Advertisment

ସନ୍ନି ଦେଓଲଙ୍କୁ ତାଙ୍କରି ଗଡ଼ରେ ଟାର୍ଗେଟ କଲେ ଅରବିନ୍ଦ କେଜ୍ରିୱାଲ

ଅଭିନେତାରୁ ବିଜେପି ସାଂସଦ ହୋଇଥିବା ସନ୍ନି ଦେଓଲଙ୍କୁ ଆଜି ସିଧା ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

author-image
Hemant Lenka
AAP

AAP

ଅଭିନେତାରୁ ବିଜେପି ସାଂସଦ ହୋଇଥିବା ସନ୍ନି ଦେଓଲଙ୍କୁ ଆଜି ସିଧା ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପଞ୍ଜାବର ଗୁରୁଦାସପୁରରୁ ସନ୍ନି ଦେଓଲ ସାଂସଦ ଥିବା ବେଳେ ଉକ୍ତ ସ୍ଥାନରେ ହିଁ କେଜ୍ରିୱାଲ ତାଙ୍କୁ ସମାଲୋଚନା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ସନ୍ନି ଆଉ ଗୁରୁଦାସପୁରକୁ ଆସୁ ନଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଆପ୍‌ ସପକ୍ଷରେ କେଜ୍ରିୱାଲ ପ୍ରଚାର କରିଛନ୍ତି।

Advertisment

ଗୁରୁଦାସପୁରରେ ଆପ ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ସନ୍ନି ଦେଓଲଙ୍କ ଭଳି ବଡ଼ ଲୋକମାନେ କିଛି ବି କରନ୍ତି ନାହିଁ। ତେଣୁ ଲୋକମାନେ ଆସନ୍ତା ସାଧାରଣ ନିର୍ବାଚନରେ ଆମ ଆଦମୀ(ସାଧାରଣ ଲୋକ)ଙ୍କୁ ଭୋଟ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

କେଜ୍ରିୱାଲ କହିଛନ୍ତି, “ଆପଣମାନେ ଗତଥର ସନ୍ନି ଦେଓଲଙ୍କୁ ଭୋଟ ଦେଇଥିଲେ। କିନ୍ତୁ ସେ ଏଠାକୁ ଆଦୌ ଆସି ନାହାନ୍ତି। କ’ଣ ଲାଭ ମିଳିଲା? ଆପଣ ଭାବିଥିଲେ ସେ ଜଣେ ବଡ଼ ଅଭିନେତା, ଯଦି ଆପଣମାନେ ଭୋଟ ଦେବେ ତା’ହେଲେ ସେ ଆପଣମାନଙ୍କ ପାଇଁ କିଛି କରିବେ। ହେଲେ ଆପଣମାନେ ମନେ ରଖିବା ଦରକାର ଯେ ଏପରି ବଡ଼ ଲୋକମାନେ କିଛି ବି କରନ୍ତି ନାହିଁ।

Advertisment

ଆପଣମାନେ ଆମ ଆଦମୀଙ୍କୁ ଏଥର ଭୋଟ ଦିଅନ୍ତୁ। ସେମାନେ ଆପଣଙ୍କ କାମରେ ଆସିବେ। ଏହି ସବୁ ରାଜନୀତିକ ଦଳଗୁଡ଼ିକର ପ୍ରରୋଚନାରେ ଆଦୌ ପଡ଼ନ୍ତୁ ନାହିଁ। ବିଗତ ଦେଢ଼ ବର୍ଷ ମଧ୍ୟରେ କ’ଣ ସବୁ କାମ ହୋଇଛି, ତା’ର ବିଚାର କରନ୍ତୁ ଓ ସେହି ଅନୁସାରେ ଭୋଟ ଦିଅନ୍ତୁ।”

କେଜ୍ରିୱାଲଙ୍କ ପୂର୍ବରୁ ଗୁରୁଦାସପୁରର ଅନେକ ଲୋକ ସନ୍ନି ଦେଓଲଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ନିର୍ବାଚନ ମଣ୍ଡଳୀକୁ ଆସୁ ନାହାନ୍ତି ଓ କୌଣସି ବିକାଶମୂଳକ କାର୍ଯ୍ୟକ୍ରମ କରୁ ନଥିବା ମଧ୍ୟ ଲୋକେ ଅଭିଯୋଗ କରିଥିଲେ। ୨୦୨୦ରେ ପଠାନକୋଟ ରେଳ ଷ୍ଟେସନରେ ସନ୍ନି ଦେଓଲଙ୍କ ନିଖୋଜ ଫଟୋ ମଧ୍ୟ କିଛି ଲୋକ ଲଗାଇଥିଲେ।

୨୦୧୯ ଲୋକସଭା ନିର୍ବାଚନରେ ସନ୍ନି ଦେଓଲ କଂଗ୍ରେସ ସୁନୀଲ ଜାଖରଙ୍କୁ ୮୨ ହଜାରରୁ ଅଧିକ ଭୋଟରେ ହରାଇ ସଂସଦକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଏବେ ଆଉ ସନ୍ନି ଦେଓଲ ରାଜନୀତି କରିବାକୁ ଚାହୁଁ ନଥିବା ପରୋକ୍ଷରେ କହି ସାରିଛନ୍ତି।

Arvind Kejriwal Punjab Sunny Deol