Advertisment

ବିଜେଡି ପରାଜୟର ପେଡ଼ି ଖୋଲିଲେ ଅରୁଣ, ନିଆଁ ବି ଧରାଇଲେ ଦେବାଶିଷ

ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ଦଳର ବିପର୍ଯ୍ୟୟର କାରଣ ଓ ପେଡ଼ି ଖୋଲିବା ସହ କେଉଁମାନେ ଦାୟୀ ତାହା ବି ଦଳୀୟ କର୍ମୀଙ୍କ ଆଗରେ ରଖିବାକୁ ପଛାଇ ନାହାନ୍ତି।

Arun Sahoo

Arun Sahoo

Advertisment

ରାଜ୍ୟରେ ବିଜେଡିର ୨୪ବର୍ଷର ଶାସନର ଅନ୍ତ କାହିଁକି ହେଲା? ଲୋକସଭାରେ ଦଳ କାହିଁକି ଗୋଟିଏ ବି ସିଟ୍ ହାତେଇପାରିଲା ନାହିଁ? ଏସବୁ ପାଇଁ କେଉଁ ସବୁ ଫ୍ୟାକ୍ଟର ଦାୟୀ,ତା’ର କାରଣ ସିନା ବିଜେଡି ଏପର୍ଯ୍ୟନ୍ତ ଖୋଜିବାକୁ ସାହାସ ଜୁଟାଇ ପାରିନି ସତ । କିନ୍ତୁ ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ଦଳର ବିପର୍ଯ୍ୟୟର କାରଣ ଓ ପେଡ଼ି ଖୋଲିବା ସହ କେଉଁମାନେ ଦାୟୀ ତାହା ବି ଦଳୀୟ କର୍ମୀଙ୍କ ଆଗରେ ରଖିବାକୁ ପଛାଇ ନାହାନ୍ତି । ଏପଟେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବି ଇସାରା ଇସାରାରେ ‘ଦଳକୁ କାଲି ଆସିଥିବା ଲୋକ ଯେ ସର୍ବେସର୍ବା ହୋଇଯିବ ସେଭଳି ହେବାକୁ ଆଉ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ଫଳାଫଳର ପ୍ରାୟ ୮ମାସ ବିତିଯିବା ପରେ ମଧ୍ୟ ବିଜେଡି ନିଜର ପରାଜୟର ସମୀକ୍ଷା କରିବାକୁ ଆଗ୍ରହ ଦେଖାଇନାହିଁ । ଦୀର୍ଘବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରି ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିଥିବା ନେତାମାନେ ଦଳର ଏଭଳି ଅପ୍ରତ୍ୟାଶିତ ବିପର୍ଯ୍ୟୟକୁ ନେଇ ଆକ୍ରୋଶ ଓ ଅସନ୍ତୋଷ ମଧ୍ୟ ଦେଇ ଗତି କରୁଛନ୍ତି । ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଂଚିଲାଣି । ମାତ୍ର ଏସବୁକୁ ପ୍ରଶମିତ କରି ଦଳକୁ ଠିକଣା ବାଟରେ ନେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗଭର ହେବା ତ ଦୂରର କଥା ଏବେ ନିଜର ପୁରୁଣା ଫର୍ମକୁ ଫେରି ଦଳୀୟ ନେତାମାନଙ୍କଠୁ ମାତ୍ରାଧିକ ଦୂରତ୍ୱ ଅବଲମ୍ବନ କରିବାରେ ଲାଗିଲେଣି ।

