Advertisment

ମେୟର ନିର୍ବାଚନରେ ଜିତିଲା ବିଜେପି, ବର୍ଷିଲେ କେଜ୍ରିୱାଲ

ଲୋକସଭା ପୂର୍ବରୁ ପ୍ରଥମଥର ପାଇଁ ଆପ୍‌ ଓ କଂଗ୍ରେସ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଅଧୀନରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଆପ୍‌ ଓ କଂଗ୍ରେସକୁ ହାରିବାକୁ ପଡ଼ିଛି।

author-image
Hemant Lenka
AAP

AAP

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜିମାତ କରିଛି ବିଜେପି। ଦଳ ପାଖରେ ବିଜୟୀ ହେବାକୁ ସଂଖ୍ୟା ନଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ମେୟର ହୋଇଛନ୍ତି। ବିରୋଧୀ ଆପ୍‌ ଓ କଂଗ୍ରେସ ପାଖରେ ୨୦ଟି ଭୋଟ ଥିଲା। କିନ୍ତୁ ପ୍ରିଜାଇଡିଂ ଅଫିସର ହଠାତ୍‌ ୮ଟି ଭୋଟକୁ ନାକଚ କରି ଦେଇଥିଲେ।

Advertisment

ଫଳରେ ବିଜେପି ୧୬ଟି ଭୋଟ ପାଇ ମେୟର ନିର୍ବାଚନ ଜିତିଛି। ତେବେ ବିଜେପିର ବିଜୟକୁ ନେଇ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍‌ର ବରିଷ୍ଠ ନେତା ରାଘବ ଚଡ୍ଡା। ସେମାନେ ବିଜେପିକୁ ଅସାଧୁ ଦଳ ବୋଲି କହିଛନ୍ତି।

ଲୋକସଭା ପୂର୍ବରୁ ପ୍ରଥମଥର ପାଇଁ ଆପ୍‌ ଓ କଂଗ୍ରେସ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଅଧୀନରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଆପ୍‌ ଓ କଂଗ୍ରେସକୁ ହାରିବାକୁ ପଡ଼ିଛି। ବିଜେପିର ମନୋଜ ସୋନକର ୧୬ ଖଣ୍ଡ ଭୋଟ ପାଇ ମେୟର ନିର୍ବାଚନ ଜିତିଛନ୍ତି।

Advertisment

ଏହାପରେ କେଜ୍ରିୱାଲ କହିଛନ୍ତି, “ଚଣ୍ଡିଗଡ଼ ମେୟର ନିର୍ବାଚନରେ ଯେଉଁଭଳି ଦିନ ଦ୍ୱିପ୍ରହରରେ ବେଇମାନୀ କରାଯାଇଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ଯଦି ଗୋଟିଏ ମେୟର ନିର୍ବାଚନ ପାଇଁ ଏମାନେ ଏତେ ତଳକୁ ଖସି ପାରୁଛନ୍ତି, ତା’ହେଲେ ଦେଶର ନିର୍ବାଚନରେ ଏମାନେ କିଛି ବି କରିପାରନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ।”

ମେୟର ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ରାଘବ ଚଡ୍ଡା ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଯେତେବେଳେ କୌଣସି ଭୋଟ ନାକଚ ହୁଏ ସେତେବେଳେ ପ୍ରିଜାଇଡିଂ ଅଫିସର ଏହାକୁ ସବୁ ଦଳର ଏଜେଣ୍ଟମାନଙ୍କୁ ଦେଖାଇ ଥାଆନ୍ତି। କିନ୍ତୁ ଆଜି ସେମିତି କିଛି ବି ହୋଇନି।

ନିର୍ବାଚନ ଏଜେଣ୍ଟ କିମ୍ବା ଡେପୁଟି କମିଶନରଙ୍କୁ ବାଲଟ ପେପର ଦେଖିବାକୁ ଦିଆଯାଇନି। ଏକତରଫା ଭାବେ ଭୋଟକୁ ନାକଚ କରାଯାଇଛି। ଯଦି ସେମାନେ ମେୟର ନିର୍ବାଚନରେ ଏମିତି କରିପାରୁଛନ୍ତି, ତା’ହେଲେ ଲୋକସଭା ନିର୍ବାଚନରେ କ’ଣ ସବୁ କରିପାରିବେ ଥରେ ଚିନ୍ତା କରନ୍ତୁ।”

ଅନ୍ୟପକ୍ଷରେ ବିଜେପି ଏସବୁ ଅଭିଯୋଗକୁ ଶୁଭେଚ୍ଛା ମାଧ୍ୟମରେ କାଉଣ୍ଟର କରିଛି। ବିଜେପି ବସ୍‌ ଜେପି ନଡ୍ଡା କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଶାସିତ ଅଞ୍ଚଳରେ ରେକର୍ଡ ଘଟଣା ଘଟିଛି। ଇଣ୍ଡି(ଇଣ୍ଡିଆ) ମେଣ୍ଟ ସେମାନଙ୍କ ପ୍ରଥମ ନିର୍ବାଚନ ଲଢ଼େଇ ଲଢ଼ିଥିଲା।

ତଥାପି ସେମାନେ ବିଜେପି ଠାରୁ ହାରିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ସେମାନଙ୍କ ଆରିଥ୍‌ମେଟିକ କିମ୍ବା କେମେଷ୍ଟ୍ରୀ କିଛି ବି କାମ କରୁନି।”

Bjp Arvind Kejriwal Chandigarh AAP