Advertisment

ଓଡ଼ିଶାରେ ସବୁ ଅଛି, କିନ୍ତୁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି: ଅମିତ ଶାହ

‘ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି।’

author-image
Jitendra Garnayak
Amit Shah

Amit Shah

‘ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷର ଅଭାବ ରହିଛି। ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି। କଥା ଦେଉଛି, ବିଜେପି ସରକାର ଗଠନ କଲେ ଓଡ଼ିଶା ପାଇଁ ଜଣେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ।’ ସମ୍ବଲପୁରରେ ଆଜି ଆୟୋଜିତ ନିର୍ବାଚନୀ ସଭାରେ ଏମିତି କହି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୭ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଏଠାକୁ ପ୍ରଚାର କରିବାକୁ ଆସିଥିବା ଶ୍ରୀ ଶାହ କହିଥିଲେ, ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି। ନବୀନ ବାବୁ କିଛି କରୁନାହାନ୍ତି। ତାଙ୍କ ବାବୁମାନେ ଶାସନ କରୁଛନ୍ତି। ବିଜେପି ଆସିଲେ ଓଡ଼ିଶାରସନ୍ତାନ ଶାସନ କରିବେ, ବାବୁ ନୁହେଁ।

ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛି। ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି। ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ। ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ହେବା ଦରକାର ବୋଲି କହିଛନ୍ତି ଶ୍ରୀ ଶାହ।

Advertisment

ସେ କହିଛନ୍ତି, ସାରା ଦେଶରେ ଓଡ଼ିଶା ସମୃଦ୍ଧ, କିନ୍ତୁ ଏହାର ଲୋକେ ଗରିବ। ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି। କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ। ନବୀନ ସରକାର କେବଳ ‘ଅଖା’ ସରକାର। ମୋଦି ଚାଉଳ ଦେଉଛନ୍ତି। ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରେନି। ଯଦି ଦେବା କଥା ଚାଉଳ ଦିଅନ୍ତୁ।

ସମ୍ବଲପୁରରେ ମଧ୍ୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ଅମିତ ଶାହ। ସେ କହିଥିଲେ, ରତ୍ନଭଣ୍ଡାର ଚାବି ହଜିଯାଇଛି। ଆଉ ତା’ର ନକଲି ଚାବି ମଧ୍ୟ ବାହାରି ସାରିଛି। ବିଜେପି ସରକାର ଆସିଲେ ରତ୍ନଭଣ୍ଡାରେ ମହାପ୍ରଭୁଙ୍କର ଥିବା ସଂପତ୍ତିର ମୂଲ୍ୟାୟନ ହେବ। ରତ୍ନ ଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରାଯିବ।

ସେ ଆହୁରି କହିଛନ୍ତି, ବିଜେପି ସରକାର ଆସିଲେ ମେଡିକାଲ ସାଇନ୍ସକୁ ଓଡ଼ିଆରେ ପଢ଼ାଇବୁ। ୧୮ ମାସରେ ଚିଟ୍‌ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ। ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇ ଲୋକଙ୍କୁ ପଇସା ଫେରାଇବୁ। ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Amit Shah 2024 General Election Loka Sabha Election 2024 Odisha Assembly Election 2024