Advertisment

ଆସିଲା ଆଉ ଏକ ସର୍ଭେ: ଓଡ଼ିଶାରେ ମୋଦି ସୁନାମୀ, ଲୋକସଭାରେ ହଜିଯିବ ବିଜେଡି

ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ ସଙ୍କଟ ଦେଖାଦେବ

author-image
Ordigital Desk
Prime Minister Narendra Modi

Prime Minister Narendra Modi

ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ ସଙ୍କଟ ଦେଖାଦେବ। ଦଳର ମାତ୍ର ଜଣେ ସାଂସଦ ନିର୍ବାଚନ ଜିତି ଲୋକସଭାକୁ ଯିବାକୁ ସକ୍ଷମ ହେବେ । ବାକି ୨୦ଟି ଲୋକସଭା ସିଟ୍ ବିଜେପି ଦଖଲକୁ ଯିବ । କଂଗ୍ରେସ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଖାତା ଖୋଲିବାରେ ସକ୍ଷମ ହେବନି । କେବଳ ସେତିକି ନୁହେଁ ବିଜେଡିର ଭୋଟ ହାର ବି ୨୦୧୯ ନିର୍ବାଚନ ତୁଳନାରେ ୨୩.୪୫% ହ୍ରାସ ପାଇବ । ଆଉ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ସୁନାମୀ ରହିଛି ଓ ବିଜେପିର ଭୋଟ ହାରରେ ୧୬.୫୦% ବୃଦ୍ଧି ପାଇବ । ଏଭଳି କିଛି ତଥ୍ୟ ଦେଇଛି ଫେଡେରାଲ-ପୁଥିଆ ଥାଲାଇମୁରି ପକ୍ଷରୁ ଦେଶବ୍ୟାପୀ ହୋଇଥିବା ସର୍ଭେ ରିପୋର୍ଟ । ଯାହାକି ଏବେ ବିଜେଡିର ପାଦତଳୁ ମାଟି ଖସାଇ ଦେଇଛି।

Advertisment

ଇଣ୍ଡିଆ ଟୁଡେ୍ ‘ମୁଡ୍ ଅଫ ଦି ନେସନ’ ଓ ଟାଇମ୍ସନାଓ ଭଳି ଦୁଇଟି ଜାତୀୟସ୍ତରର ସଂସ୍ଥା ମଧ୍ୟ ତା’ର ସର୍ଭେ ରିପୋର୍ଟରେ ଓଡ଼ିଶାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଉଥିବାର ସନ୍ଦେଶ ଦେଇଥିଲା। ଏବେ ଏହି ସଦ୍ୟ ସର୍ଭେ ରିପୋର୍ଟ ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍ ତଳମୁହାଁ ହୋଇଥିବା ଉଲ୍ଲେଖ କରିଛି। ତାମିଲନାଡୁର ଆଗଧାଡ଼ିର ଏକ ଟିଭି ଚ୍ୟାନେଲ ପୁଥିଆ ଥାଲାଇମୁରାଇ ଓ ଦି ଫେଡ଼େରାଲ ଡିଜିଟାଲ ପକ୍ଷରୁ ହୋଇଥିବା ଦେଶବ୍ୟାପୀ ଏକ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଏବେ ଯଦି ନିର୍ବାଚନ ହୁଏ ତା’ହେଲେ ରାଜ୍ୟର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପିକୁ ୨୦ଟି ଓ ବିଜେଡିକୁ ମାତ୍ର ଗୋଟିଏ ଲୋକସଭା ସିଟ୍ ମିଳିବ।

ସେହିପରି ବିଜେପିକୁ ୫୪.୯୦%, ବିଜେଡିକୁ ୧୯.୩୫%, କଂଗ୍ରେସକୁ ୯.୭୪% ପ୍ରତିଶତ ଭୋଟ୍ ମିଳିବ । ୧୪.୧୭% ଲୋକ କିଛି ମତାମତ ଦେଇନଥିବାବେଳେ ୧.୮୫ ପ୍ରତିଶତ ଲୋକଙ୍କ ମତ ଭିନ୍ନ ଥିଲା । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୩୮.୪୦% ଭୋଟହାର ସହ ୮ଟି ସିଟ୍‌, ବିଜେଡିକୁ ୪୨.୮୦% ଭୋଟ ହାର ସହ ମୋଟ୍ ୧୨ଟି ସିଟ୍ ଓ କଂଗ୍ରେସକୁ ୧୩.୪୦% ହାର ସହ ମାତ୍ର ଗୋଟିଏ ସିଟ୍ ମିଳିଥିଲା । ଗତଥର ତୁଳନାରେ ସର୍ବାଧିକ ୨୩.୪୫% ଭୋଟର ବିଜେଡିଠୁ ଦୂରେଇ ଯିବେ । ସେହିପରି କଂଗ୍ରେସକୁ ମାତ୍ର ୯.୭୪% ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଦଳ ଗୋଟିଏ ବି ସିଟ୍ ଜିତିପାରିବ ନାହିଁ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।

