Advertisment

ଜମ୍ମୁ-କଶ୍ମୀର ପାଇଁ ବିଜେପିର ଇସ୍ତାହାର: ୩୭୦କୁ ନେଇ ଏମିତି କହିଲେ ଅମିତ ଶାହ

୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଦିଆଯାଇଛି। ଏହାପରେ ଏଠାରେ ପ୍ରଥମଥର ନିର୍ବାଚନ ହେଉଛି। ନ୍ୟାଶନାଲ କନଫରେନ୍ସ ଧାରା ୩୭୦କୁ ପୁନଃ ଲାଗୁ କରିବ ବୋଲି ତା’ର ଇସ୍ତାହାରରେ ଉଲ୍ଲେଖ କରିଛି। ଏହାକୁ ଅମିତ ଶାହ ଟାର୍ଗେଟ କରିଛନ୍ତି।

BJP

BJP

Advertisment

ଜମ୍ମୁ-କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ଆସନ୍ତା ୧୮ ତାରିଖରୁ ବିଧାନସଭା ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଜାରି କରିଛନ୍ତି।

Advertisment

ଜମ୍ମୁ-କଶ୍ମୀରରେ ବିଜେପି ସରକାର ଗଠନ କରିବା ପରେ ରଜୌରୀରେ ଗୋଟିଏ ନୂଆ ଟୁରିଷ୍ଟ ହବ ତିଆରି କରାଯିବ। ସେହିପରି ଉପତ୍ୟକାରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜମ୍ମୁରେ ମଧ୍ୟ ଏକାଧିକ ପର୍ଯ୍ୟଟନ ସ୍ଥଳୀ ହେବ ଓ ବିଜେପି କଶ୍ମୀର ପଣ୍ଡିତଙ୍କ ସମେତ ସମସ୍ତ ବିସ୍ଥାପିତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ବୋଲି ଇସ୍ତାହାରରେ କୁହାଯାଇଛି।

ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି ଯେ ଆମେ ଜମ୍ମୁ କଶ୍ମରରେ ଟିକା ଲାଲ ତାପଲୋ ବିସ୍ଥାପିତ ସମାଜ ପୁନର୍ବାସ ଯୋଜନା(ଟିଏଲଟିଭିପିୱାଇ) ଲଞ୍ଚ କରିବୁ। ଏହି ଯୋଜନାରେ କଶ୍ମୀର ପଣ୍ଡିତଙ୍କ ସୁରକ୍ଷିତ ଘର ବାହୁଡ଼ା ହେବ। ସେମାନଙ୍କୁ ଏଠାରେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ।

Advertisment

ଅମିତ ଶାହ ଇସ୍ତାହାର ରିଲିଜ କରିବା ପରେ ବିଜେପି ଜମ୍ମୁ-କଶ୍ମୀରରୁ ଆତଙ୍କବାଦକୁ ସଂପୂର୍ଣ୍ଣ ମୂଳପୋଛ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି। ଏଥିସହ ଧାରା ୩୭୦ ଏବେ ଇତିହାସ ଓ ଏହା କେବେ ହେଲେ ଫେରିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “୧୦ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାପକ ଆତଙ୍କବାଦରୁ ମୁକୁଳି ବ୍ୟାପକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। ବିଜେପି ଟେରର ଇକୋସିଷ୍ଟକୁ ପୂରା ଭାଙ୍ଗି ଦେଇଛି। ୨୦୧୪ ଯାଏ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ଜାରି ରହି ଥିଲା। ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରର ସଦସ୍ୟ ଉକ୍ତ ଅଞ୍ଚଳକୁ ଅସ୍ଥିର କରୁଥିଲେ। ଏହାବାଦ ଜମ୍ମୁ-କଶ୍ମୀର ସ୍ଥିତିକୁ ଦୃଷ୍ଟିରେ ରଖି ସବୁ ରାଜନୀତିକ ଦଳ କେବଳ ତୁଷ୍ଟୀକରଣ ରାଜନୀତି କରୁଥିଲେ।

ହେଲେ ଯେତେବେଳେ ଭାରତ ଓ ଜମ୍ମୁ-କଶ୍ମୀରର ଇତିହାସ ଲେଖାଯିବ ସେତେବେଳେ ୨୦୧୪ରୁ ୨୦୨୪ର ଅବସ୍ଥା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ। ୧୯୪୭ ପରଠାରୁ ସବୁବେଳେ ଜମ୍ମୁ-କଶ୍ମୀର ଆମ ହୃଦୟରେ ରହିଛି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲା, ଅଛି ଓ ରହିବ। ବିଜେପି ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିବ।”

୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଦିଆଯାଇଛି। ଏହାପରେ ଏଠାରେ ପ୍ରଥମଥର ନିର୍ବାଚନ ହେଉଛି। ନ୍ୟାଶନାଲ କନଫରେନ୍ସ ଧାରା ୩୭୦କୁ ପୁନଃ ଲାଗୁ କରିବ ବୋଲି ତା’ର ଇସ୍ତାହାରରେ ଉଲ୍ଲେଖ କରିଛି। ଏହାକୁ ଅମିତ ଶାହ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ସମୟ ଥିଲା ଯେତେବେଳେ ଧାରା ୩୭୦ର ଛାଇ ଜମ୍ମୁ-କଶ୍ମୀରକୁ ଘୋଡ଼ାଇ ରଖୁଥିଲା। ସରକାର ସବୁବେଳେ ବିଚ୍ଛିନ୍ନତାବାଦୀ ଓ ହୁରିୟତ ଭଳି ସଂଗଠନ ଆଗଡ଼ରେ ମୁଣ୍ଡ ନୁଆଁଉଥିଲେ। ଏହି ୧୦ ବର୍ଷ ମଧ୍ୟରେ ଧାରା ୩୭୦ ଓ ୩୫-ଏ ଅତୀତ ହୋଇସାରିଛି। ସେଗୁଡ଼ିକ ଆଉ ସମ୍ବିଧାନର ଅଂଶ ବିଶେଷ ନୁହନ୍ତି।

ଧାରା ୩୭୦ ଉଚ୍ଛେଦ ହେବାରୁ ବିକାଶ ହୋଇପାରିଛି। ମୁଁ ନ୍ୟାଶନାଲ କନଫରେନ୍ସର ଇସ୍ତାହାରକୁ ଦେଖିଛି। କଂଗ୍ରେସର ଆଭିମୁଖ୍ୟକୁ ମଧ୍ୟ ବୁଝିଛି। କିନ୍ତୁ ମୁଁ ଦେଶବାସୀଙ୍କୁ କହିବାକୁ ଚାହେଁ ଯେ ଧାରା ୩୭୦ ଇତିହାସ ହୋଇ ସାରିଛି।

ଏହା କେବେ ହେଲେ ଫେରିବ ନାହିଁ। ଆମେ କେବେ ହେଲେ ଏହାକୁ ଫେରିବାକୁ ଅନୁମତି ଦେବୁ ନାହିଁ। କାରଣ ଧାରା ୩୭୦ ହିଁ ଯୁବମାନଙ୍କ ହାତରେ ବନ୍ଧୁକ ଓ ପଥର ଧରାଉ ଥିଲା।”

Bjp Jammu Kashmir Jammu Kashmir Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe