Advertisment

ସରକାର ବିରୋଧୀ ହାୱା: ଏରିଆ ଯିବାକୁ ଡରୁଛନ୍ତି ମନ୍ତ୍ରୀ ଓ ବିଧାୟକ, କାମ ତୁଲାଉଛନ୍ତି ଆଇଏଏସ୍‌

ନିର୍ବାଚନୀ ବର୍ଷରେ ସାଧାରଣ ଭୋଟରଙ୍କ ସହ ଯୋଡ଼ି ହେବା ପାଇଁ ଶାସକ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ପଛଘୁଂଚା ଦେଉଛନ୍ତି ।

author-image
Ordigital Desk
Naveen Patnaik Chief minister of Odisha

Naveen Patnaik Chief minister of Odisha

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଂଚମ ପାଳିର  ପଂଚମ ବର୍ଷ ଆସନ୍ତା ମେ’ ୨୯ରୁ ଆରମ୍ଭ କରିବେ ।  ନିର୍ବାଚନୀ ବର୍ଷରେ ସାଧାରଣ ଭୋଟରଙ୍କ ସହ ଯୋଡ଼ି ହେବା ପାଇଁ ଶାସକ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ପଛଘୁଂଚା ଦେଉଛନ୍ତି । ଯେଉଁଥିପାଇଁ ଏବେ ବରିଷ୍ଠ ଆଇଏଏସ ଅଫିସରମାନଙ୍କୁ ପ୍ରତ୍ୟେକ ମାସର ତୃତୀୟ ସପ୍ତାହର ଦିନେ ଅବା ଦୁଇଦିନ ସେମାନଙ୍କୁ ଆବଂଟିତ ଜିଲ୍ଲାରେ ବିତାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମନ୍ତ୍ରୀମାନେ ନିୟମିତ ଜିଲ୍ଲା ଗସ୍ତରେ ଯିବା ଓ ବିଧାୟକମାନେ ନିଜ ଅଂଚଳ ଗସ୍ତରେ ଯାଇ ସାଧାରଣ ଲୋକଙ୍କ ସହ ସମସ୍ୟାରେ ଭାଗିଦାରୀ ହେବାକୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଉଥିବାବେଳେ ଏବେ ରାଜ୍ୟବ୍ୟାପୀ କ୍ଷମତାବିରୋଧୀ ହାୱାକୁ ଦୃଷ୍ଟିରେ ରଖି ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ଜିଲ୍ଲା ଗସ୍ତରେ ପଠାଇବାକୁ ବିଜେଡି ରଣନୀତିକାର ଚାହୁଁନଥିବା ଜଣାପଡ଼ିଛି । ଏପରିକି ଆସନ୍ତା ମେ’ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ସରକାରର ପଂଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପାଇଁ ବିଭିନ୍ନ ବିଭାଗର ସମୀକ୍ଷା ପାଇଁ ଯୋଜନା କରୁଥିବାବେଳେ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜର ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ପଂଚମ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଆସନ୍ତା ମାସରେ ହେବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ବିଭାଗର ସମୀକ୍ଷା କରିବେ । ବିଭାଗଗୁଡ଼ିକୁ ଏନେଇ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ମନ୍ତ୍ରୀମାନେ ଏହି ସମୀକ୍ଷା ବୈଠକକୁ କିଭଳି ସମ୍ମୁଖୀନ ହେବେ ତାକୁ ନେଇ ଚିନ୍ତାରେ ରହିଛନ୍ତି । ମନ୍ତ୍ରୀମାନଙ୍କ ଜିଲ୍ଲା ଗସ୍ତ ଏବେ ପ୍ରାୟତଃ ନଥିବାବେଳେ ବିଜେଡି ବିଧାୟକମାନେ ବି ଲୋକଙ୍କ ଆକ୍ରୋଶକୁ ଡ଼ରି ନିର୍ବାଚନମଣ୍ଡଳୀକୁ ଯିବାଆସିବା କମାଇ ଦେଇଛନ୍ତି ।

