Advertisment

ଅନନ୍ତ ଜେନାଙ୍କ ନୂଆ ଚାଲ୍‌; ଟିକେଟ ପାଇଁ ମହିଳାଙ୍କୁ କରୁଛନ୍ତି ଅସ୍ତ୍ର!

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପ୍‌କୁ ଗତ ଦୁଇ ଦିନ ହେଲା ଆସି କିଛି ମେସେଜ୍‌। ଯେଉଁଥିରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଆଉ ଥରେ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପାଇଁ କୁହାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ବିଜେଡି ନାରା ଦେଉଛି ‘ମାଆଙ୍କୁ ସମ୍ମାନ,ଗାଁକୁ କାମ’। ହେଲେ ସେହି ମାଆଙ୍କୁ ଆଜି ଦିଆଯାଉଛି ଧମକ। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଓକିଲାତି କରିବାକୁ କୁହାଯାଉଛି। ଏପରି ନକଲେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସବୁ ଯୋଜନାରୁ ବଞ୍ଚିତ କରାଯିବ ବୋଲି ଧମକ ଦିଆଯାଉଥିବା ଅଭିଯୋଗ ହେଉଛି। ସେହି ମେସେଜ ଗୁଡ଼ିକ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ହେଉଥିବା ମେସେଜ ଓ ଚିଠି ଗୁଡ଼ିକ ଅନନ୍ତ ନାରାୟଣ ଜେନା ପଠାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ମନଇଚ୍ଛା ବର୍ଷିଛନ୍ତି ଅନନ୍ତ ନାରାୟଣ ଜେନାଙ୍କ ଘୋର ବିରୋଧୀ ତଥା ବିଜେଡି ନେତା ଅମରେଶ ଜେନା।

Advertisment

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପ୍‌କୁ ଗତ ଦୁଇ ଦିନ ହେଲା ଆସି କିଛି ମେସେଜ୍‌। ଯେଉଁଥିରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଆଉ ଥରେ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପାଇଁ କୁହାଯାଇଛି। ସେହି ମେସେଜକୁ ଅନ୍ୟ ମହିଳା ଗ୍ରୁପ୍‌ ଓ ସୋଶାଲ ମିଡ଼ିଆରେ ଶେଆର କରିବାକୁ ମଧ୍ୟ କୁହାଯାଇଛି। ଏହାଛଡ଼ା ଆଉ କିଛି ମେସେଜ୍‌ରେ ଲେଖାଯାଇଛି, ରବିବାର ଦିନ ସାଢ଼େ ୩ଟାରେ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ୧୦କୁ ୧୦ ମେମ୍ୱର ଆସି ପହଞ୍ଚିବେ। ଯେଉଁମାନେ ନଆସିବେ ସେମାନଙ୍କୁ ଗ୍ରୁପ୍‌ରୁ ବହିଷ୍କାର କରାଯିବ। ସବୁ ସୁବିଧାରୁ ବଞ୍ଚିତ କରାଯିବ ବୋଲି ଲେଖାଯାଇଛି। ଯାହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଭିତରେ ଛନକା ପଶିଛି।

ଏଭଳି ମେସେଜ ପାଇଥିବା ଜଣେ ମହିଳା କହିଛନ୍ତି, ଲକ୍ଷ୍ମୀସାଗରରେ ହେବାକୁ ଥିବା ସଭାକୁ ନଗଲେ ରାଜ୍ୟ ସରକାରଙ୍କ ତରଫରୁ ଡ୍ରେସ୍‌ ବାବଦକୁ ମିଳିଥିବା ଟଙ୍କା ମିଳିବନି। ଘର ପଟ୍ଟା ଦେବେନି। ବିଦ୍ୟୁତ ଓ ପାଣି ସଂଯୋଗ କାଟିଦେବେ। ସବୁ ପ୍ରକାର ସବୁଧାରୁ ବଞ୍ଚିତ କରିଦେବେ ବୋଲି ମେସେଜରେ ଧମକ ଦିଆଯାଇଛି। ଆମେ କାହାକୁ ଭୋଟ୍‌ ଦେବୁ ବା ନଦେବୁ ତାହା ଆମ ଉପରେ ନିର୍ଭର କରେ। ଆମକୁ ଜବରଦସ୍ତି କରିବାର କାହାର ଅଧିକାର ନାହିଁ। ତାହାହେଲେ ଆମକୁ କାହିଁକି ଏ ଧମକ ଦେଉଛନ୍ତି? ଆମେ ସେହି ମେସେଜକୁ କେବଳ ଅନ୍ୟ ଗ୍ରୁପ୍‌ରେ ଶେଆର କରିଛୁ। ହେଲେ କୌଣସି ସୋଶାଲ୍‌ ମିଡ଼ିଆରେ ସେୟାର କରିନାହୁଁ ବୋଲି ମହିଳା ଜଣକ କହିଛନ୍ତି।

Advertisment

ମହିଳାଙ୍କ ଗ୍ରୁପ୍‌ରେ ଏହି ମେସେଜ ଅନନ୍ତନାରାୟଣ ଜେନା ଓ ତାଙ୍କ ସମର୍ଥକ ଶେଆର କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଅସ୍ତ୍ର କରି ଶ୍ରୀ ଜେନା ବିଧାୟକ ଟିକେଟ ହାସଲ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ଏପରି କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ଅନନ୍ତ ଜେନାଙ୍କ ବିରୋଧୀ ତଥା ବିଧାୟକ ଆଶାୟୀ ଅମରେଶ ଜେନା।

ଗଣମାଧ୍ୟମକୁ ସେ କହିଛନ୍ତି, ଏଠାରୁ ଯିଏ ପ୍ରାର୍ଥୀ ହୁଅନ୍ତୁ ନା କାହିଁକି, କିନ୍ତୁ ମହିଳାମାନଙ୍କୁ ଅସ୍ତ୍ର କରିବା ଏକ ଭୁଲ୍‌ ପରମ୍ପରା। ମାଆମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏହାଛଡ଼ା ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। କିନ୍ତୁ ସେମାନଙ୍କୁ ରାଜନୈତିକ ଅସ୍ତ୍ର କରିବା ଗୋଟିଏ ଭୁଲ ପରମ୍ପରା। ମୁଁ ସେହି ମାଆଙ୍କୁ କହିବାକୁ ଚାହେଁ, ଆପଣମାନେ ଡରନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ଆପଣଙ୍କ ସହିତ ଅଛନ୍ତି। ସରକାରଙ୍କ କାମ ହେଲା ଯୋଜନା କରିବା ଓ ଲୋକଙ୍କ ପାଖରେ ପହଞ୍ଚାଇବା। ଯେଉଁମାନେ ମାଆମାନଙ୍କୁ ଅସ୍ତ୍ର କରୁଛନ୍ତି, ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ। ତାଙ୍କର ମଙ୍ଗଳ ହେବ ବୋଲି ସେ କହିଛନ୍ତି।

ତେବେ ଏନେଇ ଅନନ୍ତ ନାରାୟଣ ଜେନା କିମ୍ୱା ତାଙ୍କ ସମର୍ଥକଙ୍କ ପ୍ରତିକ୍ରିୟା ମିଳିପାରିନି।

BjD 2024 Election Loksabha Election