Advertisment

ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”

ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।

author-image
Hemant Lenka
arvind Kejriwal

arvind Kejriwal

ସମ୍ବିଧାନ ପ୍ରଣେତା ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍‌ ବା ବୃତ୍ତି ଘୋଷଣା କରିଛନ୍ତି ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।

Advertisment

ଆଗକୁ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ବିବାଦ ଓ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଜି ଆମ୍ବେଦକର ଛାତ୍ର ବୃତ୍ତି ଲାଗୁ କରିବେ ବୋଲି କହିଛନ୍ତି। ସମ୍ବିଧାନର ପ୍ରତିଷ୍ଠାତା ଆମ୍ବେଦକରଙ୍କ ପ୍ରତି ଅମିତ ଶାହ ଅସମ୍ମାନ କରିବା ଭଳି ଶବ୍ଦ ପ୍ରୟୋଗ କରିଥିବାରୁ ଏହାର ଜବାବରେ କେଜ୍ରିୱାଲ ଏପରି ଏକ ବୃତ୍ତି ଯୋଜନା ଲାଗୁ କରିଥିବା କହିଛନ୍ତି।

ଗୋଟିଏ ନିର୍ବାଚନୀ ସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ଯଦି ଆପ୍‌ ଆସନ୍ତା ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜୟୀ ହୁଏ, ତା’ହେଲେ ସରକାର ବିଦେଶରେ ନାମ ଲେଖାଇଥିବା ଦଳିତ ଶିକ୍ଷାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ। ଅର୍ଥ ଅଭାବରୁ ଦିଲ୍ଲୀର କୌଣସି ଦଳିତ ଶିକ୍ଷାର୍ଥୀ ଯେମିତି ବିଦେଶରେ ପାଠ ପଢ଼ିବା ଅଧାରୁ ନ ଛାଡ଼ିବେ, ତା’ର ବ୍ୟବସ୍ଥା ଆପ୍‌ କରିବ।

Advertisment

ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଓ ପଲଟିକାଲ ସାଇନ୍ସ(ଏଲଏସଇ)ରେ ପଢ଼ୁଥିବା ଆମ୍ବେଦକରଙ୍କୁ ଅର୍ଥ ଅଭାବରୁ ଅଧାରେ ପାଠ ବନ୍ଦ କରିବାକୁ ପଡ଼ିଥିଲା। ସେ ଘରକୁ ଆସିଥିଲେ ଓ ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ସେ ଏଲଏସଇ ଯାଇଥିଲେ ଓ ପୁଣି ନିଜର ଶିକ୍ଷା ଶେଷ କରିଥିଲେ ବୋଲି କେଜ୍ରିୱାଲ କହିଛନ୍ତି।

ଆମ୍ବେଦକରଙ୍କୁ ଅମିତ ଶାହ କଟାକ୍ଷ କରିଥିବା ଅଭିଯୋଗ କରି କେଜ୍ରିୱାଲ କହିଛନ୍ତି ଯେ ସେ ଓ ଆମ୍ବେଦକରଙ୍କ କୋଟିକୋଟି ଅନୁଗାମୀ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବୟାନରେ ଆଘାତ ପାଇଛନ୍ତି। ସେ କହିଛନ୍ତି, “ସ୍ୱାଧୀନ ଭାରତରେ କେହି ବି କେବେ ସ୍ୱପ୍ନରେ ଭାବି ନଥିବେ ଯେ ସଂସଦରେ କେହି ଜଣେ ବାବା ସାହେବ ଆମ୍ବେଦକରଙ୍କୁ କଟାକ୍ଷ କରିବେ। ଅମିତ ଶାହଙ୍କ ଅସମ୍ମାନ କରିବା ଭଳି ବୟାନକୁ ଦୃଷ୍ଟିରେ ରଖି ମୁଁ ଡ ଆମ୍ବେଦକର ସମ୍ମାନ ସ୍କଲାରଶିପ ଯୋଜନା ସମ୍ପର୍କରେ ଘୋଷଣା କରୁଛି। ସରକାରୀ କର୍ମଚାରୀଙ୍କ ପିଲାମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ।”

Delhi Arvind Kejriwal Dalit