Advertisment

ବଡ଼ ବାବୁ ଓ ସାନ ବାବୁଙ୍କ ଉପରେ ବର୍ଷିଲେ ଅପରାଜିତା, କହିଲେ- ଅନ୍ଧାରୀ ବିଜେ କରି ନିର୍ବାଚନ ଜିତୁଛି ବିଜେଡି

ଅପରାଜିତା କହିଛନ୍ତି, ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖାଇ ଭୋଟ ମାଗୁଛନ୍ତି। ସାନ ବାବୁ ବୁଲୁଛନ୍ତି। ଭୋଟ ପାଇଥିବା ନେତା ଯାଉ ନାହାନ୍ତି। ମୋର ଅନୁରୋଧ ଶାସନ ବ୍ୟବସ୍ଥାକୁ ଆଉଟ ସୋର୍ସିଂ କରା ନ ଯାଉ।

author-image
Jitendra Garnayak
ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ଼ ବାବୁ ଓ ଭି.କେ ପାଣ୍ଡିଆନଙ୍କୁ ସାନ ବାବୁ କହି ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତା’ ସହିତ ଅନ୍ଧାରୀ ବିଜେ କରି ବିଜେଡି ନିର୍ବାଚନ ଜିତୁଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ଓଡ଼ିଆ ଅସ୍ମିତା ବିପଦରେ ଅଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଓ ମାନବ ସମ୍ପଦ ଭରପୂର ହୋଇ ରହିଛି। ଏସବୁ ଦୃଷ୍ଟିରୁ ଓଡ଼ିଶା ଦେଶରେ ୧, ୨ କିମ୍ବା ୩ ନମ୍ବର ପ୍ରଦେଶ ହେବା କଥା। ମାତ୍ର ମୁଣ୍ଡପିଛା ଆୟରେ ଆମେ ଶେଷ ଆଡୁ ପଞ୍ଚମ ସ୍ଥାନରେ ଅଛନ୍ତି। ୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି। କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଦେଖିବାକୁ ମିଳୁ ନାହାନ୍ତି। ସେକ୍ରେଟାରିଏଟକୁ ପ୍ରାୟତଃ ଯାଉ ନାହାନ୍ତି ମୁଖ୍ୟମନ୍ତ୍ରୀ। ସବୁ ବିଭାଗର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବା କଥା। ସାନ ବାବୁ କେବେ ବଡ଼ ବାବୁଙ୍କ ସ୍ଥାନ ନେଇ ପାରିବେ ନାହିଁ। କୌଣସି ରାଜ୍ୟରେ ଏପରି ବିଚିତ୍ର ବ୍ୟବସ୍ଥା ନାହିଁ।

ଅପରାଜିତା କହିଛନ୍ତି, ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖାଇ ଭୋଟ ମାଗୁଛନ୍ତି। ସାନ ବାବୁ ବୁଲୁଛନ୍ତି। ଭୋଟ ପାଇଥିବା ନେତା ଯାଉ ନାହାନ୍ତି। ମୋର ଅନୁରୋଧ ଶାସନ ବ୍ୟବସ୍ଥାକୁ ଆଉଟ ସୋର୍ସିଂ କରା ନ ଯାଉ। ଗତ ୩/୪ ମାସରେ ବହୁତ ବିଜେଡି ନେତା ବିଜେପିରେ ମିଶିଛନ୍ତି। କାରଣ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଦେଖା କରିପାରୁ ନାହାନ୍ତି ବୋଲି କହୁଛନ୍ତି। ଏପରିକି ମୁଖ୍ୟ ଶାସନ ସଚିବ ଓ ଡିଜିପି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁ ନାହାନ୍ତି। ମନ୍ତ୍ରୀ ଓ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁ ନାହାନ୍ତି। ସାନ ବାବୁଙ୍କ ଅନୁମତି ବିନା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁ ନାହାନ୍ତି।

Advertisment

ମୁଖ୍ୟମନ୍ତ୍ରୀ କାହିଁକି ଏତେ ଖରାରେ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି। ସାନ ବାବୁଙ୍କ ବ୍ୟାକ୍‌ ଡୋର ଏଣ୍ଟ୍ରି ପାଇଁ ସେ ଦୁଇଟି ସ୍ଥାନରେ ଠିଆ ହୋଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅପରାଜିତା ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ସବୁ ବଡ଼ ବଡ଼ କାମ ଅଣଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଦିଆଯାଉଛି। ଛୋଟ ଛୋଟ କାମକୁ ମିଶାଇ ଟେଣ୍ଡର କରି କାମ ଦିଆଯାଉଛି। ଷ୍ଟେଜ୍‌ ଉପରକୁ ଓଡ଼ିଆ ନେତା ଚଢ଼ିପାରିବେନି, ଏହା କି ଅସ୍ମିତା? ରାଜ୍ୟରେ ‘ଲକ୍ଷ୍ମୀ’ ବସ୍‌ ସେବା ବାହାର ଲୋକ ବୁଝିବା କାରଣ କ’ଣ? ପ୍ରତି ବର୍ଷ ୩ ମାସ ଇକୋ ଟୁରିଜିମ୍‌ କଥା କିଏ ବୁଝୁଛି ବୋଲି ପଚାରିଛନ୍ତି ଅପରାଜିତା।

ସେହିପରି ଅପରାଜିତା ଅଭିଯୋଗ କରିଛନ୍ତି ଯେ ଗତ ୩/୪ଟି ନିର୍ବାଚନରେ ବିଜେଡି ଅନ୍ଧାରୀ ବିଜେ କରି ବିଜୟୀ ହେଉଛି। ଅନ୍ଧାରୀ ବିଜେରେ ଗଲା ଥର ମୁଣ୍ଡ ପିଛା ୬ ଶହ ଟଙ୍କା ଦେଇଥିଲେ। ଏହାର ଭିଡିଓ ପ୍ରମାଣ ରଖି ସେ ଅଭିଯୋଗ କରୁଛି ବୋଲି କହିଛନ୍ତି। ଏଥର ମୁଣ୍ଡ ପିଛା ୧୦୦୦ ଟଙ୍କା କରିବାକୁ ବିଜେଡି ନିଷ୍ପତ୍ତି ନେଇଛି। ୫ ବର୍ଷ ଅର୍ଥାତ ୧୮୨୬ ଦିନକୁ କ’ଣ କେବଳ ହଜାରେ ଟଙ୍କା? ଏହାକୁ ହିସାବକୁ ନେଲେ ଦିନକୁ ପଡ଼ୁଛି ମାତ୍ର ୫୪ ପଇସା।

ରାଜ୍ୟରେ ଦୁର୍ବଳ ଶାସନ ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି ଅପରାଜିତା। ସେ କହିଛନ୍ତି, ହରଘର ଜଳ ଯୋଜନାରେ ୧୦ ହଜାର କୋଟି ଦେଇଛନ୍ତି କେନ୍ଦ୍ର ସରକାର। ମାତ୍ର ରାଜ୍ୟ ସରକାର ୪ ହଜାର ୨ ଶହ କୋଟି ବ୍ୟୟ କରିଛନ୍ତି। ଲୋକେ ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କିନ୍ତୁ କାହିଁକି ଖର୍ଚ୍ଚ ହେଲାନି ଟଙ୍କା? ପ୍ରଧାନମନ୍ତ୍ରୀ ଆବାସ ନେଇ କାହିଁକି ତଥ୍ୟ ଅପ୍‌ଲୋଡ କରୁନାହାନ୍ତି ରାଜ୍ୟ ସରକାର। ଏ ପ୍ରକାର ପୁଅର ଡେଲିଭରି ସିଷ୍ଟମ ଯୋଗୁଁ ମେଣ୍ଟ ପାଇଁ ରାଜି ହେଲୁନି ବୋଲି ଅପରାଜିତା କହିଛନ୍ତି।

ଶ୍ରୀମନ୍ଦିର ପ୍ରକଳ୍ପ ଖର୍ଚ୍ଚ ସାର୍ବଜନୀନ କରିବାକୁ ଅପରାଜିତା ଦାବି କରିଛନ୍ତି। ସେ କହିଛନ୍ତି, ଭବ୍ୟ ରାମ ମନ୍ଦିର ପାଇଁ କେବଳ ୧୪ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ କାହିଁକି ୪ ହଜାର ୨ ଶହ କୋଟି ଖର୍ଚ୍ଚ ହେଲେ, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ।

ସେ ଆହୁରି କହିଛନ୍ତି, ରାଜ୍ୟରେ ପ୍ରାୟ ୧ ଲକ୍ଷ ସରକାରୀ ପୋଷ୍ଟ ଖାଲି ପଡ଼ିଛି। ଏକଥା ମୁଁ କହୁନି, ରାଜ୍ୟର ବିଭାଗୀୟ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି। ରାଜ୍ୟରେ ୪୧ଟି ବିଭାଗରେ ୯୮ ହଜାର ୩୪୮ ସରକାରୀ ପଦ ଖାଲି ପଡ଼ିଛି। ରାଜ୍ୟ ସରକାରରେ ସ୍ଥାଣୁତା ପାଇଁ ଏପରି ଅବସ୍ଥା ଆସିଛି। ଆଇଟି ପଢ଼ିଥିବା ପିଲାମାନେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି।

Aparajita Sarangi Vk Pandian