ଏପଟେ ସମସ୍ତ କାର୍ଯ୍ୟରେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଅତ୍ୟଧିକ ଗୁରୁତ୍ୱ ଦିଆଯିବା ତଥା ତାଙ୍କର ଆଚରଣ-ଉଚ୍ଚାରଣ ଅତ୍ୟନ୍ତ ରୁକ୍ଷ ହେଉଥିବାରୁ ବିଜେଡିରେ ତୀବ୍ର ଅସନ୍ତୋଷ କୁହୁଳିବାରେ ଲାଗିଛି । ଟିକେଟ୍ ଆଶାରେ ଦଳୀୟ ନେତାମାନେ ନିରବ ରହିଥିଲେ ବି ପ୍ରଣବଙ୍କ ଆଚରଣକୁ ହଜମ କରିବାରେ ମୁଡରେ ନାହାନ୍ତି । ନିର୍ବାଚନମଣ୍ଡଳୀରେ ବଢ଼ୁଥିବା ସରକାରୀବିରୋଧୀ ହାୱା, ଜିଲ୍ଲା ଓ ବ୍ଲକସ୍ତରର ଅଫିସରମାନଙ୍କ ମାତ୍ରାଧିକ ପ୍ରଭାବ ବୃଦ୍ଧି , ସଂଗଠନରେ ଆପତ୍ତି-ଅଭିଯୋଗ ଶୁଣିବାର ବ୍ୟବସ୍ଥା ନଥିବା, ଦଳରେ ବଢ଼ୁଥିବା ତୀବ୍ର ଅସନ୍ତୋଷ ଓ ଛକାପଞ୍ଝାକୁ ଦୃଷ୍ଟିରେ ରଖି ଅଧିକାଂଶ ବିଜେଡି ବିଧାୟକ ଓ ମନ୍ତ୍ରୀ ନିଜକୁ ନିରାପଦ ଦୂରତ୍ୱରେ ରଖିବାରେ ଲାଗିଛନ୍ତି ।

Advertisment

ଗଣମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରି ନବୀନ ପଟ୍ଟନାୟକ ସରକାର ନିଜର ଭାବମୂର୍ତ୍ତି ସୁଧାରିବାକୁ ପ୍ରୟାସ କରୁଥିଲେ ମଧ୍ୟ ଗାଁ ଗହଳିରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇଯିବା, ବ୍ଲକ ଓ ପଂଚାୟତସ୍ତରରେ ପିସି କାରବାର ବୃଦ୍ଧି ପାଇବା ଏବଂ ଜନପ୍ରତିନିଧିମାନଙ୍କ ପ୍ରଭାବ କ୍ରମାଗତ ଭାବେ ଗୌଣ ହେବା ଭଳି କେବଳ ବିଜେଡି ବିଧାୟକ ଓ ମନ୍ତ୍ରୀ ନୁହଁନ୍ତି ସ୍ଥାନୀୟ କର୍ମୀମାନଙ୍କ ମଧ୍ୟରେ ବି ଅସନ୍ତୋଷର କାରଣ ପାଲଟିଛି । ବିଧାୟକମାନଙ୍କ ଗତିବିଧି ଉପରେ ଗୁଇନ୍ଦା ବିଭାଗ ତୀକ୍ଷ୍ଣ ନଜର ବି ରଖିଛି । ଯେଉଁଥିପାଇଁ ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ଏବଂ ବିଧାୟକମାନେ ନିର୍ବାଚନମଣ୍ଡଳୀ ଗସ୍ତ ଉପରେ ଫୋକସ ଦେବା ପରିବର୍ତ୍ତେ ଭୁବନେଶ୍ୱରରେ ଅଧିକାଂଶ ସମୟ ବିତାଇବାରେ ଲାଗିଛନ୍ତି ।