ଆଉ ଖାସ୍ ଏହି କାରଣରୁ ଦଳ ଏବେ ଦିଶାହୀନ ହୋଇ ତୀବ୍ର ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ଆଡ଼କୁ ମୁହାଁଇବାରେ ଲାଗିଛି । ଦଳର ‘କ୍ରାଇସିସ୍ ମ୍ୟାନେଜର’ ତ ଦୂରର କଥା ଦଳୀୟ କର୍ମୀ ଓ ନେତାମାନଙ୍କୁ କିଏ ଭରସା ଦେବ ଏବଂ ସେମାନେ କାହାକୁ ବିଶ୍ୱାସ କରି ତୃଣମୂଳସ୍ତରରେ ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବେ ସେଭଳି ଚେହେରା ମଧ୍ୟ  ଆଗକୁ ଆଣିବାରେ ବିଜେଡି ସୁପ୍ରିମୋ ବିଫଳ ହୋଇଛନ୍ତି । ଦୀର୍ଘ ୮ମାସ ଧରି ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଆଗରେ ରଖି ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଯେଉଁ ଗୋଟିଚାଳନା କରୁଛନ୍ତି ତାହାବି ଏବେ ଫେଲ୍ ମାରିବାରେ ଲାଗିଛି । ବିଜେଡିର ନେତାମାନେ କୌଣସି ପରିସ୍ଥିତିରେ ‘ପାଣ୍ଡିଆନ ଓ ତାଙ୍କ ଟିମ’କୁ ହଜମ କରିବା ମୁଡରେ ନାହାନ୍ତି । ମାତ୍ର ନବୀନଙ୍କ ଅପାରଗତା ଓ ଅନାଗ୍ରହ ଯୋଗୁ ସଂଗଠନର ଅଘୋଷିତ ମୁଖିଆ ହୋଇ ଏବେ ପୁଣିଥରେ ପାଣ୍ଡିଆନ ମାତ୍ରାଧିକ ସକ୍ରିୟ ହୋଇଛନ୍ତି । ଯାହାକୁ ଖୋଲାଖୋଲି ବିରୋଧ କରିଛନ୍ତି ଅରୁଣ ଓ ଦେବାଶୀଷଙ୍କ ଭଳି ଆତ୍ମସମ୍ମାନ ଥିବା ରାଜନେତାମାନେ ।

Advertisment

ରାୟଗଡ଼ାରେ ଏକ ଦଳୀୟ କର୍ମକର୍ତ୍ତା ସମ୍ମିଳନୀରେ ଅରୁଣ ଯେଉଁସବୁ ମତ ଓ ମନ୍ତବ୍ୟ ରଖିଛନ୍ତି ତାହା ହିଁ ଖୋଲାଖୋଲି ଭାବେ ‘ପାଣ୍ଡିଆନ ଓ ତାଙ୍କ ଟିମ’ର ହାକିମାତି ଆଡ଼କୁ ଇଙ୍ଗିତ କରିଛି । ସେମାନଙ୍କ ଅହଙ୍କାର ଯୋଗୁ କିଭଳି ଦଳ ହାରିଲା ତା’ର ମଧ୍ୟ ଉଦାହରଣ ଦେଇଛନ୍ତି । ଅରୁଣ କହିଛନ୍ତି ଯେ, “ ଦୀର୍ଘଦିନ ଧରିି ଶାସନରେ ରହିବା ଯୋଗୁ ସରକାରୀ ଦଳ(ବିଜେଡି)ରେ ଅହଙ୍କାର କମ୍ ନଥିଲା ।

ଯେଉଁ ପଂଚାୟତରେ ସ୍ଥିତି ଖରାପ ଥିଲା ସେଠାରେ ମୋତେ କୁହାଗଲା ଆପଣ ମୁଣ୍ଡ ଖେଳାଇବା ଦରକାର ନାହିଁ । ଆପଣଙ୍କର ଯଦି ୮୦୦ ଭୋଟରୁ କମିଯିବ ଆମକୁ କହିବେ । ମୋତେ କିନ୍ତୁ ଜଳଜଳ ଦିଶୁଥିଲା ଯେ ୫୦୦-୬୦୦ ଭୋଟ୍ ବି ହେବନି । କିନ୍ତୁ ସେମାନେ କହିଲେ ଆପଣ ଚିନ୍ତା କରନ୍ତୁ ନାହିଁ, ସେଠି ମୁଁ କ’ଣ କରିପାରିଥାନ୍ତି?” ଶ୍ରୀ ସାହୁ ଏହି କଥା ନିଜ ନିର୍ବାଚନମଣ୍ଡଳୀର ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଥିଲେ । ଆଉ ଏଭଳି ସ୍ଥିତି ତାଙ୍କ ସହ ହୋଇଥିବାରୁ ଅନ୍ୟ ନିର୍ବାଚନମଣ୍ଡଳୀରେ ବି ସେୟା ସେମାନେ କରିଥିବେ ବୋଲି ଶ୍ରୀ ସାହୁ ଏହି କର୍ମୀ ସମ୍ମିଳନୀରେ କହିବାକୁ ପଛାଇନଥିଲେ ।

