Advertisment

ବିଜେଡିରେ ପୁଣି ବିସ୍ଫୋରଣ: ଶଙ୍ଖଭବନରେ ଶ୍ରୀମୟୀଙ୍କୁ ଦୁର୍ବ୍ୟବହାର, ବରିଷ୍ଠଙ୍କ ଆକଟ ପରେ ପଳାୟନ କଲେ ମନ୍ମଥ

ଗତ କିଛିଦିନ ତଳେ ଭରତପୁର ଥାନାରେ ପୁଲିସ ନିର୍ଯାତନା ଘଟଣାରେ ସେନା ଅଫିସରଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ଗଣମାଧ୍ୟମ ଆଗରେ ଯୁକ୍ତି ବାଢ଼ୁଥିବା ମନ୍ମଥ କିଭଳି ନିଜ ଦଳର ଜଣେ ନେତ୍ରୀଙ୍କ ପ୍ରତି ଅରୁଚିକର ଟିପ୍ପଣୀ ଓ ଆଚରଣ କଲେ, ତାହା ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Shreemayee Mishra

Shreemayee Mishra

ବିଜେଡିରେ ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଶଙ୍ଖଭବନରେ ଗତକାଲି ଭଦ୍ରକ ଜିଲ୍ଲା ସମୀକ୍ଷାବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମସ୍ତଙ୍କ ସମ୍ମୁଖରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ବରିଷ୍ଠ ନେତାମାନଙ୍କ କଡ଼ା ଆଭିମୁଖ୍ୟ ଓ ଆକଟ ପରେ ମନ୍ମଥ ବୈଠକସ୍ଥଳୀ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ । ଆଉ ବରିଷ୍ଠ ନେତାମାନଙ୍କ ହସ୍ତକ୍ଷେପରେ ପ୍ରଦୀପ ଓ ଶ୍ରୀମୟୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା ତଥା ନିଜର ଶସ୍ତା ଓ ଅରୁଚିକର ଟିପ୍ପଣୀ ପାଇଁ ପ୍ରଦୀପ ଦୁଃଖପ୍ରକାଶ କରିଥିବା ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସମୀକ୍ଷା ବୈଠକ ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ସମସ୍ତ  ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ସମେତ ଆଗଧାଡ଼ିର କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା ଚାଲିଥିବାବେଳେ ନିଜର ସମର୍ଥକମାନଙ୍କ ସହ ଆସିଥିବା ମନ୍ମଥ ସିଧାସଳଖ ଶ୍ରୀମୟୀଙ୍କୁ ଅରୁଚିକର ଭାଷାରେ ଦୁର୍ବ୍ୟବହାର କରିଥିଲେ । ଏପରିକି ତାଙ୍କ ସହ ଥିବା କିଛି ଯୁବକ(ଦଳୀୟ କର୍ମକର୍ତ୍ତା ନୁହଁନ୍ତି) ମଧ୍ୟ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାକୁ ପଛାଇ ନଥିଲେ । ଶ୍ରୀମୟୀଙ୍କ ପାଇଁ ଭୁବନେଶ୍ୱରରେ ବିଜେଡି ଲୋକସଭା ସିଟ୍ ହାରିଲା  ବୋଲି ସେ ଆକ୍ଷେପ କରିଥିଲେ । ଯାହା ଉପରେ ଶ୍ରୀମୟୀ ଆପତ୍ତି ଉଠାଇବାରୁ ମନ୍ମଥ ତାଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିଲେ ବୋଲି ସୂଚନା ମିଳିଛି ।

ସେଠାରେ ଥିବା ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ଓ ଖୋର୍ଦ୍ଧା ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଉଭୟଙ୍କୁ ନିରବ ରହିବାକୁ କହିଥିଲେ ମଧ୍ୟ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ସେଠାରେ ‘ନିଆଁରେ ଘିଅ ଢ଼ାଳିବା’ ଭଳି ଶ୍ରୀମୟୀଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ ଓ ଅରୁଚିକର ଟିପ୍ପଣୀ ଦେଇଥିଲେ ବୋଲି ଜଣାପଡ଼ିଛି । ଯାହାକୁ ନେଇ ସେଠାରେ ତୁମୂଳକାଣ୍ଡ ହୋଇଥିଲା । ସେଠାରେ ଥିବା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ବିଜୟ ନାୟକ, ଅମର ପଟ୍ଟନାୟକ ପ୍ରମୁଖ ସମସ୍ତଙ୍କୁ ବସାଇ ସମାଧାନ ପାଇଁ ପ୍ରୟାସ କରିବାବେଳେ ମନ୍ମଥ ଖୋଲାଖୋଲି ଭାବେ ଦଳୀୟ ସଂଗଠନକୁ ସମାଲୋଚନା କରିଥିଲେ । ଆଉ ଶ୍ରୀମୟୀଙ୍କ ଦଳରେ ଅବଦାନ କ’ଣ ବୋଲି ପ୍ରଶ୍ନ କରିବାରୁ ବରିଷ୍ଠ ନେତାମାନେ ଆପତ୍ତି ଉଠାଇଥିଲେ । ଏପରିକି ଶ୍ରୀମୟୀ ଛାତ୍ରାବସ୍ଥାରୁ ଦଳରେ ସକ୍ରିୟ ଅଛନ୍ତି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି ବୋଲି ଅତନୁଙ୍କ ସମେତ କିଛି ବରିଷ୍ଠ ନେତା କହିବା ସହ ମନ୍ମଥଙ୍କୁ ଆକଟ କରିଥିବା ଜଣାପଡ଼ିଛି । ଏହାପରେ ମନ୍ମଥ ବୈଠକସ୍ଥଳୀ ଛାଡ଼ି ପଳାଇଥିଲେ । ଆଉ ପ୍ରଦୀପ ନିଜେ ଦେଇଥିବା ଟିପ୍ପଣୀ ପାଇଁ ଦୁଃଖପ୍ରକାଶ କରିବା ପରେ ମାମଲା ଶାନ୍ତ ପଡ଼ିଥିଲା । ମାତ୍ର ମନ୍ମଥଙ୍କ ଏଭଳି ଆଚରଣକୁ ନେଇ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ଭରତପୁର ଥାନାରେ ପୁଲିସ ନିର୍ଯାତନା ଘଟଣାରେ ସେନା ଅଫିସରଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ଗଣମାଧ୍ୟମ ଆଗରେ ଯୁକ୍ତି ବାଢ଼ୁଥିବା ମନ୍ମଥ କିଭଳି ନିଜ ଦଳର ଜଣେ ନେତ୍ରୀଙ୍କ ପ୍ରତି ଏଭଳି ଅରୁଚିକର ଟିପ୍ପଣୀ ଓ ଆଚରଣ କଲେ ତାହା ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଅନ୍ୟପକ୍ଷରେ ବିଜେଡି ସୂତ୍ର ଅନୁସାରେ ଦଳର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀଙ୍କ ପ୍ରତି ମନ୍ମଥ ଓ ପ୍ରଦୀପଙ୍କ ଶସ୍ତା ଟିପ୍ପଣୀକୁ ନେଇ ଏବେ ବିଜେଡି ରାଜନୀତି ବେଶ୍ ସରଗରମ ହୋଇଛି । ଦଳ ତାଙ୍କୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଓ ସହଯୋଗ ଦେଇ ୬ମାସ ବୁଲାଇବା ପରେ ଅଚାନକ ମନ୍ମଥଙ୍କୁ ଟିକେଟ୍ ଦେଇଥିଲା । ସେବେଠୁ ଶ୍ରୀମୟୀ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଥିଲେ । ତେବେ ରାଜ୍ୟରେ ବିଜେଡି ସରକାରର ପତନ ଓ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶ୍ରୀମୟୀଙ୍କୁ ପୁଣିଥରେ ସୋସିଆଲ ମିଡିଆ ଓ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ଭାବେ ଦେଖିବାକୁ ମିଳିଛି । ଗତ ୪ଦିନ ତଳେ ଶଙ୍ଖଭବନରେ ଦଳର ବରିଷ୍ଠ ଓ ଆଗଧାଡ଼ିର ନେତାମାନଙ୍କ ବୈଠକରେ ଶ୍ରୀମୟୀ ନିଜର କ୍ଷୋଭ ବ୍ୟକ୍ତ କରିବା ସହ ତାଙ୍କ ପ୍ରତି ଅନ୍ୟାୟ ହେବାବେଳେ କାହିଁକି ବରିଷ୍ଠ ନେତାମାନେ ଚୁପ୍ ରହିଲେ ଓ ନିଜର ଆଶୀର୍ବାଦ ଦେଲେନି ବୋଲି ପ୍ରଶ୍ନ କରିଥିବା ଜଣାପଡ଼ିଛି । ଆଜି ଶ୍ରୀମୟୀଙ୍କୁ ବୈଠକକୁ ଡାକି ପୁଣିଥରେ ଦୁର୍ବ୍ୟବହାର କରିବା ଘଟଣା ପରେ ସେ ବିଜେଡି ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଛି ।

ତେବେ ଆଜିର ଏହି ଘଟଣା ସମ୍ପର୍କରେ ଶ୍ରୀମୟୀ, ମନ୍ମଥ ଓ ପ୍ରଦୀପଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନି । ସେଠାରେ ଉପସ୍ଥିତ ଦଳର ବରିଷ୍ଠ ନେତାମାନେ ମଧ୍ୟ ମୁହଁ ଖୋଲିବାକୁ ଅନିଚ୍ଛା ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ୩ମାସ ବିତିଯାଇଥିଲେ ମଧ୍ୟ ବିଜେଡି ନିଜର ନିର୍ବାଚନୀ ପରାଜୟର ସମୀକ୍ଷା କରୁନି । କିନ୍ତୁ ଜିଲ୍ଲାସ୍ତରରେ ଚାଲିଥିବା ସମୀକ୍ଷା ବୈଠକରେ ଦଳ ଭିତରେ କନ୍ଦଳ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଆଉ ବିଜେଡି ସଂଗଠନ ବେଶୀଦିନ ତିଷ୍ଠିବ ନାହିଁ ଓ ନେତୃତ୍ୱବିହୀନ ହୋଇ ଯାଇଥିବା ଦଳୀୟ ନେତା ଓ କର୍ମୀମାନେ ଆଶଙ୍କା ବ୍ୟକ୍ତ କରୁଥିବା ଜଣାପଡ଼ିଛି ।

BjD ShreeMayee Mishra Manmath Routray