Advertisment

ବିଜେଡିରେ ପୁଣିଜଣେ ଅସନ୍ତୁଷ୍ଟ ନେତାଙ୍କ ବିସ୍ଫୋରକ ବୟାନ: ଦଳ ଛାଡ଼ିବା ନେଇ ଦେଲେ ସଙ୍କେତ

ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ର, ଅଶୋକ ପଣ୍ଡା ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ଭୂପିନ୍ଦର ସିଂ ଆଜି ସାଂଗଠନିକ ନେତୃତ୍ୱ ଓ ନୀତିକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

author-image
Ordigital Desk
BJD

BJD

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ଓ ତା’ପରବର୍ତ୍ତୀ ସାଂଗଠନିକ ପରିଚାଳନାକୁ ନେଇ ବିଜେଡିରେ ଘମାସନ ଲାଗି ରହିଛି । ପୁଣିଜଣେ ବରିଷ୍ଠ ନେତା ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜେଡି ଛାଡ଼ିବା ନେଇ ପରୋକ୍ଷରେ ସଙ୍କେତ ଦେଇଛନ୍ତି ।

Advertisment

ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ର, ଅଶୋକ ପଣ୍ଡା ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ଭୂପିନ୍ଦର ସିଂ ଆଜି ସାଂଗଠନିକ ନେତୃତ୍ୱ ଓ ନୀତିକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳ ଏବେ ତୃଣମୂଳସ୍ତରର ଲୋକ ଓ କର୍ମୀମାନଙ୍କ ଆଶାନୁରୂପ କାର୍ଯ୍ୟ କରୁନଥିବା ଓ ନେତୃତ୍ୱ ନେଉଥିବା ନିଷ୍ପତ୍ତି ଉପରେ ସେ ପ୍ରଶ୍ନବାଚୀ ଉଠାଇଛନ୍ତି ।

ବିରୋଧୀ ଦଳ ଭୂମିକା ତୁଲାଇ ପାରୁନି ବିଜେଡି: ଭୂପିନ୍ଦର

ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ଏବେ ମୁଖ୍ୟ ବିରୋଧୀ ଦଳ ଭୂମିକା ଠିକ୍ ଭାବେ ନିର୍ବାହ କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ତା’ର ଫାଇଦା କଂଗ୍ରେସକୁ ମିଳୁଛି । ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ କୌଣସି ପ୍ରଭେଦ ନାହିଁ ବୋଲି ଲୋକେ ଅନୁଭବ କରୁଛନ୍ତି । ତେଣୁ ସେମାନେ କଂଗ୍ରେସକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ।

Advertisment

ବିରୋଧୀ ଦଳ ଭାବେ ବିଜେଡି ଠିକ୍ ଭାବେ ପ୍ରସଙ୍ଗ ଉଠାଉନଥିବାରୁ ତାର ଫାଇଦା କଂଗ୍ରେସ ନେଉଛି । ଲୋକେ ବିଜେଡିଠୁ ଦୂରେଇ ନାହାନ୍ତି, କିନ୍ତୁ ବିରୋଧୀ ଦଳଠାରୁ ଯାହା ଆଶା କରୁଛନ୍ତି, ତାହା ବିଜେଡି କରୁନାହିଁ । ୨୦୨୪ ସାଧାରଣ ନିର୍ବାଚନ ପରଠୁ ଆଜିପର୍ଯ୍ୟନ୍ତ ସଂସଦରେ ଆମର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରି ନାହିଁ । ଏହାକୁ ଦଳର ନେତାମାନେ ଗମ୍ଭୀରତାର ସହ ନେବା ଦରକାର । ଭୂପିନ୍ଦର କାହିଁକି ଏହା କହିଲା ବୋଲି ଭାବିବା ଅନୁଚିତ୍‌, ଲୋକଙ୍କ ମତକୁ କେବଳ ପରିପ୍ରକାଶ କରୁଛି । ଯଦି ଆମେ ଲୋକଙ୍କ କଥାକୁ ଖାମଖିଆଲି ଭାବେ ନେବୁ, ତେବେ ଦଳ ପାଇଁ ତାହା କ୍ଷତି ହେବ । ତେଣୁ ଆମର ଆଭିମୁଖ୍ୟ ସ୍ପଷ୍ଟ ହେବା ଦରକାର । 

କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ କହିଲେ ଭୂପିନ୍ଦର

ବିଜେଡି ନେତା ଭୂପିନ୍ଦର ସିଂ ଏହି ଅବସରରେ କଂଗ୍ରେସକୁ ପ୍ରଶଂସା କରିବାକୁ ପଛାଇନାହାନ୍ତି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ(ବିରୋଧୀ ଦଳ ନେତା ପଦ) ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଶ୍ରୀ ସିଂ କହିଛନ୍ତି ଯେ, ଦେଶ ଓ ରାଜ୍ୟରେ କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ । ଯଦି ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଦାୟିତ୍ୱ ଠିକ୍ ଭାବେ ନିର୍ବାହ ନକରେ, ତେବେ କଂଗ୍ରେସ ଆହୁରି ଆଗକୁ ବଢ଼ିବ ।  କଂଗ୍ରେସର ଭବିବଷ୍ୟତ ଦେଶ ଓ ରାଜ୍ୟରେ ବଢ଼ୁଛି । କଂଗ୍ରେସକୁ ଏଭଳି ଖୋଲା ପ୍ରଶଂସା କରି ସେ ନିଜର ପୁରୁଣା ଦଳକୁ ଫେରିବା ପାଇଁ ଯୋଗସୂତ୍ରରେ ରହିଥିବା ନେଇ ହେଉଥିବା ଚର୍ଚ୍ଚାକୁ ଅଧିକ ବଳ ଦେଇଥିବା କୁହାଯାଉଛି ।

ବିଜେଡିରେ ଅସନ୍ତୁଷ୍ଟଙ୍କ ତାଲିକା ବଢ଼ିବାରେ ଲାଗିଛି

ଦଳରେ ତୀବ୍ର ଅନ୍ତଃକନ୍ଦଳ, ନିର୍ବାଚନୀ ପରାଜୟର ସମୀକ୍ଷା ନହେବା, ମନଇଚ୍ଛା ସାଂଗଠନିକ ନିଷ୍ପତ୍ତି ନିଆଯିବା ଆଦି ପ୍ରସଙ୍ଗରେ ବରିଷ୍ଠ ନେତାମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି । ଦଳର ଅସ୍ପଷ୍ଟ ନୀତି, ନେତୃତ୍ୱଗତ ଦୁର୍ବଳତା ଏବଂ ଅନ୍ତଃକନ୍ଦଳ ଦଳକୁ ଆହୁରି ଦୁର୍ବଳ କରୁଛି । କଂଗ୍ରେସର ସକ୍ରିୟ ସାଂଗଠନିକ କାର୍ଯ୍ୟକ୍ରମ ଓ ଉତଥାନ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରୁଛି ।

ବିଜେଡି ଯଦି ଏହି ସଙ୍କଟର ସମାଧାନ ନକରେ, ତେବେ ଆଗାମୀ ଦିନରେ ବିଜେଡି ପାଇଁ ରାଜନୀତିକ ସ୍ଥିତି ଆହୁରି ଜଟିଳ ହୋଇପାରେ । ବିଜେଡି ନେତା ଦେବାଶୀଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ ଓ ଅଶୋକ ପଣ୍ଡା ପ୍ରମୁଖ ଏନେଇ ସଙ୍କେତ ଦେଇସାରିଥିଲେ ମଧ୍ୟ ଦଳୀୟ ନେତୃତ୍ୱ ସେଥିପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିବା ଜଣାପଡ଼ିଛି ।

Odisha BjD Bhupinder Singh