କ୍ରମାଗତ ପଂଚମ ପାଳି ସରକାର ଗଠନ ପାଇଁ ଓଡ଼ିଶାବାସୀ ସ୍ପଷ୍ଟ ଜନାଦେଶ ଦେବା ସତ୍ତ୍ୱେ ନବୀନ ପଟ୍ଟନାୟକ ସରକାର ଅଧିକ ଉତ୍ତରଦାୟୀ ହେବା ପରିବର୍ତ୍ତେ ଚଳିତ ପାଳିରେ ନିଜକୁ ଦୁର୍ନୀତି,ଅପରାଧ ଓ ମହିଳା ବିରୋଧୀ ହିଂସାରେ ଜଡ଼ିତ କରିଛି । ଦଳ  ନିଜର ସୋସିଆଲ ମିଡିଆ ଟିମ୍ ଓ ନିୟନ୍ତ୍ରିତ ଗଣମାଧ୍ୟମ ଜରିଆରେ ଏଭଳି ସ୍ଥିତିକୁ ଚପାଇବାକୁ ପ୍ରୟାସ କରୁଥିଲେ ମଧ୍ୟ ସାଧାରଣରେ ଲୋକଙ୍କ ଭିତରେ ସରକାରୀବିରୋଧୀ ହାୱା ତୀବ୍ର ହେବାରେ ଲାଗିଛି । ଯେଉଁଥିପାଇଁ ତୃତୀୟ ମହଲା ରାଜ୍ୟର ମନ୍ତ୍ରୀମାନଙ୍କୁ ଜିଲ୍ଲା ଗସ୍ତରେ ପଠାଇବା ପରିବର୍ତ୍ତେ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲାରେ ରାତି ବିତାଇ ସରକାରଙ୍କ ଭାବମୂର୍ତ୍ତି ସୁଧାରିବାକୁ ଦାୟିତ୍ୱ ଦେଇଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଆଇଏଏସ ଅଫିସରମାନେ ନିଜ ଆବଂଟିତ ଜିଲ୍ଲାରେ ଯାଇ ରାତି ବିତାଉଥିଲେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ ସାମାନ୍ୟତମତ ଆଲୋଚନା କରିବାକୁ ଉଚିତ୍ ମଣୁନାହାନ୍ତି । ସରକାରୀ କଳ ସବୁକିଛି ନିୟନ୍ତ୍ରଣ କରୁଥିବାରୁ ନିର୍ବାଚିତ ଜନପ୍ରତିନିଧିମାନେ ନିଜକୁ ଅସହାୟ ମଣୁଛନ୍ତି ।  ଖାସ୍ ଏସବୁ କାରଣରୁ ଗତ ବିଧାନସଭା ଅଧିବେଶନବେଳେ ବିଜେଡି ବିଧାୟକମାନଙ୍କୁ ନିଜ ଅଂଚଳରେ ବୁଦ୍ଧିଜୀବୀ ସମ୍ମିଳନୀ କରି ରାଜ୍ୟ ବଜେଟର ନୂଆ ଯୋଜନା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ବି ୮୦%ରୁ ଅଧିକ ବିଜେଡି ବିଧାୟକ ଏଭଳି ସମ୍ମିଳନୀ କରିବାରେ ଆଗ୍ରହ ଦେଖାଇ ନଥିଲେ ।

