Advertisment

‘ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର’

ପଦ୍ମକେଶରୀପୁର ହିଂସା ପଛର କାରଣ ଖୋଜିବାକୁ ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

author-image
Manoranjan Sial
BJP

BJP

ଭୁବନେଶ୍ୱର ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର। ୩ ମାସ ଧରି ଜାରି ରହିଥିବା ଭୟ, ଆତଙ୍କ ଆଉ ଅଚଳାବସ୍ଥା ପଛର ମୁଖ୍ୟ କାରଣ ହେଉଛି ମାସିକ ସୁଧ ବେପାର। ବିଜେଡିର ପ୍ରୋତ୍ସାହନରେ ଚାଲିଛି ଏହି ନିଷିଦ୍ଧ ମହାଜନୀ କାରବାର। ଆଜି ଏପରି ଅଭିଯୋଗ ଆଣି ବିଜେଡି ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେପଟେ ପୀଡ଼ିତ ପରିବାର ମଧ୍ୟ ବଖାଣିଛନ୍ତି ମହାଜନୀ କାରବାର ଯନ୍ତ୍ରଣା।

Advertisment

ପଦ୍ମକେଶରୀପୁର ହିଂସା ପଛର କାରଣ ଖୋଜିବାକୁ ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ଏଠି ସିଧାସଳଖ ମନି ଲଣ୍ଡ୍ରିଂ ଆଇନ୍‌-୧୯୩୯ର ଖୋଲା ଉଲ୍ଲଂଘନ ସହ ଶାସକ ବିଜେଡିର ପ୍ରୋତ୍ସାହନରେ ଚାଲିଛି ନିଷିଦ୍ଧ ମହାଜନୀ କାରବାର। ଇଞ୍ଜଣା ପଞ୍ଚାୟତ ଅନ୍ତର୍ଗତ ଏହି ଗାଁରେ ମାସିକ ୨୦ ପ୍ରତିଶତ ସୁଧ ହାରରେ ବାର୍ଷିକ ୨୪୦ ପ୍ରତିଶତରେ ଚାଲିଛି ବେଆଇନ୍‌ ବେପାର। ଆଉ ଯିଏ ଏହାକୁ ବିରୋଧ କଲା, ଜୁଲମର ଶିକାର ହେଲା। ପରିଣାମ ସ୍ୱରୂପ ପଦ୍ମକେଶରୀପୁର ଗାଁରେ ଆଜି ଅଶାନ୍ତି ଓ ଗଣ୍ଡଗୋଳ ସ୍ଥିତି ସୃଷ୍ଟି ହେଲା। ୩ ମାସରେ ୧୫୫ ଜଣ ପୁରୁଷ ଓ ମହିଳାଙ୍କୁ ଗିରଫ କରି ଜେଲ୍‌ ପଠାଇଛନ୍ତି ରାଜ୍ୟ ସରକାର। ଅଥଚ ଏଯାଏଁ ପୁଲିସ୍ ଚାର୍ଜସିଟ୍ କରିନି କିମ୍ବା ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇନାହାଁନ୍ତି ବୋଲି କହିଛନ୍ତି ଅପରାଜିତା।

ତେବେ ଅପରାଜିତାଙ୍କ ଅଭିଯୋଗ ନେଇ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କୁ ପଚାରିବାରୁ, ସେ ଏ ସଂପର୍କରେ ଜାଣିନଥିବା କହି ଏଡ଼ାଇଯାଇଛନ୍ତି।

Advertisment

ଅପରାଜିତାଙ୍କ ଏଭଳି ସଂଗୀନ ଅଭିଯୋଗର ବାସ୍ତବତା ଜାଣିବା ପାଇଁ ଓଡ଼ିଶା ରିପୋର୍ଟର ପଦ୍ମକେଶରୀପୁର ଗାଁରେ ସ୍ଥିତି ଅନୁଧ୍ୟାନ କରିଥିଲା। ହିଂସାରେ ଜର୍ଜରିତ ପ୍ରତ୍ୟେକଙ୍କ ମୁହଁରୁ ବାରିହେଉଥିଲା ସେହି ସମାନ କଥା। ସେହି ଗାଁର ବର୍ଷାଶ୍ରୀ ଦାସ କହିଛନ୍ତି, ଏକ ମାଙ୍ଗଳିକ କାର୍ଯ୍ୟ ପାଇଁ ମାସିକ ୨୦ ପ୍ରତିଶତ ସୁଧ ହାରରେ ପ୍ରାୟ ୬୦ ହଜାର ଟଙ୍କା ଆଣିଥିଲେ ମହାଜନୀ ୠଣ। କିନ୍ତୁ ଶୁଝିପାରିଲେନି ବୋଲି ନିର୍ଘାତ ମାଡ଼ ଖାଇବାକୁ ପଡ଼ିଥିଲା। ଘର ଭିତରେ ପଶି ଭଙ୍ଗାରୁଜା କରିଥିଲେ। କୌଣସି ଏକ ଅଜଣା କାଗଜରେ ଦସ୍ତଖତ କରି ୠଣ ନାଁରେ ଜୁଲୁମ କରାଯାଇଥିବା ଅଭିଯୋଗ କରିଛନ୍ତି ବର୍ଷାଶ୍ରୀ।

ବର୍ଷାଶ୍ରୀଙ୍କ ଭଳି ଆଉ ଜଣେ ହେଉଛନ୍ତି ଅର୍ଣ୍ଣ ଦାସ। ସେ ମଧ୍ୟ ଅଣିଛନ୍ତି ସମାନ ଅଭିଯୋଗ। ମେଡ଼ିକାଲ କାମ ପଡ଼ିଲା ବୋଲି ସେ ମହାଜନୀ ୠଣ ଆଣିଥିଲେ। ଶେଷରେ ସ୍ଥିତି ଏମିତି ହେଲା ଯେ, ଜୁଲମ ସହିନପାରି ଜାଗାବାଡ଼ି ବିକ୍ରି କରି ତାଙ୍କୁ ଶୁଝିବାକୁ ପଡ଼ିଥିଲା ୯ ଲକ୍ଷ ଟଙ୍କା।

ହିଂସା ଓ ଗିରଫଦାରୀ ପରଠୁ ଆଜି ମଧ୍ୟ ମୂରବୀଶୂନ୍ୟ ବହୁ ପରିବାର। ଗାଁରେ ତୁରନ୍ତ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି ପରେ ଗତ ଶନିବାର ଦଳବଳ ସହ ଗାଁରେ ପହଞ୍ଚିଥିଲା ପୁଲିସ। ଆଉ ଲୋକଙ୍କୁ ନିର୍ଭୟରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲା। ଅଥଚ ନା ସମାଧାନର ବାଟ ଫିଟୁଛି ନା ଜେଲରେ ଥିବା ୧୫୫ ଜଣ ପୁରୁଷ ଓ ମହିଳାଙ୍କୁ ମୁକ୍ତ କରାଯାଉଛି।

Bjp Aparajita Sarangi