Advertisment

ଆଟାକିଂ ମୁଡ୍‌ରେ ଶାହ; କହିଲେ- ଓଡ଼ିଶାରେ ଚାଲିଛି ‘ଥୈଲାବାଲା’ ସରକାର

‘ନରେନ୍ଦ୍ର ମୋଦି ୧୨ କୋଟି ଗରିବଙ୍କ ଘରକୁ ଶୌଚାଳୟ ଦେଇଛନ୍ତି। ମାଆ ଓ ଭଉଣୀଙ୍କୁ ସମ୍ମାନ ଦେବାର କାମ କରିଛନ୍ତି। ୪ କୋଟି ଗରିବଙ୍କୁ ଘର ଦେଇଛନ୍ତି। ୧୦ କୋଟି ଗରିବଙ୍କୁ ଉଜ୍ଜ୍ୱଳା ଗ୍ୟାସ ଦେଇଛନ୍ତି। ୧୪ କୋଟି ଗରିବଙ୍କ ଘରକୁ ପାଇପ୍‌ ପାଣି ଯୋଗାଇଛନ୍ତି।’

ଅଦ୍ୟତନ ହୋଇଛି
BJP

Amit

Advertisment

ଆଟାକିଂ ମୋଡ୍‌ରେ ବିଜେପିର ଦ୍ୱିତୀୟ ଫାୟାର ବ୍ରାଣ୍ଡ ନେତା ଅମିତ ଶାହ। ଗଞ୍ଜାମର ସୋରଡ଼ାରେ ସଭାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି କଡ଼ା ସମାଲୋଚନା। ଆଉ କହିଛନ୍ତି, କେନ୍ଦ୍ରରେ ଚାଉଳ ବାଲା ସରକାର ଚାଲିଥିବା ବେଳେ ଓଡ଼ିଶାରେ ‘ଥୈଲାବାଲା’ ସରକାର ଚାଲିଛି। ପ୍ରତି ଗରିବଙ୍କୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଉଥିବା ଚାଉଳକୁ ଥୈଲା ବା ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି ନବୀନ ପଟ୍ଟନାୟକ। ଆଉ କହୁଛନ୍ତି ଏହି ଚାଉଳ ମୁଁ ଦେଉଛି ବୋଲି ନବୀନ କହୁଥିବା ଅମିତ ଶାହ କହିଛନ୍ତି।

Advertisment

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିଲେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ। ସୋରଡ଼ାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ଯେତେବେଳେ ପୂରା ଦେଶ ରାମ ଉତ୍ସବ ପାଳନ କରୁଥିଲା, ସେତେବେଳେ ନବୀନ ପଟ୍ଟନାୟକ ସରକାର ରାମ ଜନ୍ମଭୂମୀ ମହୋତ୍ସବରେ ସାମିଲ୍‌ ହେବାକୁ ଅନୁମତି ଦେଲେନାହିଁ। ମୁଁ ଆଜି ନବୀନ ବାବୁଙ୍କୁ ପଚାରିବାକୁ ଚାହୁଁଛି, ଯିଏ ରାମ ଉତ୍ସବକୁ ଅଟକାଉଛି, ତାଙ୍କୁ ଓଡ଼ିଶାର ଜନତା କେବେ କ୍ଷମା ଦେବେନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶକୁ ସୁରକ୍ଷିତ କରିଛନ୍ତି। ପୂରା ଦେଶ ନକ୍ସଲବାଦରେ ଗ୍ରସ୍ତ ଥିଲା। ୧୦ ବର୍ଷରେ ମୋଦିଜୀ ନକ୍ସଲବାଦ ଓ ଆତଙ୍କବାଦକୁ ଖତମକରି ଦେଶକୁ ସୁରକ୍ଷିତ କରିଛନ୍ତି।

