Advertisment

ବିଜେଡିର ସଚିବାଳୟ ଘେରାଉ ଉଦ୍ୟମ: ବବି-ଡାନି-ସୁଲତା ସତରେ ଆହତ ନା ରାଜନୀତିକ ନାଟକବାଜି

ବିଜେଡିର ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମବେଳେ ପୁଲିସର ରବର ବୁଲେଟ୍ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ବବି,ଡାନି ଓ ସୁଲତା ଚିକିତ୍ସିତ ହେଉଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଅଦ୍ୟତନ ହୋଇଛି
Dani Ghadei

Dani Ghadei

Advertisment

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତିଜନିତ ମୃତ୍ୟୁ ପ୍ରତିବାଦରେ ବିଜେଡି ପକ୍ଷରୁ ବୁଧବାର ‘ସଚିବାଳୟ ଘେରାଉ’ ଉଦ୍ୟମକୁ ପୁଲିସ ବିଫଳ କରିଛି । ବ୍ୟାରିକେଡ୍ ଭାଙ୍ଗିବା ପାଇଁ ପ୍ରୟାସବେଳେ ପୁଲିସ ସହ ମୁହାଁମୁହିଁ ଓ ଧସ୍ତାଧସ୍ତିବେଳେ ପୁଲିସର ପାଣିମାଡ଼, ଟିୟର ଗ୍ୟାସ୍ ଓ ରବର ବୁଲେଟ୍ ପ୍ରୟୋଗବେଳେ କିଛି ବିଜେଡି ନେତା-କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଯାଜପୁର ଜିଲ୍ଲାର ୩ଜଣ ବିଜେଡି ନେତା ପ୍ରଣବପ୍ରକାଶ ଦାସ(ବବି), ପ୍ରୀତିରଞ୍ଜନ ଘଡ଼େଇ(ଡାନି) ଓ ସୁଲତା ଦେଓ ସତରେ ରବର ବୁଲେଟ୍ ମାଡ଼ରେ ଗୁରୁତର ହୋଇଛନ୍ତି ନା ଦଳରେ ନିଜର ପ୍ରଭାବ ବୃଦ୍ଧି ଓ ବାହାବା ସାଉଁଟିବାକୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେବାର ରାଜନୀତିକ ନାଟକବାଜି କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Advertisment

ଏହି ଘେରାଉ କାର୍ଯ୍ୟକ୍ରମରେ ପୁଲିସର ପାଣିମାଡ଼, ଲୁହବୁହା ଗ୍ୟାସ ଓ ରବର ବୁଲେଟ୍ ମାଡ଼ରେ ବିଜେଡିର ୧୦୦ରୁ ଅଧିକ କର୍ମୀ-ନେତା ଆହତ ହୋଇଥିବା ନେଇ ଦଳ ପକ୍ଷରୁ ଦାବି କରାଯାଉଥିବାବେଳେ ଏହି ୩ଜଣ ନେତାଙ୍କ ମଧ୍ୟରୁ ୨ଜଣ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେବା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଜି କୌଣସିପ୍ରକାରର ରବର ବୁଲେଟ୍ ଫାୟାର କରାଯାଇନି ବୋଲି ନିଜେ ପୁଲିସ କମିଶନର ଦେବଦତ୍ତ ସିଂ ସ୍ପଷ୍ଟ କରିଥିବାବେଳେ ବିଜେଡି ନେତାମାନେ କିଭଳି ବୁଲେଟ୍ ଲାଗିଛି ବୋଲି ଦାବି କରୁଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି । ରାଜ୍ୟର ବିଜେପି ସରକାର ଯଦି ଏହି ନେତାମାନଙ୍କ ‘ଆହତ’ର ଡାକ୍ତରୀ ରିପୋର୍ଟକୁ ସାର୍ବଜନୀନ କରନ୍ତେ ନିଶ୍ଚିତ ଭାବେ ସେମାନଙ୍କର ଅସଲ ମୁଖା ପଦାରେ ପଡ଼ିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ।

