Advertisment

ଅର୍କଙ୍କ ଘରବାହୁଡ଼ା, କଳାହାଣ୍ଡିରେ ବଦଳିବ ରାଜନୀତିକ ସମୀକରଣ

କଳାହାଣ୍ଡି ଜିଲ୍ଲା ବିଜେଡିରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିଥିବାବେଳେ ଶ୍ରୀ ଦେଓ ବିଜେପିରେ ମିଶିବା ପରେ କଳାହାଣ୍ଡି ଜିଲ୍ଲାରେ ବିଜେପିର ଶକ୍ତିବୃଦ୍ଧି ହୋଇଛି ।

author-image
Ordigital Desk
Arka Keshari Deo

Arka Keshari Deo

ଦୀର୍ଘ ପ୍ରାୟ ୧୦ବର୍ଷ ପରେ କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ଅର୍କକେଶରୀ ଦେଓ ଆଜି ଆନୁଷ୍ଠାନିକ ଭାବେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅର୍କଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ, ମଦନପୁର-ରାମପୁର ରାଜପରିବାର ସଦସ୍ୟ ସଂଯୁକ୍ତା ସିଂହଦେଓ ଓ ତନ୍ମୟ ପ୍ରସାଦ ସିଂହଦେଓ ନିଜର ନିଜର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବାପରେ କଳାହାଣ୍ଡିରେ ରାଜନୀତିକ ସମୀକରଣ ବଦଳିବାର ସମ୍ଭାବନା ସୃଷ୍ଟି ହୋଇଛି ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅର୍କକେଶରୀ ଓ ତାଙ୍କ ପତ୍ନୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଦନପୁର-ରାମପୁର ରାଜପରିବାରର ସଂଯୁକ୍ତା ସିଂହଦେଓ ଓ ତନ୍ମୟପ୍ରସାଦ ସିଂହଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହି ରାଜପରିବାର ସଦସ୍ୟମାନଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲ ସ୍ୱାଗତ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଓ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଫୁଲ ଓ ଉତ୍ତରୀୟ ଦେଇ ଦଳରେ ସ୍ୱାଗତ କରିଥିଲେ ।

ଶ୍ରୀ ଦେଓ ତାଙ୍କ ପିତା ତଥା ପୂର୍ବତନ ବିଜେପି ସାଂସଦ ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁ ପରେ ୨୦୧୩ ମସିହାରେ ବିଜେଡିରେ ସାମିଲ ହୋଇଥିଲେ । ମାତ୍ର ୨୦୧୯ରେ ବିଜେଡି ତାଙ୍କୁ କଳାହାଣ୍ଡି ଆସନରୁ ପ୍ରାର୍ଥୀ ନକରି ପୁଷ୍ପେନ୍ଦ୍ର ସିଂହଦେଓଖଙ୍କୁ ପ୍ରାର୍ଥୀ କରିବାରୁ ସେ ନିଜର ଅସନ୍ତୋଷ ବ୍ୟକ୍ତ କରି ବିଜେଡିରୁ ଇସ୍ତଫା ଦେଇଥିଲେ । କିନ୍ତୁ କୌଣସି ଦଳରେ ସାମିଲ ହୋଇନଥିଲେ । ଆଜି ପୁଣିଥରେ ବିଜେପିରେ ସାମିଲ ହୋଇଛନ୍ତି ।

Advertisment

କଳାହାଣ୍ଡି ଜିଲ୍ଲା ବିଜେଡିରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିଥିବାବେଳେ ଶ୍ରୀ ଦେଓ ବିଜେପିରେ ମିଶିବା ପରେ କଳାହାଣ୍ଡି ଜିଲ୍ଲାରେ ବିଜେପିର ଶକ୍ତିବୃଦ୍ଧି ହୋଇଛି । କଳାହାଣ୍ଡି ଜିଲ୍ଲା ବିଜେଡିରେ ବିବାଦୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ସାଂଗଠନିକ କାର୍ଯ୍ୟରେ ଦଳ ପକ୍ଷରୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଜିଲ୍ଲାର ବରିଷ୍ଠ ନେତା ଓ କର୍ମୀମାନେ କ୍ଷୁବ୍ଧ ଅଛନ୍ତି । ଯାହା ପରୋକ୍ଷରେ ବିଜେପିକୁ ସୁହାଇଛି । ଏବେ ଏହି ଦୁଇ ରାଜପରିବାର ସଦସ୍ୟ ବିଜେପିରେ ସାମିଲ ହେବାପରେ ବିଜେପି ଅପେକ୍ଷାକୃତ ଅଧିକ ସୁଦୃଢ଼ ହେବ ବୋଲି ଚର୍ଚ୍ଚା ।

ସେହିପରି ବିଜେଡି ଛାଡ଼ି ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧ୍ୟକ୍ଷ ଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରେବତୀ ନାୟକ, ଶିକ୍ଷାବିତ୍ ସୁଧାଂଶୁ ଶେଖର ନାୟକ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ସହ ବନ୍ତ ବ୍ଲକର ପୂର୍ବତନ ବିଜେଡି ସଭାପତି କମଳାକାନ୍ତ ସାହୁ, ପୂର୍ବତନ ସରପଂଚ ରବୀନ୍ଦ୍ରନାଥ ପଣ୍ଡା, କୃପାସିନ୍ଧୁ ସେଠୀ, ସୁବାସ ଚନ୍ଦ୍ର ଜେନା, ସୁଜାତା ସେଠୀ, ତିଳୋତ୍ତମା ଜେନା, ବସନ୍ତ କୁମାର ନାୟକ, ସୁବାସ ଚନ୍ଦ୍ର ମଲ୍ଲିକ, ଦୀପାଞ୍ଜଳି ରାଉତ, ଚିନ୍ତାମଣି ମିଶ୍ର, ସୁଧୀର କୁମାର ନାୟକ, କୈଳାସଚନ୍ଦ୍ର ଧଳ, ରବୀନ୍ଦ୍ର ସାହୁ, ଜଗନ୍ନାଥ ଜେନା ପ୍ରମୁଖ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଓ ସରୋଜ କର, ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Bjp State Bjp Manmohan Samal