କଂଗ୍ରେସ ସରକାରକୁ ଟାର୍ଗେଟ କରି ଶାହ କହିଛନ୍ତି, କଂଗ୍ରେସର ସରକାର ଥିଲା ବେଳେ ପ୍ରତିଦିନ ବୋମା ବିସ୍ଫୋରଣ ହେଉଥିଲା। ପାକିସ୍ତାନରୁ ଆସି ବୋମା ବିସ୍ଫୋରଣ କରି ଚାଲି ଯାଉଥିଲେ। ମୋଦି ସରକାର ଆସିବା ପରେ ପୁଲୱମା ଓ ଓରୀରେ ବିସ୍ଫୋରଣ ହୋଇଥିଲା। ହେଲେ ମୋଦିଜୀ ସର୍ଜିକାଲ ଏୟାର ଷ୍ଟ୍ରାଇକ୍‌ କରି ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା। ମୋଦି ସରକାରଙ୍କ ୧୦ ବର୍ଷରେ ଓଡ଼ିଶା ସମେତ ଝାରଖଣ୍ଡ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଚାଲିଥିବା ନକ୍ସଲବାଦ ଖତମ ହୋଇଛି ବୋଲି ଶାହ କହିଛନ୍ତି।

Advertisment

ସେ କହିଛନ୍ତି, ଓଡ଼ିଶାର ଗରିବଙ୍କୁ ମୋଦିଜୀଙ୍କ ସରକାର ପ୍ରତି ମାସରେ ପ୍ରତି ବ୍ୟକ୍ତିକୁ ୫ କେଜି ଲେଖାଏଁ ଚାଉଳ ଦେଉଛନ୍ତି। ହେଲେ ନବୀନ ବାବୁ ସେହି ଚାଉଳକୁ ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି। ଆଉ କହୁଛନ୍ତି, ଏହି ଚାଉଳ ମୁଁ ଦେଉଛି। ଆରେ ନବୀନ ବାବୁ ଯଦି ଚାଉଳ ଦେବାର ଅଛି, ତାହାହେଲେ ସେହି ଥଳିରେ ଆଉ ଅଢ଼େଇ କିଲୋ ଚାଉଳ ପୂରାଇ ଦେଇଥିଲେ ଗରିବଙ୍କ ଭଲ ହୋଇଥାଆନ୍ତା। ଏଥିରୁ ଜଣାପଡ଼ୁଛି କେନ୍ଦ୍ରରେ ଚାଉଳ ବାଲା ସରକାର ଚାଲିଥିବା ବେଳେ ନବୀନ ବାବୁ ‘ଥୈଲାବାଲା’(ଥଳି) ସରକାର ଚଳାଉଛନ୍ତି। ହେଲେ ଏଥର କିନ୍ତୁ ନବୀନ ବାବୁ ଆସିବାର ନାହିଁ। ଓଡ଼ିଆ ଲୋକ ତାଙ୍କୁ ଟାଟା, ବାଏ ବାଏ କରିଦେଲେଣି। ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ। ଏଠି ବିଜେପିର ମୁଖ୍ୟମନ୍ତ୍ରୀ ଆସିବାକୁ ଯାଉଛି ବୋଲି ଅମିତ ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି, ନରେନ୍ଦ୍ର ମୋଦି ୧୨ କୋଟି ଗରିବଙ୍କ ଘରକୁ ଶୌଚାଳୟ ଦେଇଛନ୍ତି। ମାଆ ଓ ଭଉଣୀଙ୍କୁ ସମ୍ମାନ ଦେବାର କାମ କରିଛନ୍ତି। ୪ କୋଟି ଗରିବଙ୍କୁ ଘର ଦେଇଛନ୍ତି। ୧୦ କୋଟି ଗରିବଙ୍କୁ ଉଜ୍ଜ୍ୱଳା ଗ୍ୟାସ ଦେଇଛନ୍ତି। ୧୪ କୋଟି ଗରିବଙ୍କ ଘରକୁ ପାଇପ୍‌ ପାଣି ଯୋଗାଇଛନ୍ତି। ୫୦ କୋଟି ଗରିବଙ୍କୁ ଆୟଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି। କିନ୍ତୁ ଓଡ଼ିଶାକୁ ଆୟଷ୍ମାନ ଭାରତ ଲାଭ ମିଳୁନି। ତେବେ ମୁଁ ଆସିକାବାସୀଙ୍କୁ ପଚାରିବାକୁ ଚାହୁଁଛି, ଓଡ଼ିଶାର ଗରିବଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ପାଇବା ଦରକାର କି ନାହିଁ? କିନ୍ତୁ ନବୀନବାବୁଙ୍କୁ ଲାଗୁଛି ଆୟୁଷ୍ମାନ ଭାରତ ଆଗରେ ତାଙ୍କର ଲୋକପ୍ରିୟତା ଖତମ ହୋଇଯିବ। ତେଣୁ ଏହି ଯୋଜନାକୁ ଲାଗୁ କରିବାକୁ ଦେଉନାହାନ୍ତି। ୧ ତାରିଖରେ ନବୀନ ବାବୁ ଯାଉଛନ୍ତି, ପଦ୍ମ ଆସୁଛି। ୧ ଜୁନ୍‌ରୁ ଓଡ଼ିଶାରେ ଆୟଷ୍ମାନ ଭାରତ ଯୋଜନା ଲାଗୁ ହେବାକୁ ଯାଉଛି ବୋଲି ଶାହ କହିଛନ୍ତି।

ଶ୍ରୀ ଶାହ ଆହୁରି କହିଛନ୍ତି, ୨୫ ବର୍ଷରେ ନବୀନବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇଯାଇଛନ୍ତି। ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରେ ଏପରି ଗାଁ ନାହିଁ, ଯେଉଁଠି ରାସ୍ତା ନାହିଁ। ଓଡ଼ିଶା ୬୪୧୨ ଗାଁକୁ ଏବେ ବି ରାସ୍ତା ନାହିଁ। ଓଡ଼ିଶାରେ ବିଜେପି ସରକାର ଆସିଲେ ୨ ବର୍ଷରେ ପ୍ରତ୍ୟେକ ଗାଁକୁ ରାସ୍ତା ନିର୍ମାଣ କାମ ମୋଦିଜୀ କରିବେ। ଓଡ଼ିଶାର ଚାଷୀଙ୍କ ଆୟ ସମଗ୍ର ଦେଶରେ କମ୍‌ ରହିଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ୩୧୦୦ ଟଙ୍କାରେ ଧାନ କିଣିଛନ୍ତି। ଛଡ଼ିଶଗଡ଼ ପରି ଓଡ଼ିଶାରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ବୋଲି ସେ କହିଛନ୍ତି।

ପରିକ୍ରମା ପ୍ରକଳ୍ପ ଓ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି ଶାହ। ସେ କହିଛନ୍ତି, ସମଗ୍ର ଦେଶର ଜନତା ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି। ହେଲେ ନବୀନବାବୁଙ୍କ ସରକାର ଏହି ସ୍ଥଳୀକୁ ପର୍ଯ୍ୟଟନ ସ୍ଥଳ କରିବାରେ ଲାଗିଛନ୍ତି। ପରିକ୍ରମା ପ୍ରକଳ୍ପ ନାଁରେ ମଠ ଓ ମନ୍ଦିର ଭାଙ୍ଗିଛନ୍ତି। ମହାପ୍ରଭୁଙ୍କ ଚାରି ଦ୍ୱାର ଖୋଲୁ ନାହିଁ। ଯେଉଁଥିପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ୁଛି। ଆଜି ପ୍ରତିଶ୍ରୁତି ଦେଉଛି, ବିଜେପି ମୁଖ୍ୟମନ୍ତ୍ରୀ ଯେଉଁଦିନ ଶପଥ ନେବ, ସେହିଦିନ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବୁ। ତେବେ ଏଠି କହିବାକୁ ଚାହୁଁଛି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ଦରକାର କି ନାହିଁ? ମୁଁ ଆଜି ନବୀନବାବୁଙ୍କୁ କହିବାକୁ ଚାହୁଁଛି, ରତ୍ନଭଣ୍ଡାର ଚାବି କେଉଁଠି ରହିଛି? ଡୁପ୍ଲିକେଟ ଚାବି କିଏ ତିଆରି କରିଥିଲେ? ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ? ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟର କ’ଣ ହେଲା? ନବୀନବାବୁ ଆପଣଙ୍କ ସରକାର କାହାକୁ ବଞ୍ଚାଇବାକୁ ଲାଗିଛନ୍ତି? ବିଜେପି ସରକାର ହେଲେ ୬ ଦିନରେ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ଶାହ କହିଛନ୍ତି।

ନାଁ ନନେଇ ଭି.କେ ପାଣ୍ଡିଆନଙ୍କୁ ତିର ମାରିଛନ୍ତି ଶାହ। ସେ କହିଛନ୍ତି, ରାଜ୍ୟରେ ନବୀନବାବୁ ସରକାର ଚଲାଉଛନ୍ତି କି? ଏଠି ବାବୁଙ୍କ ହାତରେ ରାଜ୍ୟ ଚାଲିଛି। ଆରେ ନବୀନବାବୁ ଯଦି ବାବୁଙ୍କ ହାତରେ ରାଜ୍ୟ ଦେବାର ଥିଲା, ତାହାହେଲେ କୌଣସି ଓଡ଼ିଆ ବାବୁଙ୍କ ହାତରେ ରାଜ୍ୟ ଦେଇଥାଆନ୍ତ। ବାହାରୁ ଆସୁଥିବା ବାବୁଙ୍କୁ କାହିଁକି? ମୋଦି ସରକାର ୱାନ୍‌ ନେସନ, ୱାନ୍‌ ରାସନ୍‌ କାର୍ଡ କାର୍ଯ୍ୟକାରୀ କରିଛନ୍ତି। ହେଲେ ନବୀନବାବୁ ୱାନ୍‌ ନେସନ, ୱାନ୍‌ ରାସନ୍‌ କାର୍ଯ୍ୟକାରୀ କରିବାକୁ ଦେଉନାହାନ୍ତି। ୧ ତାରିଖରେ ଫଳାଫଳ ଆସିବା ପରେ ଭାଜପା ସରକାର ୱାନ୍‌ ନେସନ, ୱାନ୍‌ ରାସନ୍‌ କାର୍ଡ କାର୍ଯ୍ୟକାରୀ କରିବ। ଏବେ ଗାଁ ଗାଁରେ ପାନୀୟ ଜଳ, ବିଦ୍ୟୁତ ସମସ୍ୟା ରହିଛି। ସେଥିପାଇଁ ନବୀନ ବାବୁଙ୍କୁ ବିରୋଧ କରାଯାଉଛି ବୋଲି ଶାହ କହିଛନ୍ତି।

ସେହିଭଳି ଚିଟ୍‌ଫଣ୍ଡ କଥା ଉଠାଇଛନ୍ତି ଶାହ। ସେ କହିଛନ୍ତି, ଗରିବଙ୍କ ଚିଟ୍‌ଫଣ୍ଡ ଟଙ୍କା ଯାଇଛି। ସେହି ଟଙ୍କା ଗରିବଙ୍କ ପାଖକୁ ଫେରିବା ଦରକାର କି ନାହିଁ? ଯେଉଁମାନେ ଗରିବଙ୍କ ଚିଟ୍‌ଫଣ୍ଡ ଟଙ୍କା ଖାଇଛନ୍ତି, ୧୮ ମାସରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଷୀଙ୍କଠାରୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। ୪୮ ଘଣ୍ଟାରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଓଡ଼ିଶାର ମାଆ ଓ ଭଉଣୀଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି।

Ganjam Amit Shah General Election Ganjam Politics 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe