/odisha-reporter/media/post_attachments/uploadimage/library/16_9/16_9_0/BJD_1749480915.jpg)
BJD
ପ୍ରାୟ ୫ମାସର କସରତ ପରେ ଆଜି ଚତୁର୍ଥ ଦଫାରେ ଆଉ ୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି । ତଥାପି ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲା ସଂଗଠନ ସଭାପତିଙ୍କ ନାଁ ଘୋଷଣା କରିବାର ସାହାସ ଜୁଟାଇ ପାରିନାହାନ୍ତି ଦଳୀୟ ନେତୃତ୍ୱ ।
ନବୀନ ପଟ୍ଟନାୟକଙ୍କୁ ଦଳର ସଭାପତି ଘୋଷଣା କରାଯିବା ପରେ ପ୍ରାୟ ୪ମାସର କସରତ କରି ଦଳ ଗତ ଅଗଷ୍ଟ ୪ତାରିଖରେ ତୃତୀୟ ପର୍ଯ୍ୟାୟରେ ୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିଲା । ଚଳିତ ପର୍ଯ୍ୟାୟରେ ବରିଷ୍ଠ ନେତା ନୃସିଂହ ଚରଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଦାୟିତ୍ୱ ନ୍ୟସ୍ତ କରି ଦଳ ବରିଷ୍ଠମାନଙ୍କୁ ସନ୍ତୁଷ୍ଟ ନିମନ୍ତେ ପ୍ରୟାସ କରିଥିବା ଜଣାପଡ଼ିଛି ।
୩ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଆଜି ଦଳର ଆଉ ୩ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇଛି । ଢେଙ୍କାନାଳ ଜିଲ୍ଲାର ସଭାପତି ଭାବେ ନୃସିଂହ ଚରଣ ସାହୁ ଓ କାର୍ଯ୍ୟକାରୀ ସଭାପତି ଭାବେ ସନ୍ଦୀପ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ମିଳିଥିବାବେଳେ କୋରାପୁଟ ଜିଲ୍ଲାର ସଭାପତି ଭାବେ ଝିନ୍ନ ହିକକା ଓ ଦୁଇଜଣ କାର୍ଯ୍ୟକାରୀ ସଭାପତି ଭାବେ ଦୁର୍ଗା ମିଶ୍ର ଓ ପ୍ରସାଦ ବିଦିକାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ସେହିପରି ରାୟଗଡ଼ା ଜିଲ୍ଲାର ସଭାପତି ଭାବେ ଜଗନ୍ନାଥ ସାରକା ଓ କାର୍ଯ୍ୟକାରୀ ସଭାପତି ଭାବେ ଗୟାଧର ପାଓଲୋ ଓ ରଣଜିତ୍ କୁମାର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି । ଏହି ଜିଲ୍ଲା ସଭାପତିମାନଙ୍କ ନାଁ ଘୋଷଣା ସହ ଦଳର ମୋଟ ୩୧ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି । ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣାରେ ଦଳର ଦୁଇ ପ୍ରଭାବଶାଳୀ ନେତା ମାନସ ରଞ୍ଜନ ମଙ୍ଗରାଜ ଓ ପ୍ରଣବପ୍ରକାଶ ଦାସ କେଁ ପୁରାଇଥିବା ଚର୍ଚ୍ଚା ହେଉଛି ।
ଗତମାସ ୪ତାରିଖରେ ଦଳର ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କଟକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିଲେ । ସାଧାରଣ ନିର୍ବାଚନ ପରଠୁ ଦଳରେ ଅନ୍ତକନ୍ଦଳ ଓ ଛକାପଞ୍ଝା ଚରମସୀମାରେ ପହଂଚିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ସଂଗଠନ ପରିଚାଳନାରେ ଅନାଗ୍ରହ ଯୋଗୁ ଦଳ ଏବେ ବେମୁରବା ପାଲଟିଯାଇଛି । ନେତାମାନେ ଲଗାମଛଡ଼ା ଭଳି ବୟାନବାଜି କରିବାରେ ମଧ୍ୟ ଲାଗିଛନ୍ତି ।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କ ନବମଥର ସଭାପତି ଚୟନ କରିବା ନିମନ୍ତେ ବିଜେଡି ଗତ ଏପ୍ରିଲ ମାସରେ ଦଳର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା । ମେ’ ମାସରେ ଆଉ ୬ଟି ଜିଲ୍ଲାର ଓ ଅଗଷ୍ଟ ୪ତାରିଖରେ ଆଉ ୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିଲା । ଆଜି ଆଉ ୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିବାବେଳେ ବାକି ୨ଟି ଜିଲ୍ଲାର ସଭାପତିଙ୍କ ନାଁ କେବେ ଘୋଷଣା ହେବ ତାହା ଜଣାପଡ଼ିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
