/odisha-reporter/media/post_attachments/uploadimage/library/16_9/16_9_0/IMAGE_1681210547.jpg)
Archana Nag
“ବିଜେଡି ନେତା ପ୍ରଣବପ୍ରକାଶ ଦାସ(ବବି), ମାନସ ମଙ୍ଗରାଜ ଓ ଅମରେଶ ଜେନାଙ୍କ ସମେତ ୪ଜଣ ପୁଲିସ ଅଫିସର ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ସହ ପୂର୍ବ ପରିକଳ୍ପିତ ଷଡ଼ଯନ୍ତ୍ର କରି ତାଙ୍କୁ ଜେଲ୍ ପଠାଇଥିଲେ । ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥାଇ ମଧ୍ୟ ବିଜେଡି ସରକାର ସମୟରେ ଷଡ଼ଯନ୍ତ୍ର କରି ଜେଲ୍ ପଠାଇ ହଇରାଣ ଓ ନାନାଦି ନିର୍ଯାତନା ଦିଆଯାଇଥିଲା ।” ଆଜି ଏଭଳି କିଛି ବିସ୍ଫୋରକ ବୟାନ ସହ ଗୁରୁତର ଅଭିଯୋଗ କରିଛନ୍ତି ବହୁଚର୍ଚ୍ଚିତା ଅର୍ଚ୍ଚନା ନାଗ । ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ କିଭଳି ଫସାଇ ଦିଆଯାଇଥିଲା ସେ ସମ୍ପର୍କରେ ସୂଚନା ଦେବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅନୁରୋଧ କରିଥିବା କହିଛନ୍ତି ।
ଅର୍ଚ୍ଚନାଙ୍କ ଅଭିଯୋଗ: ଏମାନେ ହେଉଛନ୍ତି ଷଡ଼ଯନ୍ତ୍ରର ମୁଖ୍ୟ ମାଷ୍ଟରମାଇଣ୍ଡ
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଚ୍ଚନା କହିଛନ୍ତି ଯେ, ବିଜେଡି ଶାସନକାଳରେ ତାଙ୍କୁ ମିଛ କେସରେ ଫସାଇ ଗିରଫ କରାଯିବା ପଛରେ ବିଜେଡିର ସାଂଗଠନିକ ସଂପାଦକ ବବି ଦାସଙ୍କ ସମେତ ବିଜେଡି ନେତା ଅମରେଶ ଜେନା, ମାନସ ମଙ୍ଗରାଜ ଏବଂ ତତ୍କାଳୀନ ପୁଲିସ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିଂମାଂଶୁ ସ୍ୱାଇଁ ଓ ଅନୁପ କାନୁନଗୋଙ୍କ ସମ୍ପୃକ୍ତି ରହିଛି । ତାଙ୍କୁ ୨୦୨୨ ଅକ୍ଟୋବର ୪ ତାରିଖରୁ ଗୃହବନ୍ଦୀ କରାଯାଇଥିଲା ଓ ବାଲିଅନ୍ତା ଥାନାରେ ଅଟକ ରଖାଯାଇଥିଲେ ମଧ୍ୟ ଅକ୍ଟୋବର ୬ ତାରିଖରେ ଗିରଫ ଦର୍ଶାଯାଇଥିଲା । ତା’ଛଡ଼ା ତାଙ୍କ ବିରୁଦ୍ଧରେ କ’ଣ ଅଭିଯୋଗ ରହିଛି ଓ କିଏ ଅଭିଯୋଗ କରିଛି ତାହା ମଧ୍ୟ ସେ ଅକ୍ଟୋବର ୧୦ତାରିଖରେ ଜାଣିବାକୁ ପାଇଥିଲେ ।
ଜେଲରେ ନିର୍ଯାତନା ଓ ଅନ୍ୟାୟ
ଅର୍ଚ୍ଚନା ଅଭିଯୋଗ କରିଛନ୍ତି ଯେ, ଜେଲ ଭିତରେ ଶନିବାର-ରବିବାର ପରେଡ଼ ନାଁରେ ତାଙ୍କ ପାଖକୁ ଆସୁଥିବା ଲୋକେ କୌଣସି କଏଦୀଙ୍କୁ ଭେଟୁ ନଥିଲେ । ପୁଲିସ ଟଙ୍କା ଦେଇ ଜେଲ କମର୍ଚାରୀଙ୍କୁ କିଣିଥିବା ଅଭିଯୋଗ କରିବା ସହ ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଇଥିଲା । ଖାଦ୍ୟରେ ନିଶା ଔଷଧ ମିଶାଇ ଦିଆଯାଉଥିଲା । ଏପରିକି ତାଙ୍କୁ ପାଗଳୀ ବୋଲି ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥିଲା । ରାଜ୍ୟ ଛାଡ଼ି ଚାଲିଯିବାକୁ ଚାପ ପକାଯାଇଥିଲା । ତାଙ୍କ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି ।
ଅଭିଯୋଗକାରୀଙ୍କ ସ୍ୱୀକାରୋକ୍ତି
ଅର୍ଚ୍ଚନା କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ପୁଲିସରେ ଯିଏ ଅଭିଯୋଗ ଆଣିଥିବା ଏଫଆଇଆରରେ ଦର୍ଶାଯାଇଥିଲା ସେ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ନିଜେ ଶ୍ରଦ୍ଧାଞ୍ଜଳି ସ୍ୱୀକାର କରିଛନ୍ତି ଯେ ତାଙ୍କୁ ବିଜେଡି ନେତାମାନେ ଟଙ୍କା ଦେଇ ଅର୍ଚ୍ଚନାଙ୍କ ବିରୋଧରେ ମିଛ ଅଭିଯୋଗ କରିବାକୁ ବାଧ୍ୟ କରିଥିଲେ । ଏହି ଘଟଣାର ସଂପୂର୍ଣ୍ଣ କାହାଣୀ ସମେତ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱୀକାରୋକ୍ତିର କଲ୍ ରେକର୍ଡିଂକୁ ମଧ୍ୟ ସାର୍ବଜନୀନ ଅର୍ଚ୍ଚନା ସାର୍ବଜନୀନ କରିଛନ୍ତି । ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ଏବଂ ଆଗାମୀ ଦିନରେ ସେମାନଙ୍କର ଅସଲି ମୁଖା ରାଜ୍ୟବାସୀଙ୍କ ସାମ୍ନାରେ ଆସିବ ।
ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବି: ଅର୍ଚ୍ଚନା
ଅର୍ଚ୍ଚନା କହିଛନ୍ତି ଯେ, ତାଙ୍କ ସହ ଅନ୍ୟାୟ ହୋଇଛି । ପୂର୍ବତନ ବିଜେଡି ସରକାର ଓ ପୁଲିସ ମିଳିତ ଭାବେ ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ । ସେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିଛନ୍ତି । ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି ଆଶା ରଖିଛନ୍ତି । ତାଙ୍କ ସହ କିଭଳି ପ୍ରକାରର ଅନ୍ୟାୟ ଓ ଅତ୍ୟାଚାର ହୋଇଥିଲା ତାହା ମଧ୍ୟ ଅର୍ଚ୍ଚନା କହିବା ସହ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କୋର୍ଟରେ ନ୍ୟାୟ ପାଇଁ ଲଢ଼େ଼ଇ ଜାରି ରଖିବେ ଏବଂ ଷଡ଼ଯନ୍ତ୍ରରେ ସାମିଲ ଥିବା ସମସ୍ତଙ୍କୁ ପର୍ଦ୍ଦାଫାଶ କରିବେ । ତାଙ୍କର ଏହି ସଙ୍ଗୀନ ଅଭିଯୋଗ ଓ କଲ୍ ରେକର୍ଡିଂ ସାର୍ବଜନୀନ ହେବା ପରେ ବିଜେଡି ରାଜନୀତିରେ ନୂଆ ବିବାଦ ସୃଷ୍ଟି ହୋଇଛି ।
ବିଜେଡିର ପ୍ରତିକ୍ରିୟା, ମାନସ-ଅମରେଶ ଫାଙ୍କିଦେଲେ
ଅର୍ଚ୍ଚନାଙ୍କ ସଙ୍ଗୀନ ଅଭିଯୋଗ ଉପରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ଅମରେଶ ଜେନା ପ୍ରତିକ୍ରିୟା ରଖିଛନ୍ତି । ଅର୍ଚ୍ଚନା କିଏ ସେ ଜାଣନ୍ତି ନାହିଁ ବୋଲି ମାନସ କହିଥିବାବେଳେ ଅମରେଶ ମଧ୍ୟ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନଥିବା ଓ ତଦନ୍ତ ହେଉ ସବୁ ସତ ପଦାକୁ ଆସିବ ବୋଲି କହିଛନ୍ତି । ସେପଟେ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଲତିକା ପ୍ରଧାନ କହିଛନ୍ତି, “ଅଭିଯୋଗ କରିବାକୁ କାହାକୁ ମନା ନାହିଁ । ସମସ୍ତେ ଅଭିଯୋଗ କରିପାରିବେ । ସେ କାହିଁକି ଜେଲ ଯାଇଥିଲେ ଏବଂ ଏବେ ଏକଥା କାହିଁକି ବାହାରିଲା , ତାହା ମୁଁ କହିପାରିବି ନାହି । ତାଙ୍କର ଯାହା ଅଭିଯୋଗ ଅଛି, ତଥ୍ୟ ଓ ପ୍ରମାଣ ସହ ତାକୁ କୋର୍ଟରେ ରଖନ୍ତୁ । କୋର୍ଟରୁ ନ୍ୟାୟ ପାଇବା ପାଇଁ ଚେଷ୍ଟା କରନ୍ତୁ ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