Advertisment

ସେହିପରି ରାଜ୍ୟରେ ୫୫.୨୧ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ କୌଣସି ଯୋଜନାର ଲାଭାର୍ଥୀ ହୋଇନଥିବା କହିଥିବାବେଳେ ୪୨.୩୯ ପ୍ରତିଶତ ଲୋକ କେନ୍ଦ୍ରୀୟ ଯୋଜନାର ସୁଫଳ ପାଉଥିବା ସ୍ୱୀକାର କରିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶର ୮୦କୋଟି ଲୋକଙ୍କୁ କୋଭିଡ୍ ସମୟରୁ ମାଗଣା ଚାଉଳ ବଂଟନକୁ ରାଜ୍ୟର ୬୨.୨୯ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ସେହିପରି ୟୁପିଆଇ-ଡିଜିଟାଲ ପେମେଂଟ ଗେଟୱେକୁ ରାଜ୍ୟର ୬୦.୪୪ ପ୍ରତିଶତ ଓ ଜଳଜୀବନ ମିଶନ ଯୋଜନାରେ ଗ୍ରାମାଂଚଳ ପରିବାରକୁ ଟ୍ୟାପ୍ ଯୋଗେ ପାଣି ଯୋଗାଣକୁ ୪୬.୮୩ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ଚାଷୀଙ୍କୁ ସହାୟତା ଯୋଗାଣକୁ ୨୩.୧୭ ପ୍ରତିଶତ, ଭାରତର ଛବିକୁ ଆନ୍ତର୍ଜାତିକସ୍ତରରେ ଉଲ୍ଲେଖନୀୟ ବୃଦ୍ଧି କରିବାକୁ ଓଡ଼ିଶାର ୩୨.୭୨ ପ୍ରତିଶତ  ଲୋକ ପସନ୍ଦ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ତାମିଲନାଡୁର ଏହି ସଂସ୍ଥାର ସର୍ଭେ ରିପୋର୍ଟ ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ନିଜର ସ୍କିମ୍ ମାଧ୍ୟମରେ ରାଜ୍ୟରେ ଷଷ୍ଠଥର ସରକାର ଗଢ଼ିବାକୁ ଦୃଢ଼ ନିଶ୍ଚିତ ଥିବା ବିଜେଡି ପାଇଁ ଏହି ସର୍ଭେ ରିପୋର୍ଟ ଚିନ୍ତା ବଢ଼ାଇବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ ଚଳିତମାସ ପ୍ରଥମ ସପ୍ତାହରେ ଟାଇମ୍ସନାଓ ତା’ର ସର୍ଭେ ରିପୋର୍ଟରେ ଦର୍ଶାଇଥିଲା ଯେ, ଯଦି ଏବେ ଲୋକସଭା ନିର୍ବାଚନ ହୁଏ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୧ଟି, ବିଜେଡିକୁ ୯ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ । ବିଜେପି ସପକ୍ଷରେ ୪୪.୮%, ବିଜେଡିକୁ ୪୦.୪% ଓ କଂଗ୍ରେସ ମେଂଟକୁ ୯.୬% ଭୋଟ୍ ମିଳିବ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୪୮ପ୍ରତିଶତ ଥିବାବେଳେ ୨୮ପ୍ରତିଶତ ମୋଦି ସରକାରର ଯୋଜନାକୁ ଲୋକେ ପସନ୍ଦ କରୁଛନ୍ତି । ଉଭୟକୁ ମିଶାଇଲେ ଓଡ଼ିଶାରେ ମୋଦିଙ୍କ ପ୍ରତି ୭୬ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ୪୩ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଓ ମାତ୍ର ୨୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ୩୧ ପ୍ରତିଶତ ଲୋକ ଆଂଶିକ ସନ୍ତୁଷ୍ଟ ।

ସେହିପରି ଫେବୃୟାରୀ ପ୍ରଥମ ସପ୍ତାହରେ ଇଣ୍ଡିଆଟୁଡ଼େ ପକ୍ଷରୁ ‘ମୁଡ୍ ଅଫ ଦି ନେସନ’ ସର୍ଭେ ରିପୋର୍ଟ ଜାରି ହୋଇଥିଲା । ଯେଉଁଥିରେ ଓଡ଼ିଶାର ଭୋଟରମାନେ ଲୋକସଭା ନିର୍ବାଚନରେ ନବୀନଙ୍କ ତୁଳନାରେ ମୋଦିଙ୍କ ଉପରେ ଅଧିକ ଭରସା କରିଛନ୍ତି । ଯଦି ଏବେ ନିର୍ବାଚନ ହୁଏ ତା’ହେଲେ ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୧ଟି ବିଜେପିକୁ ଓ ୧୦ଟି ବିଜେଡିକୁ ମିଳିବ । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଂଟ ଖାତା ଖୋଲିପାରିବ ନାହିଁ । ବିଜେପି ସପକ୍ଷରେ ୪୦%, ବିଜେଡି ସପକ୍ଷରେ ୪୧ ପ୍ରତିଶତ ଓ କଂଗ୍ରେସ ମେଂଟ ସପକ୍ଷରେ ୧୨ ପ୍ରତିଶତ ଭୋଟ ପଡ଼ିବ ।

BjD State Bjp