Advertisment

ଉଠିଲାଣି ବିଦ୍ରୋହର ସ୍ୱର, ଭାଙ୍ଗି ଯିବ ଆଉ ଗୋଟିଏ ଦଳ!

ଅନେକ ବିଧାୟକ ତାଙ୍କ ସଂପର୍କରେ ଅଛନ୍ତି ବୋଲି ଇବ୍ରାହିମ ଦାବି କରିଛନ୍ତି। କିନ୍ତୁ ସେ ବିଧାୟକମାନଙ୍କ ନାଁ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି।

author-image
Jitendra Garnayak
CM Ibrahim

CM Ibrahim

ଗତ ମାସରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇଥିଲା ଜନତା ଦଳ (ସେକ୍ୟୁଲାର) ବା ଜେଡି (ଏସ୍‌)। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜେଡି (ଏସ୍‌) ଏନ୍‌ଡିଏରେ ସାମିଲ ହୋଇଛି। କର୍ଣ୍ଣାଟକାରେ ବିଜେପି ସହିତ ମିଶି ସେମାନେ ଲୋକସଭା ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ଜେଡି (ଏସ୍‌)ର ସବୁ ନେତା ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି। କିଛି ନେତା ଏହି ନିଷ୍ପତ୍ତିକୁ ନେଇ ସନ୍ତୁଷ୍ଟ ନାହାନ୍ତି। ଏ କଥା ଆଜି ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି।

Advertisment

ଜେଡି(ଏସ୍‌)ର କର୍ଣ୍ଣାଟକା ରାଜ୍ୟ ସଭାପତି ସି.ଏମ୍‌ ଇବ୍ରାହିମ ଆଜି କହିଛନ୍ତି ଯେ ଯଦି ଦଳର ସୁପ୍ରିମୋ ଏଚ୍‌ଡି ଦେବେ ଗୌଡ଼ା ଓ ତାଙ୍କ ପୁଅ ଏଚ୍‌.ଡି କୁମାରସ୍ୱାମୀ ବିଜେପି ସହିତ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତା’ହେଲେ ସେମାନେ ସେଭଳି କରିବାକୁ ସଂପୂର୍ଣ୍ଣ ସ୍ୱାଧୀନ। କିନ୍ତୁ ଆମେ ଆମର ଧର୍ମନିରପେକ୍ଷ ମୂଲ୍ୟବୋଧରେ ନିଶ୍ଚଳ।

ଇବ୍ରାହିମ କହିଛନ୍ତି ଯେ ସେ ତାଙ୍କ ନିଷ୍ପତ୍ତିରେ ପୂରା ଅଟଳ। ସେ ଆଦୌ ବିଜେପି ସହିତ ହାତ ମିଳେଇବେ ନାହିଁ।

Advertisment

ସେ ଆହୁରି କହିଛନ୍ତି, ଆମର ପ୍ରଥମ ନିଷ୍ପତ୍ତି ହେଉଛି ଜେଡି (ଏସ୍‌) ଏନ୍‌ଡିଏରେ ସାମିଲ ହେବ ନାହିଁ। ଆମର ଦ୍ୱିତୀୟ ନିଷ୍ପତ୍ତି ହେଉଛି ଏଭଳି ଏକ ନିଷ୍ପତ୍ତିରୁ ଓହରିଯିବାକୁ ଦେବେ ଗୌଡ଼ାଙ୍କୁ ଅନୁରୋଧ କରାଯିବ।

ଇବ୍ରାହିମ କହିଛନ୍ତି ଯେ ତାଙ୍କ ସପକ୍ଷରେ ଯେଉଁ ନେତାମାନେ ଅଛନ୍ତି, ସେମାନେ ହେଉଛନ୍ତି ଜେଡି (ଏସ୍‌)ର ପ୍ରକୃତ ନେତା। କାରଣ ସେମାନେ ଧର୍ମନିରପେକ୍ଷ ମୂଲ୍ୟବୋଧକୁ ବଜାୟ ରଖିଛନ୍ତି। ଆଉ ଦଳର ରାଜ୍ୟ ସଭାପତି ଭାବେ ସେ କର୍ଣ୍ଣାଟକା ପାଇଁ ନିଷ୍ପତ୍ତି ନେଇପାରିବେ।

ଇବ୍ରାହିମଙ୍କ ଏଭଳି ମନ୍ତବ୍ୟ ଦଳକୁ ଦୁଇ ଭାଗ କରିଦେବ ବୋଲି ଜୋରସୋରରେ ଆଲୋଚନା ହେଉଛି। ତାଙ୍କର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଏଚ୍‌.ଡି କୁମାରସ୍ୱାମୀ କହିଛନ୍ତି ଯେ ତାଙ୍କର (ଇବ୍ରାହିମଙ୍କର) ସ୍ୱାଧୀନ ଭାବେ ନିଷ୍ପତ୍ତି ନେବାର ଅଧିକାର ଅଛି। ସେମାନେ ତାଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

ଇବ୍ରାହିମ ଏକ କୋର୍ କମିଟି ଗଠନ କରିବାକୁ ଯୋଜନା କରିଛନ୍ତି। ଏହି କମିଟି ଏଚ୍‌ଡି ଦେବଗୌଡ଼ାଙ୍କୁ ଭେଟିବ ଓ ସେମାନେ ନେଇଥିବା ନିଷ୍ପତ୍ତି ସଂପର୍କରେ ତାଙ୍କୁ ଜଣାଇବ।

ଜେଡି (ଏସ୍‌)ର ଅନେକ ବିଧାୟକ ତାଙ୍କ ସଂପର୍କରେ ଅଛନ୍ତି ବୋଲି ଇବ୍ରାହିମ ଦାବି କରିଛନ୍ତି। କିନ୍ତୁ ସେ ବିଧାୟକମାନଙ୍କ ନାଁ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି।

Bjp JD (S)