/odisha-reporter/media/post_attachments/uploadimage/library/16_9/16_9_0/Old_Files_1717774853.jpg)
Old Files
ଚିଟ୍ଫଣ୍ଡ ଟଙ୍କା ଖାଇଛି କିଏ ? ରତ୍ନଭଣ୍ଡାରର ଡ୍ୟୁପ୍ଲିକେଟ୍ ଚାବି କୁଆଡୁ ଆସିଲା ? କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅସଲ ଭିଲେନ୍ କିଏ ? କାହିଁକି ବାଟବଣା ହୋଇଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ତଦନ୍ତ ? ଦୀର୍ଘ ୨୫ବର୍ଷ ଧରି ଓଡ଼ିଶାରେ କ୍ଷମତାରେ ଥିବାବେଳେ ବିଜେଡି ସରକାର ଅମଳରେ ଘଟିଥିବା ଏମିତି ମାଳ ମାଳ ଲୋମଟାଙ୍କୁରା ଓ ଚର୍ଚ୍ଚିତ ଘଟଣାର ଖୋଲିବ କି ଫାଇଲ୍। ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ହଜାର ହଜାର ଲୋକଙ୍କ ଆଗରେ ସିଧା ସଭାମଞ୍ଚରୁ ଖୋଦ୍ ମୋଦିଙ୍କଠୁ ଶାହଙ୍କ ଯାଏଁ ଏସବୁ ମାମଲାର ତଦନ୍ତ ପାଇଁ ଦେଇଥିବା ଗ୍ୟାରେଣ୍ଟି ଉପରେ ଆରମ୍ଭ ହୋଇଗଲାଣି ଆଲୋଚନା।
ପୁରୀରେ ସେବାୟତ ବି କହିଲେଣି- ମୋଦି ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା ପାଳନ କରନ୍ତି। ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି କିଏ ଓ କାହିଁକି ତିଆରି କରିଥିଲେ ? ପରିକ୍ରମା ପ୍ରକଳ୍ପ ନାଁରେ ୪୨ ଶହ କୋଟି ଟଙ୍କା କେଉଁମାନେ ଖାଇଲେ ? ୪ଦ୍ୱାର ନଖୋଲିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ? ଏ ସବୁ ଗୋଟି ଗୋଟି କରି ଲୋକଲୋଚନକୁ ଆସିଯିବ। କେବଳ ନୂଆ ବିଜେପି ସରକାରର ଶପଥ ଗ୍ରହଣକୁ ଅପେକ୍ଷା। ସେମିତି କଳଙ୍କି ଲାଗିଥିବା ଚିଟ୍ଫଣ୍ଡ ଘୋଟାଲାର ପେଡ଼ି ପୁନଃ ଖୋଲି ପରଦା ପଛର ଚୋରଙ୍କୁ ଜେଲ୍ରେ ପୂରାଇବା ସହ ଗରିବ ଲୋକଙ୍କ ଟଙ୍କା ଫେରାଇବାକୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ବିଜେପି ସରକାର ନିଶ୍ଚେ ପାଳନ କରିବ ବୋଲି ଆଶା ରଖିଛି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ।
ଓଡ଼ିଶାରେ ନୂଆ ବିଜେପି ସରକାରଠୁ ନ୍ୟାୟ ମିଳିବାର ଆଶା ଏଇଠି ସରିନି। ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ତିଥିରେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ତାଙ୍କର ୪ ଶିଷ୍ୟଙ୍କୁ ନିର୍ମମ ହତ୍ୟାର ତଦନ୍ତ ଫାଇଲ୍ ବି ଖୋଲିବା ନେଇ ବଢ଼ିଛି ଆଶା। ସ୍ବାମୀଜୀଙ୍କ ଅନୁଗାମୀ ମାନେ କହିଛନ୍ତି- ଉକ୍ତ ଘଟଣାରେ ତିନି ତିନିଟି କମିଶନ ଯଥାକ୍ରମେ ପାଣିଗ୍ରାହୀ କମିଶନ, ମହାପାତ୍ର କମିଶନ ଓ ନାଇଡୁ କମିଶନଙ୍କ ରିପୋର୍ଟକୁ ବିଜେଡି ସରକାର ଚାପି ରଖିଲେ। ଦୋଷୀ ଖୋଲାଖୋଲି ବୁଲିଲେ। ନୂଆ ସରକାର ଏହାର ସିବିଆଇ ତଦନ୍ତ କରାଇଲେ ସତ ପଦାକୁ ଆସିବ।
ସେମିତି ଗତବର୍ଷ ଜାନୁଆରୀ ୨୯ରେ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଭାବେ ମନ୍ତ୍ରୀ ନବ ଦାସଙ୍କୁ ବିଚ୍ ରାସ୍ତାରେ ଗୁଳିକରି ହତ୍ୟା କରିବା ପଛର ଅସଲ ଭିଲେନ୍ କିଏ ? ସେ ଫାଇଲ୍ ବି ଖୋଲାଯିବା ଦରକାର ବୋଲି ଉଠିଲାଣି ଦାବି। ଏହାଛଡ଼ା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମାଲା, ପିହୁ ନିଖୋଜ ମାମଲା, କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର, ବ୍ରହ୍ମଗିରିର ଆୟୁଷ ଡାକ୍ତରାଣୀ ମାଧବୀଲତା ହତ୍ୟା ମାମଲା ହେଉ କି ମାହାଙ୍ଗା ଡବଲ ମର୍ଡର ଘଟଣା, ସବୁ ପଛରେ ବିଜେଡି ସରକାରର ଜଣେ ଜଣେ ପୂର୍ବତନ ଟାଣୁଆ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଥିଲେ ବି ତଦନ୍ତର ଦିଗକୁ ମୋଡ଼ି ମକଚି ଦିଆଯାଇଥିବା ଅଭିଯୋଗ ହୋଇଛି। ଏସବୁ ମାମଲାରେ ପୀଡ଼ିତଙ୍କ ପରିବାର ଲୋକଙ୍କ ପକ୍ଷରୁ ନୂଆ ସରକାରଠାରୁ ନ୍ୟାୟ ମିଳିବା ଆଶାରେ ଆଜି ଶ୍ରୀମନ୍ଦିର ଆଗରେ ଦୀପଦାନ କରାଯାଇଛି।
ରାଜ୍ୟ ବିଜେପି ନେତାଙ୍କ ପ୍ରତିକ୍ରିୟା ଲୋକଙ୍କ ଆଶ ବଢାଇଛି ସେମାନେ ଖୋଲା ଖୋଲି କହୁଛନ୍ତି, ରାଜ୍ୟରେ ଯେ କୌଣସି ବଡ଼ ଦୁର୍ନୀତି ହେଉ କି ହତ୍ୟା ମାମଲା, ସବୁର ତଦନ୍ତ ହେବ। ଯେତେବଡ଼ ନେତା ହୋଇଥାନ୍ତୁ ନା କାହିଁକି ସେମାନଙ୍କୁ ଜେଲ୍ ପଠାଯିବ। ମୋଦିଙ୍କ ଗ୍ୟାରେଣ୍ଟି ନିଶ୍ଚେ ପାଳନ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