ବିଜେଡିର ସଚିବାଳୟ ଘେରାଉ ଉଦ୍ୟମ

ସୂଚନା ଅନୁସାରେ, ଏଫଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଏବଂ ମୃତକଙ୍କ ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ଦାବିରେ ବିଜେଡି ପକ୍ଷରୁ ଆଜି ପୂର୍ବାହ୍ନରେ ସଚିବାଳୟ ଘେରାଉ ପାଇଁ ଉଦ୍ୟମ କରାଯାଇଥିଲା । ଦଳର ପ୍ରାୟ ୨ରୁ ୩ହଜାର କର୍ମୀ-ନେତା ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ଏକଜୁଟ ହୋଇ ସଚିବାଳୟ ବା ଲୋକସେବା ଭବନ ଆଡ଼କୁ ଯିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ସହ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିଲେ । ବ୍ୟାରିକେଡ୍ ଭାଙ୍ଗିବା ପାଇଁ ଉଦ୍ୟମବେଳେ ପୁଲିସ ସେମାନଙ୍କୁ ପ୍ରଥମେ ବୁଝାସୁଝା ଓ ପରେ ଘଉଡ଼ାଇବାକୁ ପାଣିମାଡ଼, ଟିୟର ଗ୍ୟାସ୍ ଓ ରବର ବୁଲେଟ୍ ମାଡ଼ କରିଥିଲା । ପୁଲିସର ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଯୋଗୁ ବିଜେଡିର ଏହି ଘେରାଉ କାର୍ଯ୍ୟକ୍ରମ ଦେଢ଼ ଘଣ୍ଟାରୁ ବି ଅଧିକ ସମୟ ଚାଲିବା ସମ୍ଭବପର ହୋଇପାରିନଥିଲା । ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ବିଜେଡି କର୍ମୀ-ନେତାମାନେ ଛତ୍ରଭଙ୍ଗ ଦେଇଥିଲେ ।

Advertisment

କିଛି ବରିଷ୍ଠ ନେତା-କର୍ମୀଙ୍କୁ ପୁଲିସ ପ୍ରଥମେ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ଦଳ ପକ୍ଷରୁ ଶଙ୍ଖଭବନରେ ବୟାନ କରାଯାଇ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଅତ୍ୟାଚାରକୁ ବର୍ବୋରୋଚିତ ବୋଲି କହିବା ସହ ବବି-ଡାନି ଓ ସୁଲତାଙ୍କ ସହ ଫୋନରେ କଥା ହୋଇଛନ୍ତି । ମାତ୍ର ଦଳର ଅନ୍ୟ ଆହତ କର୍ମୀମାନଙ୍କୁ ଭୁଲି ଯାଇଥିବା ଜଣାପଡ଼ିଛି । ଏପଟେ ଦଳର ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ, ଏହି ଘଟଣାରେ ସରକାରଙ୍କ ବିଫଳତା ଓ ବିଚାରବିଭାଗୀୟ ତଦନ୍ତ ଦାବିରେ ବିଜେଡି ଆଜି ଲୋକସେବା ଭବନକୁ ଘେରାଉ କରିବାକୁ ଯିବାବେଳେ ଦଳର ସକ୍ରିୟ କର୍ମୀ-ନେତାମାନଙ୍କ ଉପରେ ପୁଲିସ ବଳପ୍ରୟୋଗ କରିଥିଲା ।

ଦଳର ମହିଳା ନେତ୍ରୀମାନଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାର କରିବା ସହ ପୁରୁଷ ପୁଲିସମାନେ ସେମାନଙ୍କୁ ଟଣାଓଟରା କରିଥିଲେ । ପୁଲିସ ଏଠି ସରକାରଙ୍କ ଚାମଚାଗିରି କରୁଛି ଓ ମୋହନ ସରକାରଙ୍କ ଗୁଣ୍ଡା ସାଜିଛି । ଆମ ସ୍ୱରକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ଆମର ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଚପାଇ ଦେବାକୁ ପୁଲିସ ବଳପ୍ରୟୋଗ କରିଥିଲା । ପୁଲିସର ପାଣିମାଡ଼,ଲୁହବୁହା ଗ୍ୟାସ ଓ ରବର ବୁଲେଟ୍ ମାଡ଼ ଯୋଗୁ ଆମର ୧୦୦ରୁ ଅଧିକ ନେତା-କର୍ମୀମାନଙ୍କୁ ଆହତ ହୋଇଛନ୍ତି । ଦଳର ନେତ୍ରୀ ସୁଲତା ଦେଓ, ଦୁଇ ପୂର୍ବତନ ମନ୍ତ୍ରୀ ପ୍ରଣବପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ସମେତ ନୀଳମାଧବ ମହାନ୍ତି, ଛବି ମାହାଲି, ସଙ୍କେତ ରାୟ, ଅଭିଷେକ ବେହେରା ଓ ସଞ୍ଜିବ ପୃଷ୍ଟି ପ୍ରମୁଖ ସାମିଲ ଅଛନ୍ତି । ଦୁଇ ପୂର୍ବତନ ମନ୍ତ୍ରୀ ଏବେ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ବିଜେଡି ନେତା ‘ଆହତ’: ସତ ପଛର ସତ