ଟିକେଟ୍ ଆଶାରେ ସମସ୍ତେ ଏସବୁ ସହ୍ୟ କରୁଥିଲେ ମଧ୍ୟ ନିର୍ବାଚନ ସମୟରେ ଏହା ବିସ୍ଫୋରକ ପରିସ୍ଥିତି ହେବାର ଆଶଙ୍କା ରହିଛି । ପଂଚମ ପାଳି ସରକାରରେ କେବଳ ‘ମନ୍ଦିର ଭଙ୍ଗାଗଢ଼ା’ରେ ସରକାରଙ୍କ ବିକାଶ ସୀମିତ ଥିବାବେଳେ କଟକ ବଡ଼ ମେଡିକାଲରେ ଏମସ୍ ପ୍ଲସସ୍ତରୀୟ ଚିକିତ୍ସା ସୁବିଧା ଯୋଗାଣ କେବଳ ସୁନ୍ଦର ସ୍ୱପ୍ନ ହୋଇ ରହିଛି । ଏବେବି କଟକ ଏସସିବି ମେଡିକାଲରେ ଗରିବ ରୋଗୀମାନେ ବାରଣ୍ଡାରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଚିକିତ୍ସା ସେବା ପାଇ ଅପେକ୍ଷା କରି ରହୁଛନ୍ତି । ପଂଚମପାଳିରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବାର ସମ୍ଭାବନା ବେଶୀ ଥିଲେ ବି କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ ସମ୍ଭବପର ହୋଇପାରିଲା ନାହିଁ । ମହାନଦୀ ଜଳ ବିବାଦ ୨୦୧୬ରୁ ଲାଗି ରହିଥିଲେ ବି ଦୀର୍ଘ ୭ବର୍ଷ ମଧ୍ୟରେ ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲା ନାହିଁ । ଏହି ଅବଧି ମଧ୍ୟରେ କୌଣସି ବୃହତ୍ ଶିଳ୍ପ କାର୍ଯ୍ୟକ୍ଷମ ବି ହୋଇପାରିନି । ସବୁକିଛି କେବଳ ଘୋଷଣା ଓ ଆତ୍ମପ୍ରଚାରରେ ସୀମିତ ରହିଛି ।

ସୂଚନାଯୋଗ୍ୟ, ବିଜେଡିର ଏବେ ୧୧୧ଜଣ ବିଧାୟକ(୨ଜଣ ନିଲମ୍ବିତ) ଥିବାବେଳେ ସେଥିରେ ୪୬ଜଣ ପ୍ରଥମଥର ପାଇଁ ବିଧାନସଭା ଆସିଛନ୍ତି । ଅଧିକାଂଶ ବିଧାୟକଙ୍କ ପ୍ରଦର୍ଶନ ଚଳିତ ପାଳିରେ ଉତ୍ସାହପ୍ରଦ ନଥିବାବେଳେ ବିଜେଡି ଅଧାରୁ ଅଧିକ ବିଧାୟକଙ୍କୁ ଟିକେଟ୍ ନଦେବାକୁ ଯୋଜନା ରଖିଥିବା ଜଣାପଡ଼ିଛି । ଅବଶ୍ୟ ସରକାରବିରୋଧୀ ହାୱା ସତ୍ତ୍ୱେ ତା’ର ଫାଇଦା ନେବାରେ ବିରୋଧୀ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି । କେନ୍ଦ୍ରୀୟ ବିଜେପି ପ୍ରତି ବିଜେଡିର କୋହଳ ଆଭିମୁଖ୍ୟ ଓ ଏନଡିଏ ସରକାରକୁ ସବୁ ପ୍ରସଙ୍ଗରେ ସମର୍ଥନ ଯୋଗୁ ରାଜ୍ୟରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଲାଗି ରହିଛି । ଆଉ କଂଗ୍ରେସ ନିଜକୁ ସଂଗଠିତ କରିବାରେ ବି ଏଯାଏ ସଫଳ ହୋଇନି । ଏସବୁ ସତ୍ତ୍ୱେ ବିଜେଡିରେ ବଢ଼ୁଥିବା ସାଂଗଠନିକ ଅସନ୍ତୋଷ  ଓ ସାଧାରଣ ଲୋକଙ୍କ ମଧ୍ୟରେ ସରକାରବିରୋଧୀ ହାୱା ଆଗାମୀ ନିର୍ବାଚନରେ ବିଜେଡିର ଅଙ୍କ ବିଗାଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

Bjd Politics