ବିଜେଡିରେ ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଶଙ୍ଖଭବନରେ ଗତକାଲି ଭଦ୍ରକ ଜିଲ୍ଲା ସମୀକ୍ଷାବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମସ୍ତଙ୍କ ସମ୍ମୁଖରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ବରିଷ୍ଠ ନେତାମାନଙ୍କ କଡ଼ା ଆଭିମୁଖ୍ୟ ଓ ଆକଟ ପରେ ମନ୍ମଥ ବୈଠକସ୍ଥଳୀ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ । ଆଉ ବରିଷ୍ଠ ନେତାମାନଙ୍କ ହସ୍ତକ୍ଷେପରେ ପ୍ରଦୀପ ଓ ଶ୍ରୀମୟୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା ତଥା ନିଜର ଶସ୍ତା ଓ ଅରୁଚିକର ଟିପ୍ପଣୀ ପାଇଁ ପ୍ରଦୀପ ଦୁଃଖପ୍ରକାଶ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସମୀକ୍ଷା ବୈଠକ ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ସମସ୍ତ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ସମେତ ଆଗଧାଡ଼ିର କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ର ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା ଚାଲିଥିବାବେଳେ ନିଜର ସମର୍ଥକମାନଙ୍କ ସହ ଆସିଥିବା ମନ୍ମଥ ସିଧାସଳଖ ଶ୍ରୀମୟୀଙ୍କୁ ଅରୁଚିକର ଭାଷାରେ ଦୁର୍ବ୍ୟବହାର କରିଥିଲେ । ଏପରିକି ତାଙ୍କ ସହ ଥିବା କିଛି ଯୁବକ(ଦଳୀୟ କର୍ମକର୍ତ୍ତା ନୁହଁନ୍ତି) ମଧ୍ୟ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାକୁ ପଛାଇ ନଥିଲେ । ଶ୍ରୀମୟୀଙ୍କ ପାଇଁ ଭୁବନେଶ୍ୱରରେ ବିଜେଡି ଲୋକସଭା ସିଟ୍ ହାରିଲା ବୋଲି ସେ ଆକ୍ଷେପ କରିଥିଲେ । ଯାହା ଉପରେ ଶ୍ରୀମୟୀ ଆପତ୍ତି ଉଠାଇବାରୁ ମନ୍ମଥ ତାଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିଲେ ବୋଲି ସୂଚନା ମିଳିଛି ।
ସେଠାରେ ଥିବା ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ଓ ଖୋର୍ଦ୍ଧା ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଉଭୟଙ୍କୁ ନିରବ ରହିବାକୁ କହିଥିଲେ ମଧ୍ୟ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ସେଠାରେ ‘ନିଆଁରେ ଘିଅ ଢ଼ାଳିବା’ ଭଳି ଶ୍ରୀମୟୀଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ ଓ ଅରୁଚିକର ଟିପ୍ପଣୀ ଦେଇଥିଲେ ବୋଲି ଜଣାପଡ଼ିଛି । ଯାହାକୁ ନେଇ ସେଠାରେ ତୁମୂଳକାଣ୍ଡ ହୋଇଥିଲା । ସେଠାରେ ଥିବା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ବିଜୟ ନାୟକ, ଅମର ପଟ୍ଟନାୟକ ପ୍ରମୁଖ ସମସ୍ତଙ୍କୁ ବସାଇ ସମାଧାନ ପାଇଁ ପ୍ରୟାସ କରିବାବେଳେ ମନ୍ମଥ ଖୋଲାଖୋଲି ଭାବେ ଦଳୀୟ ସଂଗଠନକୁ ସମାଲୋଚନା କରିଥିଲେ । ଆଉ ଶ୍ରୀମୟୀଙ୍କ ଦଳରେ ଅବଦାନ କ’ଣ ବୋଲି ପ୍ରଶ୍ନ କରିବାରୁ ବରିଷ୍ଠ ନେତାମାନେ ଆପତ୍ତି ଉଠାଇଥିଲେ । ଏପରିକି ଶ୍ରୀମୟୀ ଛାତ୍ରାବସ୍ଥାରୁ ଦଳରେ ସକ୍ରିୟ ଅଛନ୍ତି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି ବୋଲି ଅତନୁଙ୍କ ସମେତ କିଛି ବରିଷ୍ଠ ନେତା କହିବା ସହ ମନ୍ମଥଙ୍କୁ ଆକଟ କରିଥିବା ଜଣାପଡ଼ିଛି । ଏହାପରେ ମନ୍ମଥ ବୈଠକସ୍ଥଳୀ ଛାଡ଼ି ପଳାଇଥିଲେ । ଆଉ ପ୍ରଦୀପ ନିଜେ ଦେଇଥିବା ଟିପ୍ପଣୀ ପାଇଁ ଦୁଃଖପ୍ରକାଶ କରିବା ପରେ ମାମଲା ଶାନ୍ତ ପଡ଼ିଥିଲା । ମାତ୍ର ମନ୍ମଥଙ୍କ ଏଭଳି ଆଚରଣକୁ ନେଇ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ଭରତପୁର ଥାନାରେ ପୁଲିସ ନିର୍ଯାତନା ଘଟଣାରେ ସେନା ଅଫିସରଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ଗଣମାଧ୍ୟମ ଆଗରେ ଯୁକ୍ତି ବାଢ଼ୁଥିବା ମନ୍ମଥ କିଭଳି ନିଜ ଦଳର ଜଣେ ନେତ୍ରୀଙ୍କ ପ୍ରତି ଏଭଳି ଅରୁଚିକର ଟିପ୍ପଣୀ ଓ ଆଚରଣ କଲେ ତାହା ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅନ୍ୟପକ୍ଷରେ ବିଜେଡି ସୂତ୍ର ଅନୁସାରେ ଦଳର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀଙ୍କ ପ୍ରତି ମନ୍ମଥ ଓ ପ୍ରଦୀପଙ୍କ ଶସ୍ତା ଟିପ୍ପଣୀକୁ ନେଇ ଏବେ ବିଜେଡି ରାଜନୀତି ବେଶ୍ ସରଗରମ ହୋଇଛି । ଦଳ ତାଙ୍କୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଓ ସହଯୋଗ ଦେଇ ୬ମାସ ବୁଲାଇବା ପରେ ଅଚାନକ ମନ୍ମଥଙ୍କୁ ଟିକେଟ୍ ଦେଇଥିଲା । ସେବେଠୁ ଶ୍ରୀମୟୀ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଥିଲେ । ତେବେ ରାଜ୍ୟରେ ବିଜେଡି ସରକାରର ପତନ ଓ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶ୍ରୀମୟୀଙ୍କୁ ପୁଣିଥରେ ସୋସିଆଲ ମିଡିଆ ଓ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ଭାବେ ଦେଖିବାକୁ ମିଳିଛି । ଗତ ୪ଦିନ ତଳେ ଶଙ୍ଖଭବନରେ ଦଳର ବରିଷ୍ଠ ଓ ଆଗଧାଡ଼ିର ନେତାମାନଙ୍କ ବୈଠକରେ ଶ୍ରୀମୟୀ ନିଜର କ୍ଷୋଭ ବ୍ୟକ୍ତ କରିବା ସହ ତାଙ୍କ ପ୍ରତି ଅନ୍ୟାୟ ହେବାବେଳେ କାହିଁକି ବରିଷ୍ଠ ନେତାମାନେ ଚୁପ୍ ରହିଲେ ଓ ନିଜର ଆଶୀର୍ବାଦ ଦେଲେନି ବୋଲି ପ୍ରଶ୍ନ କରିଥିବା ଜଣାପଡ଼ିଛି । ଆଜି ଶ୍ରୀମୟୀଙ୍କୁ ବୈଠକକୁ ଡାକି ପୁଣିଥରେ ଦୁର୍ବ୍ୟବହାର କରିବା ଘଟଣା ପରେ ସେ ବିଜେଡି ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଛି ।
ତେବେ ଆଜିର ଏହି ଘଟଣା ସମ୍ପର୍କରେ ଶ୍ରୀମୟୀ, ମନ୍ମଥ ଓ ପ୍ରଦୀପଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନି । ସେଠାରେ ଉପସ୍ଥିତ ଦଳର ବରିଷ୍ଠ ନେତାମାନେ ମଧ୍ୟ ମୁହଁ ଖୋଲିବାକୁ ଅନିଚ୍ଛା ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ୩ମାସ ବିତିଯାଇଥିଲେ ମଧ୍ୟ ବିଜେଡି ନିଜର ନିର୍ବାଚନୀ ପରାଜୟର ସମୀକ୍ଷା କରୁନି । କିନ୍ତୁ ଜିଲ୍ଲାସ୍ତରରେ ଚାଲିଥିବା ସମୀକ୍ଷା ବୈଠକରେ ଦଳ ଭିତରେ କନ୍ଦଳ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଆଉ ବିଜେଡି ସଂଗଠନ ବେଶୀଦିନ ତିଷ୍ଠିବ ନାହିଁ ଓ ନେତୃତ୍ୱବିହୀନ ହୋଇ ଯାଇଥିବା ଦଳୀୟ ନେତା ଓ କର୍ମୀମାନେ ଆଶଙ୍କା ବ୍ୟକ୍ତ କରୁଥିବା ଜଣାପଡ଼ିଛି ।