Advertisment

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଲେ ଅନୁଭବ।

author-image
Jitendra Garnayak
ଅଦ୍ୟତନ ହୋଇଛି
Anubhav

Anubhav

କିଛି ଦିନ ଧରି ହେଉଥିବା ଆଲୋଚନା ସତ ହେଲା। ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଆଜି ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। 

Advertisment

୨୦୧୯ରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି।  ଏହା ପୂର୍ବରୁ ଅନୁଭବ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡି କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅଂଶୁମାନ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଟିକେଟ୍ କଟିଯିବା ପରେ ଅନୁଭବ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିଲା। 

ଗତ କିଛି ବର୍ଷ ହେଲା ପାରିବାରିକ ବିବାଦରେ ଫସି ଯାଇଥିବା ଅନୁଭବ ମହାନ୍ତି ଦଳରେ ମଧ୍ୟ କୋଣଠେସା ହୋଇ ରହିଯାଇଥିଲେ। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ କରାଯାଉ ନଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଥିଲା। 

Advertisment

ଅନୁଭବ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ହୋଲି ପାର୍ଟିରେ ଅନୁଭବଙ୍କୁ ଦେଖିବାକୁ ମିଳିଥିଲା। ତା’ପରଠୁ ଅନୁଭବ ବିଜେଡି ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଥିଲା।  

ଅନୁଭବଙ୍କ ପୂର୍ବରୁ ଆଜି ଆଉ ଜଣେ ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାଶ ନାୟକ ବିଜେଡିରୁ ଇସ୍ତଫା ଘୋଷଣା କରିଥିଲେ। ଦୁଇ ଦିନ ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ିଥିଲେ। ସେ ଦୁଇ ଥର ବ୍ରହ୍ମପୁର ଆସନରୁ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ତା’ ପୂର୍ବରୁ ଅରିନ୍ଦମ ରାୟ ବିଜେଡି ଛାଡ଼ି ଥିଲେ। 

BjD Anubhav Mohanty