Advertisment

ଇଡିର ଷଷ୍ଠ ସମନକୁ ଏଡାଇଲେ କେଜ୍ରିୱାଲ; ଆପ୍ କହିଲା କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କର

ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର୍ ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ପଠାଇ ଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷଷ୍ଠ ସମନକୁ ବି ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର୍ ମାମଲାରେ ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ବାରମ୍ବାର ସମନ ପଠାଉଥିଲେ ବି ପୁଣି ଥରେ ଏହାକୁ ଏଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।

Advertisment

ଇଡିର ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦୀତ, ମାମଲା ବର୍ତ୍ତମାନ କୋର୍ଟରେ ଅଛି ବୋଲି ଆପ୍ କହିଛି। ଆଜି ଦଳ ଏକ ବିବୃତ୍ତିରେ କହିଛି ଯେ, ଇଡି ଏହି ମାମଲା ଉପରେ ନିଜେ କୋର୍ଟରେ ପହଞ୍ଚିଛି। ତେଣୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ। ମାମଲା ବର୍ତ୍ତମାନ କୋର୍ଟରେ ଅଛି ଆଉ କୋର୍ଟରେ ହିଁ ବିଚାର ହେବ। 

ଦଳ ଆହୁରି କହିଛି ଯେ, ଇଡି ବାରମ୍ବାର ସମନ ଜାରି କରିବା ପରିବର୍ତ୍ତେ ମାମଲା ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।

Advertisment

ପ୍ରକାଶ ଥାଉ କି, ଗତ ଶୁକ୍ରବାର (ଫେବ୍ରୁଆରୀ 17)ରେ କେଜ୍ରିୱାଲ ଇଡିରେ ହାଜର ନହେବାକୁ ନେଇ ତଦନ୍ତକାରୀ ସଂସ୍ଥା କୋର୍ଟରେ ପହଞ୍ଚିଥିଲା। ଇଡି କହିଥିଲା ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନକୁ ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି, ଯାହା ଅନ୍ୟମାନଙ୍କ ପାଇଁ ନକରାତ୍ମକ ବାର୍ତ୍ତା ଦେଉଛି। 

ଏହି ଦିନ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବଜେଟ ଅଧିବେଶନ ଚାଲିଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କୋର୍ଟରେ ବିଚାର ଚଲିଥିବାରୁ ଇଡି ବାରମ୍ବାର ସମନ ନ ପଠାଇ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁ ବୋଲି ଆପ୍ କହିଛି। 

Arvind Kejriwal Ed AAP Enforcement Directorate Delhi Liquor Policy Scam