ଅର୍ଥାତ୍ ଶ୍ରୀ ସାହୁ ହିଁ ଖୋଲାଖୋଲି ଭାବେ ‘ପାଣ୍ଡିଆନ ଓ ତାଙ୍କ ଟିମ’ କିଭଳି ହାକିମାତି କରୁଥିଲା ଓ ସ୍ଥାନୀୟ ନେତାମାନଙ୍କୁ ଗୁରୁତ୍ୱ ଦେଉନଥିଲା ତା’ର ପ୍ରମାଣ ଦେଇଛନ୍ତି । ଏହି ସଭାରେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ମଧ୍ୟ ଟିକେଟ୍ ବଂଟନକୁ ନେଇ କିଭଳି ଅସନ୍ତୋଷ ବଢ଼ିଲା ଓ ତାହା ଜିଲ୍ଲାରେ ପରାଜୟର କାରଣ ସାଜିଲା ସେ କଥା ଖୋଲାଖୋଲି କହିଥିଲେ ।

ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ, ଡିଏସ୍ କୁଟ୍ଟେ ଓ ମାନସ ମଙ୍ଗରାଜ କିଭଳି ସଂଗଠନକୁ ନିଜ ମର୍ଜିରେ ପରିଚାଳନା କରୁଥିଲେ ତାହା ଏହି ଦୁଇ ନେତା ପରୋକ୍ଷ ଭାବେ ପରିପ୍ରକାଶ କରିଥିଲେ ।

ସେହିପରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ସଂଗଠନକୁ ନେଇ ନିଜର ଅସନ୍ତୋଷକୁ ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି । କାଲି ଯିବ ଦଳକୁ ଆସିବ ସିଏ ସର୍ବେସର୍ବା ହୋଇଯିବ । ସେଭଳି ଆଉ ହେବାକୁ ଦିଆଯିବ ନାହିଁ । ଦଳକୁ କେବଳ ବିଜୁ ପରିବାରର ପୁରୁଣା ସଦସ୍ୟଙ୍କ ଉତ୍ତରାଧିକାରୀମାନେ(ଯୁବପୀଢ଼ୀ) ହିଁ ଆଗେଇ ନେଇପାରିବେ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି ।

ଅର୍ଥାତ୍ ଦେବାଶିଷ ଖୋଲାଖୋଲି ଭାବେ ଦଳରେ ଧସେଇ ପଶି ସଂଗଠନରେ ହାକିମାତି କରୁଥିବା ପାଣ୍ଡିଆନ ଆଣ୍ଡ କୋ’ଙ୍କ କାରସାଦି ଆଉ ଚଳିବ ନାହିଁ ବୋଲି ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପାରଗତା ଯୋଗୁ ଦଳ ଏବେ ତଳକୁ ତଳ ଯିବାରେ ଲାଗିଛି । ଯଦୁବଂଶ ଧ୍ୱଂସ ହେବାଭଳି ରାଜ୍ୟର ସର୍ବବୃହତ୍ ଦଳ ବିଜେଡି ଏବେ ନେତୃତ୍ୱହୀନ ହୋଇ ଭୁଶୁଡ଼ିବାକୁ ଲାଗିଥିବା ଚର୍ଚ୍ଚା ହେଉଛି ।

Odisha BjD Arun Sahu Debashish Samantaray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe