Advertisment

ବିଜେଡି ଛାଡ଼ିଲେ ଅରିନ୍ଦମ ରାୟ

ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Arindam

Arindam

ବିଜେଡିରୁ ଆଜି ଇସ୍ତଫା ଦେଇଛନ୍ତି ଅଭିନେତା ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟ। ସେ ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। 

Advertisment

ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି। ୨୦୧୪ରୁ ମୁଁ ଆପଣଙ୍କ ଦଳର ଷ୍ଟାର କ୍ୟାମ୍ପେନର ରହି ଆସିଛି। ବିଭିନ୍ନ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ କଟକ, ତିର୍ତ୍ତୋଲ ଓ କୋରାପୁଟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୋ କାର୍ଯ୍ୟକୁ ଆପଣ କିମ୍ବା ଆପଣଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ଏଯାବତ ସ୍ୱୀକୃତି ଦେଇ ନାହାନ୍ତି। ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଦୁର୍ଭାଗ୍ୟ ବଶତଃ ଆପଣଙ୍କୁ ଦେଖା କରିବାକୁ ମୋତେ ସୁଯୋଗ ମିଳିଲା ନାହିଁ। ତେଣୁ ଆପଣଙ୍କୁ ଭେଟିବାର ମାପଦଣ୍ଡ ମୁଁ ପୂରଣ କରିପାରୁ ନାହିଁ ବୋଲି ଅନୁଭବ କଲି। ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି। ଏଣୁ ମୁଁ ବିଜେଡିର ସାଧାରଣ ସଂପାଦକ ପଦ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଆଶା କରୁଛି, ଆପଣ ମୋ ପରିସ୍ଥିତି ବୁଝିବେ ଓ ମୋ ଉପରେ କିଛି ଆକ୍ରୋଶ ରଖିବେ ନାହିଁ। 

ଅରିନ୍ଦମ ବିଜେଡି ଛାଡ଼ିବେ ବୋଲି ଅନେକ ଦିନରୁ ସଙ୍କେତ ମିଳି ସାରିଥିଲା। ବିଜେପିର କିଛି ନେତାଙ୍କୁ ସାକ୍ଷାତ କରିବା ସହ ବିବାଦୀୟ ବୟାନ ଦେଇ ଦଳ ପାଇଁ ସମସ୍ୟା ସୃଷ୍ଟି କରୁଥିଲେ ସେ। ଗତ ଜାନୁଆରୀ ମାସରେ କଟକ ବାଲିଯାତ୍ରା ପଡ଼ିଆରେ ଏକ ଯୁବ ସମ୍ମିଳନୀର ଆୟୋଜନ କରିଥିଲେ ଅରିନ୍ଦମ। ସେଠାରେ ଲାଗିଥିବା ବ୍ୟାନରରେ ବିଜେଡିର ଦଳୀୟ ଚିହ୍ନ ନଥିଲା କି ମୁଖ୍ୟମନ୍ତ୍ରୀଙ୍କ ଫଟୋ ନଥିଲା। ଅରିନ୍ଦମଙ୍କ ସେହି ସଭାରେ ବହୁ ଯୁବକ ଓ ବୁଦ୍ଧିଜୀବୀ ସାମିଲ୍‌ ହୋଇଥିଲେ। ଏହି ଯୁବ ସମ୍ମିଳନୀ ପରେ ଅରିନ୍ଦମ ଗଣମାଧ୍ୟମକୁ କହିଥିଲେ, ମୁଁ କାହା ସହ ଦେଖା କରିବାରେ କିଛି ଅସୁବିଧା ନାହିଁ। ଯିଏ ଯାହା ଭାବୁଛନ୍ତି ଭାବନ୍ତୁ।

Advertisment

ସେହିପରି ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିଥିଲେ। ତା’ପରେ କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ଗୋଟିଏ ଟେବୁଲରେ ପାଖାପାଖି ଅରିନ୍ଦମ ଓ ପ୍ରକାଶ ବେହେରା ବସିଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ଫଟୋଟି କେବେକାର, ତାହା ଜଣାପଡ଼ି ନଥିଲା। ତେବେ ଫଟୋଟି ପ୍ରକାଶ ବେହେରାଙ୍କ ସାଲେପୁର ସ୍ଥିତ ଘର ବୋଲି ଚର୍ଚ୍ଚା ହୋଇଥିଲା। ଏହି ସବୁ ଘଟଣାକ୍ରମକୁ ଦେଖି ଅରିନ୍ଦମ ରାୟ ବିଜେଡି ଛାଡ଼ିବେ ବୋଲି ଅନେକ ଦିନ ହେବ ଚର୍ଚ୍ଚା ହୋଇଆସୁଥିଲା। 

BjD Arindam Roy