ବିଜେଡିର ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମବେଳେ ପୁଲିସର ରବର ବୁଲେଟ୍ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ବବି,ଡାନି ଓ ସୁଲତା ଚିକିତ୍ସିତ ହେଉଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବବି ଏବେ ଆପୋଲୋ ହସ୍ପିଟାଲର ଆଇସିୟୁରେ ଓ ଡାନି ନିଜ ପରିବାର ମାଲିକାନାରେ ଥିବା ଉତ୍କଳ ହସ୍ପିଟାଲର ଆଇସିୟୁରେ ଏବଂ ସୁଲତା ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ତେବେ ଯାଜପୁରର ଏହି ୩ନେତା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣାକୁ ନେଇ ସୋସିଆଲ ମିଡିଆରେ ନାନାଦି ଚର୍ଚ୍ଚା ଜୋର ଧରିଛି । ଦଳରେ ନିଜର ଗୁରୁତ୍ୱ ବୃଦ୍ଧି କରିବା, ଆଜିର ଆନ୍ଦୋଳନର ନେତୃତ୍ୱ ସେମାନେ ନେଉଥିବାର ଦର୍ଶାଇବା ଆଦି ପାଇଁ ‘ଆହତ’ର ନାଟକ ସେମାନେ କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ବିଜେଡି ଓ ହସ୍ପିଟାଲ ସୂତ୍ର ଅନୁସାରେ ଏହି ୩ ନେତା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା, ନିଜର ଗୁରୁତ୍ୱ ବୃଦ୍ଧି ଓ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ସନ୍ଦେଶ ଦେବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବୁଲେଟ ମାଡ଼ ପରେ ବିକ୍ଷୋଭସ୍ଥଳରୁ କଂଗ୍ରେସ ଭବନ ଚାଲିକି ଆସିଲେ ବବି

ପ୍ରତ୍ୟକ୍ଷଦର୍ଶୀ ଓ ବିଜେଡି ସୂତ୍ର ଅନୁସାରେ, ମହାତ୍ମା ଗାନ୍ଧି ମାର୍ଗରେ ବିକ୍ଷୋଭବେଳେ ପୁଲିସର ରବର ବୁଲେଟ୍ ତାଙ୍କ ବାମ ଗୋଡ଼ରେ ବାଜି ଆହତ ହୋଇଥିବା ନେଇ ସୂଚନା ମିଳିଥିଲା । ଆହତ ହେବାପରେ ବବି ବିକ୍ଷୋଭସ୍ଥଳରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ପ୍ରାୟ ୩୦୦ମିଟର ପାଦରେ ଚାଲି ଚାଲି ନିଜ ଗାଡ଼ି ପାଖକୁ ଆସିଥିଲେ । ସମସ୍ତେ ଭାବିଥିଲେ ଆହତ ବବି ହସ୍ପିଟାଲ ଗଲେ । ମାତ୍ର ବବି ନିଜ ସୂର୍ଯ୍ୟନଗରସ୍ଥିତ ବାସଭବନକୁ ଯାଇ ସେଠାରୁ ଆପୋଲୋ ହସ୍ପିଟାଲ ଯାଇଥିଲେ । ଆଉ ଆପୋଲୋ ହସ୍ପିଟାଲରେ ତାଙ୍କୁ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି କରାଯାଇ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷାନିରୀକ୍ଷା କରାଯାଇଥିଲା । ବବିଙ୍କୁ ଭେଟିବାକୁ ପ୍ରାୟ ଅପରାହ୍ନ ସାଢ଼େ ୪ଟାରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବ୍ୟୋମକେଶ ରାୟ ଓ ଏଲିନା ଦାଶ ପ୍ରମୁଖ ହସ୍ପିଟାଲ ଯାଇଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି, ବବି କ’ଣ ସତରେ ରବର ବୁଲେଟ ମାଡ଼ରେ ଏତେ ଗୁରୁତର ହୋଇପଡ଼ିଲେ ଯେ ୩୦୦ମିଟର ଚାଲିଚାଲି ଯାଇଥିବା ବବିଙ୍କୁ ସରକାରୀ ହସ୍ପିଟାଲ ଛାଡ଼ି ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା । ଦଳରେ ନିଜର ଗ୍ରହଣୀୟତା ବଢ଼ାଇବା, ଗୁରୁତ୍ୱ ବୃଦ୍ଧି ଓ ଗଣମାଧ୍ୟମର ଦୃଷ୍ଟି ଆକଷର୍ଣ କରି ସହାନୁଭୂତି ଓ ବାହାବା ସାଉଁଟିବା ପାଇଁ ଏହା କ’ଣ ବବିଙ୍କ ଚାଲ୍ ନା ବାସ୍ତବରେ ସେ ଗୁରୁତର ଅଛନ୍ତି । ଯଦି ପୁଲିସର ରବର ବୁଲେଟ୍ ମାଡ଼ରେ ବବିଙ୍କ ଭଳି ବିରୋଧୀ ଦଳର ଜଣେ ପ୍ରଭାବଶାଳୀ ନେତା ଗୁରୁତର ଅଛନ୍ତି ତା’ହେଲେ ମୋହନ ସରକାର ତୁରନ୍ତ ଏକ ଡାକ୍ତରୀ ଟିମ୍ ଗଠନ କରି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଥିବା ସାଧାରଣରେ ଦାବି ହେଉଛି ।

ଡାନି ଘଡେଇଙ୍କ ‘ହସ୍ପିଟାଲ ହପିଂ':

ସେହିପରି ଯାଜପୁର ଜିଲ୍ଲାରେ ବବିଙ୍କ ଖାସ୍ ପ୍ରତିଦ୍ୱନ୍ଦ୍ୱୀ ଡାନି ଘଡେଇ ମଧ୍ୟ ପୁଲିସର ରବର ବୁଲେଟ୍ ମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛି । ଡାନିଙ୍କ ଆଣ୍ଠୁରେ ରବର ବୁଲେଟ୍ ମାଡ଼ ହୋଇଥିବାରୁ ସେ ଚାଲିପାରିନଥିଲେ । ତାଙ୍କୁ ଦଳର କର୍ମୀମାନେ ଟେକି ଟେକି ଗାଡ଼ି ପାଖକୁ ଆଣିବା ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରୁ କିଛି ସମୟ ମଧ୍ୟରେ ତାଙ୍କୁ ନିଜର ପରିବାରର ମାଲିକାନାରେ ଥିବା ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଯେ, ଡାନି ଏବେ ହସ୍ପିଟାଲର ଆଇସିୟୁରେ ଅଛନ୍ତି । ଡାନିଙ୍କୁ  କେଉଁଭଳି ଆଘାତ ଲାଗିଛି ଓ ତାଙ୍କର ଅବସ୍ଥା କ’ଣ ଏତେ ଗୁରୁତର ଥିଲା ଯେ କ୍ୟାପିଟାଲ ହସ୍ପିଟାଲ ତାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ନିମନ୍ତେ ଉତ୍କଳ ହସ୍ପିଟାଲକୁ ରେଫର କରିଛି କି? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରିଛି । ସେ ନିଜ ଦଳର ୨୫ବର୍ଷ ଶାସନବେଳେ ଭିତ୍ତିଭୂମି ସୁଦୃଢ଼ ହୋଇଥିବା ସରକାରୀ କ୍ୟାପିଟାଲ ହସ୍ପିଟାଲକୁ ଛାଡ଼ି ନିଜର ବ୍ୟକ୍ତିଗତ ହସ୍ପିଟାଲରେ ଭର୍ତ୍ତି ହେବା ମଧ୍ୟ ସାଧାରଣରେ ସନ୍ଦେହ ବଢ଼ାଇଛି । ଏହା କ’ଣ ସରକାରୀ ହସ୍ପିଟାଲର ଚିକତ୍ସା ଉପରେ ଅବିଶ୍ୱାସ ଥିଲା, ନା କେବଳ ଏକ ଆରାମଦାୟକ ‘ଆରୋଗ୍ୟ'ର ବାହାନା, ନା ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ରାଜନୀତିକ ନାଟକବାଜି ବୋଲି ଚର୍ଚ୍ଚା ହେଉଛି।

