisment

ଅମିତ ଶାହ କହିଛନ୍ତି, ମଣିପୁରରେ ହିଂସାର ତାଣ୍ଡବ ହୋଇଛି। ଆମେ ଗଭୀର ଭାବେ ମର୍ମାହତ। ମଣିପୁରରେ ଯାହା ହୋଇଛି ଲଜ୍ଜାଜନକ। କିନ୍ତୁ ମଣିପୁର ଘଟଣାକୁ ନେଇ ରାଜନୀତି କରିବା ଅତ୍ୟନ୍ତ ଲଜ୍ଜାଜନକ। ଗୁଜବକୁ ନେଇ କୁକି ଓ ମୈତୈ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହେଲା।

ଏହା ଏକ ପରିସ୍ଥିତି ଜନିତ ଘଟଣା। ଏହାକୁ ରାଜନୀତି ରଙ୍ଗ ଦିଆନଯାଉ। ପରିସ୍ଥିତି ସ୍ୱାଭାବିକ ପାଇଁ ମୁଖ୍ୟ ସଚିବ ଓ ଡିଜିପିଙ୍କୁ ବଦଳା ଯାଇଛି। ମଣିପୁର ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସହ ମିଶି କାମ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହଯୋଗ କରିଥିବାରୁ ଧାରା ୩୫୬ ଲଗାଇବା ଆବଶ୍ୟକ ପଡ଼ିନି। ମଣିପୁର ହିଂସାରେ ଏଯାବତ ୧୫୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ହିଂସା ଧୀରେଧୀରେ କମୁଛି। ହିଂସାରେ ତେଲ ଢଳାନଯାଉ। ହିଂସା ଘଟଣାରେ ୧୪, ୯୯୮ ଲୋକଙ୍କୁ ଗିରଫ କରାଯାଇଛି। ଯେଉଁ ଭିଡିଓ ଆସିଛି(ମହିଳାଙ୍କୁ ଉଲଗ୍ନ), ତାହା ମେ’ ୪ ତାରିଖ ହିଂସାର ଘଟଣା। ଯାହା ୨ ମହିଳାଙ୍କ ସହ ଘଟିଛି, ତାକୁ ସଭ୍ୟ ସମାଜ ଗ୍ରହଣ କରିବନି। ଉକ୍ତ ଭିଡିଓ ପୁଲିସକୁ ଦେଇଥିଲେ, ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥାନ୍ତା।

ଭିଡିଓ ପୁଲିସକୁ ନଦେଇ ଅଧିବେଶନ ପୂର୍ବରୁ ଛାଡ଼ି ଦିଆଗଲା। ଘଟଣା ପରେ ମୁଁ ୩ ଦିନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ୨୩ ଦିନ ସେଠି ରହିଛୁ। ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଜଜ୍‌ ତଦନ୍ତ କରୁଛନ୍ତି। ହିଂସା କମୁଛି। ଖୁବ୍‌ ଶୀଘ୍ର ମଣିପୁରରେ ଶାନ୍ତି ଫେରିଆସିବ। ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ।

ଭ୍ରାନ୍ତି ସୃଷ୍ଟି କରାଯାଉଛି ଯେ ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା ଚାହୁନି। ହେଲେ ଆଜି ଭ୍ରାନ୍ତି ଦୂର କରିବାକୁ ଚାହୁଁଛୁ। ପ୍ରଥମ ଦିନରୁ ଆମେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଥିଲୁ। ଗୃହ ମନ୍ତ୍ରୀଙ୍କୁ ପକ୍ଷ ରଖିବାକୁ ନ ଦେବା କି ପ୍ରକାର ଗଣତନ୍ତ୍ର? ଆମକୁ ଚୁପ୍‌ କରିପାରିବନି। କାରଣ ୧୩୦ କୋଟି ଲୋକ ଆମକୁ ଜିତାଇଛନ୍ତି ବୋଲି ଶାହ କହିଛନ୍ତି।

ରାହୁଲ ଗାନ୍ଧିଙ୍କ ମଣିପୁର ଗସ୍ତ ପ୍ରସଙ୍ଗରେ ମଧ୍ୟ ଅମିତ ଶାହ ମତ ରଖିଛନ୍ତି। ସେ କହିଛନ୍ତି, “ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଆଁରେ ତେଲ ଢାଳିବା କାମ ନ କରନ୍ତୁ। ରାହୁଲ ଗାନ୍ଧି ମଣିପୁର ଯାଇ ରାଜନୀତି କରିଛନ୍ତି।

ଆମେ ରାହୁଲ ଗାନ୍ଧିଙ୍କୁ ହେଲିକପ୍ଟର ଯୋଗେ ହିଂସା କ୍ଷତିଗ୍ରସ୍ତ ଚୂରଚାନ୍ଦପୁର ଯିବାକୁ କହିଥିଲୁ। କିନ୍ତୁ ସେ ସଡ଼କ ପଥରେ ଯିବାକୁ ଜିଦ କରିଥିଲେ। ଫଳରେ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ଏହାପରେ ସେ ପୁଣି ହେଲିକପ୍ଟରରେ ଯାଇଥିଲେ।”

ଅମିତ ଶାହ ଅଭିଯୋଗ କରିଛନ୍ତି ଯେ ବିରୋଧୀ କେବେ ହେଲେ ଆଲୋଚନା କରିବାକୁ ଚାହୁଁନାହାନ୍ତି। ତେଣୁ ସେମାନେ ହଟ୍ଟଗୋଳ ସୃଷ୍ଟି କରୁଛନ୍ତି। ଏଥିସହ ସେ ପୂରା ଲୋକସଭା ତରଫରୁ ମଣିପୁରର ଦୁଇ ସଂପ୍ରଦାୟର ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି।

Amit Shah Manipur Violence Parliament No Confidence Motion