କ୍ୟାପିଟାଲ ହସ୍ପିଟାଲରେ ସୁଲତା ଦେଓ

ବିଜେଡି ନେତ୍ରୀ ସୁଲତା ଦେଓ ତାଙ୍କ ଛାତିରେ ରବର ବୁଲେଟ୍ ବାଜିଛି ବୋଲି ଦାବି କରିବା ପରେ ତାଙ୍କୁ ପୁଲିସ ପକ୍ଷରୁ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଓ ପରୀକ୍ଷାନିରୀକ୍ଷା କରାଯାଇଥିଲା । ମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସୁଲତା ଘରକୁ ଯିବା ପାଇଁ ହସ୍ପିଟାଲର ହ୍ୱିଲଚେୟାର ସହାୟତାରେ ନିଜ ଗାଡ଼ି ପାଖକୁ ଘରକୁ ଯିବା ପାଇଁ ବାହାରି ସାରିଥିଲେ । ମାତ୍ର କ’ଣ ହେଲା କେଜାଣି ସେ ପୁଣିଥରେ ହସ୍ପିଟାଲରେ ରହିବା ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ ଓ ଏବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ରହିଛନ୍ତି । ଯଦିଓ କ୍ୟାପିଟାଲ ହସ୍ପିଟାଲ ସୂତ୍ର ଅନୁସାରେ, ସୁଲତାଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ଯେହେତୁ ସେ ନିଜେ ଡାକ୍ତରୀଙ୍କ ଅବର୍ଜରଭେସନରେ ରହିବା ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ତେଣୁ ହସ୍ପିଟାଲରେ ରହିଥିବା ଏହି ସୂତ୍ର ସୂଚନା ଦେଇଛନ୍ତି ।

ବିଜେଡିର ସଚିବାଳୟ ଘେରାଉ ଓ ଏହି ନେତାମାନଙ୍କର ‘ଆହତ’ ଘଟଣାକୁ ନେଇ ଦଳ ନିଜର ରାଜନୀତିକ ଗୋଟିଚାଳନା କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ସଂସଦ ପରିସରରେ ଗତବର୍ଷ ଡିସେମ୍ବର ମାସରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ପଡ଼ି ଆହତ ହେବା ଘଟଣାକୁ ରାଜନୀତିକ ଡ୍ରାମା ବୋଲି କଟାକ୍ଷ କରୁଥିବା ବିଜେଡି ନେତାମାନେ ଏବେ ନିଜ ଦଳର ନେତାମାନଙ୍କର ଏହି ନାଟକବାଜିକୁ କ’ଣ କହିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

କ’ଣ କହୁଛନ୍ତି ବିଶେଷଜ୍ଞ

ପୁଲିସର ରବର ବୁଲେଟ୍ ଓ ଟିୟର ଗ୍ୟାସ ମାଡ଼ରେ ଆହତ ହେବା ନେଇ ବିଜେଡି ପକ୍ଷରୁ ଯେଉଁ ଦାବି ହେଉଛି ତାକୁ ବରିଷ୍ଠ ପୁଲିସ ଅଧିକାରୀମାନେ ନାପସନ୍ଦ କରିଛନ୍ତି । ଏହା କେବଳ ଶସ୍ତା ପ୍ରଚାର ପାଇଁ ଉଦ୍ଦିଷ୍ଟ । ରବର ବୁଲେଟ୍ ଦେହରେ ଲାଗିଲେ ତାହା ଏତେ ବିପଦଜନକ ନୁହେଁ ଯେ ଜଣକୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିବ । ରାଜନେତାମାନେ ନିଜ ନିଜର ଶସ୍ତା ଲୋକପ୍ରିୟତା ପାଇଁ ଏଭଳି ଡ୍ରାମା କରିବା ଏକ ସାଧାରଣ ଘଟଣା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ।

ରାଜନୀତିକ ଇନ୍ଧନ ଦେଉଛି ବିଜେଡି

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି ଯେ, “ଏଫଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ଓ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତଥା ନେବା ପାଇଁ ସଂକଳ୍ପବଦ୍ଧ ମଧ୍ୟ । ବିଜେଡି ଏହି ଘଟଣାକୁ ଅଯଥାରେ ରାଜନୀତିକ ଇନ୍ଧନ ଭାବେ ଉପଯୋଗ କରୁଛି । ଯାହାକୁ ଓଡ଼ିଶାବାସୀ କି ଛାତ୍ରସମାଜ କେବେ କ୍ଷମା ଦେବନି । ସେମାନଙ୍କ ସମୟରେ ପୁଲିସକୁ ଯେଭଳି ଦୁରୂପଯୋଗ କରାଯାଉଥିଲା ଅତ୍ୟନ୍ତପକ୍ଷେ ଏ ସରକାରରେ ସେଭଳି ହେଉନି । ପରିସ୍ଥିତିକୁ ଦେଖି ନିଜସ୍ୱ ନିଷ୍ପତ୍ତି ନେବାକୁ ପୁଲିସ ସକ୍ଷମ ବୋଲି ସେ କହିଛନ୍ତି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe