ସଂସଦକୁ ଯିବେ କି ଅରବିନ୍ଦ କେଜ୍ରିୱାଲ? ଆପ୍‌ର ନୂଆ ଗୋଟି ଚାଳନାକୁ ନେଇ ଚର୍ଚ୍ଚା

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ପରାସ୍ତ ହେବା ପରେ ଏବେ କେଜ୍ରିୱାଲ ନିଜର ଓ ନିଜ ଦଳର ଅସ୍ଥିତ୍ୱକୁ ଜାତୀୟ ସ୍ତରରେ କାଏମ ରଖିବାକୁ ଚାହୁଁଛନ୍ତି।

ଅରବିନ୍ଦ କେଜ୍ରିୱାଲ

  • Published: Wednesday, 26 February 2025
  • , Updated: 26 February 2025, 01:35 PM IST

ଦିଲ୍ଲୀ ବିଧାନସଭାରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ଆମ ଆଦମୀ ପାର୍ଟି(ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବେ କ୍ଷମତା ପାଇଁ ବିକଳ। ବିଧାନସଭା ନିର୍ବାଚନରେ ହାରିବା ପରେ ଏବେ ତାଙ୍କ ଆଗାମୀ ରାଜନୀତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା। ଏସବୁ ଭିତରେ ଆପ୍‌ ପଞ୍ଜାବକୁ ନେଇ ଚଳାଇଥିବା ଗୋଟି ନୂଆ ସମୀକରଣ ସୃଷ୍ଟି କରିଛି। ଅରବିନ୍ଦ କେଜ୍ରିୱାଲ ସଂସଦର ଉଚ୍ଚ ସଦନ ବା ରାଜ୍ୟସଭାକୁ ଯାଇ ପାରନ୍ତି ବୋଲି କୁହାଯାଉଛି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ପରାସ୍ତ ହେବା ପରେ ଏବେ କେଜ୍ରିୱାଲ ନିଜର ଓ ନିଜ ଦଳର ଅସ୍ଥିତ୍ୱକୁ ଜାତୀୟ ସ୍ତରରେ କାଏମ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କ ଆଗରେ ରାଜ୍ୟସଭା ହିଁ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି। ସେ ପଞ୍ଜାବରୁ ରାଜ୍ୟସଭାକୁ ଯାଇ ଦଳକୁ ଜାତୀୟ ରାଜନୀତିରେ ସକ୍ରିୟ ରଖିବାକୁ ଚାହୁଁଛନ୍ତି। ତେବେ ଦିଲ୍ଲୀରେ ମାତ୍ର ଗୋଟିଏ ଥର ପରାସ୍ତ ପରେ କେଜ୍ରିୱାଲ ସିଧା ପଞ୍ଜାବ ମୁହାଁ ହେବା ମଧ୍ୟ ଆପ୍‌ର ରାଜନୀତିକ ଭବିଷ୍ୟତକୁ ପ୍ରଶ୍ନ ଘେରରେ ଛିଡ଼ା କରିବାର ଆଶଙ୍କା ରହିଛି।

କେଜ୍ରିୱାଲ ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ଜୋର ଧରିବାର ଯଥେଷ୍ଟ କାରଣ ମଧ୍ୟ ରହିଛି। ବୁଧବାର ଆପ ପଞ୍ଜାବରେ ଖାଲି ପଡ଼ିଥିବା ଲୁଧିଆନା ୱେଷ୍ଟ ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କୁ ପ୍ରାର୍ଥୀ କରିଛି। ତାଙ୍କୁ ଆପ୍‌ ପ୍ରାର୍ଥୀ କରିଥିବାରୁ ତାଙ୍କ ସ୍ଥାନରେ କେଜ୍ରିୱାଲ ରାଜ୍ୟସଭା ଯିବେ ବୋଲି କୁହାଯାଉଛି। କିନ୍ତୁ ଏପରି ଆକଳନକୁ ଆପ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। କେଜ୍ରିୱାଲ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟସଭାକୁ ଯିବା ପାଇଁ କୌଣସି ଯୋଜନା କରି ନଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ କୁହାଯାଉଥିଲା ଯେ ଅରୋରା ବିଧାନସଭାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବାରୁ ରାଜ୍ୟସଭାରୁ ଇସ୍ତଫା ଦେବେ। ସେ ଇସ୍ତଫା ଦେବା ପରେ ଖାଲି ହେବାକୁ ଥିବା ସିଟରେ ଆପ୍‌ ଅରବିନ୍ଦ କେଜ୍ରିୱାଲଙ୍କୁ ରାଜ୍ୟସଭାକୁ ପଠାଇବ। ଆପ୍‌ ଅରୋରାଙ୍କୁ ଲୁଧିଆନା ୱେଷ୍ଟରୁ ପ୍ରାର୍ଥୀ କରିଥିଲେ ହେଁ ନିର୍ବାଚନ କମିଶନ ଏଯାଏ ଉପ ନିର୍ବାଚନର ତାରିଖ ଘୋଷଣା କରି ନାହାନ୍ତି। କୁହାଯାଉଛି ଯେ ନଭେମ୍ବର ମାସରେ ବିହାର ବିଧାନସଭା ନିର୍ବାଚନ ସହ ଏଠାରେ ଉପ ନିର୍ବାଚନ ହେବ। କିନ୍ତୁ ଏବେ ଠାରୁ ଆପ୍‌ ଲୁଧିଆନା ଉପ ନିର୍ବାଚନ ପାଇଁ ଅରୋରାଙ୍କୁ ପ୍ରାର୍ଥୀ କରିଥିବାରୁ କେଜ୍ରିୱାଲ ତାଙ୍କ ସ୍ଥାନରେ ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଆପ୍‌ ନେତା ନୀଲ ଗର୍ଗ ପୂରା ଖବରକୁ ଖଣ୍ଡନ କରିଛନ୍ତି ଓ କେଜ୍ରିୱାଲ ରାଜ୍ୟସଭା ଯିବେ ବୋଲି ମିଥ୍ୟା ଖବର ବିରୋଧୀ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “ସଞ୍ଜୀବ ଅରୋରା ଭଲ କାମ କରିଥିବାରୁ ଏହାକୁ ବିଚାରକୁ ନେଇ ତାଙ୍କୁ ଲୁଧିଆନା ୱେଷ୍ଟ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଛି। କେଜ୍ରିୱାଲ ରାଜ୍ୟସଭା ଯିବେ ବୋଲି ଯେଉଁ ଆକଳନ କରାଯାଉଛି, ସେଥିରେ କୌଣସି ସତ୍ୟତା ନାହିଁ। ଏପରି ଖବର ବିଜେପିର ମିଛ ଫ୍ୟାକ୍ଟ୍ରୀରୁ ଆସିଛି। ଆମେ ପ୍ରଥମେ ଉପ ନିର୍ବାଚନ ଓ ପରେ ରାଜ୍ୟସଭା ଉପରେ ଫୋକସ କରିବୁ। କଂଗ୍ରେସ ଓ ବିରାଧୀ ଦଳଗୁଡ଼ିକ ଅପ୍ରଚାର କରୁଛନ୍ତି। କେଜ୍ରିୱାଲଙ୍କୁ ନେଇ କରାଯାଉଥିବା ପ୍ରଚାରକୁ ମୁଁ ଖଣ୍ଡନ କରୁଛି।”

ଦିଲ୍ଲୀ ପରାଜୟ ପରେ ଆପ୍‌ର ସବୁ ଫୋକସ ପଞ୍ଜାବ ଉପରେ ରହିଛି। କାରଣ ପଞ୍ଜାବ ହେଉଛି ଆପ୍‌ର ଏକମାତ୍ର ଗଡ଼। ଦୁଇ ବର୍ଷ ପରେ ପଞ୍ଜାବରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। ତେଣୁ ଆପ୍‌ ନିଜର ଶେଷ ଗଡ଼କୁ ଯେମିତି ନ ହରାଇବ, ସେଥିପାଇଁ ସବୁ ଉଦ୍ୟମ କରୁଛି। ଏସବୁ ଭିତରେ କେଜ୍ରିୱାଲ ରାଜ୍ୟସଭା ଯାଇ ପଞ୍ଜାବ ରାଜନୀତିରେ ସକ୍ରିୟ ଭୂମିକା ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଦିଲ୍ଲୀରେ ପରାସ୍ତ ପରେ ଆତିଶୀ ବିରୋଧୀ ଦଳର ନେତା ହୋଇଛନ୍ତି। ଦିଲ୍ଲୀ ଦାୟିତ୍ୱ କେଜ୍ରିୱାଲ ଆତିଶୀଙ୍କୁ ଦେଇ ନିଜେ ଜାତୀୟ ରାଜନୀତି ଉପରେ ଫୋକସ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପଞ୍ଜାବରୁ ରାଜ୍ୟସଭାକୁ ଯିବା ପାଇଁ ଲକ୍ଷ୍ୟ ରଖିଥିବା କୁହାଯାଉଛି। 

ଏବେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଥିବା ସଞ୍ଜୀବ ଅରୋରାଙ୍କ କାର୍ଯ୍ୟକାଳ ୨୦୨୮ ଯାଏ ରହିଛି। ତାଙ୍କ ସ୍ଥାନରେ ଯଦି କେଜ୍ରିୱାଲ ରାଜ୍ୟସଭାକୁ ଯିବେ, ସେ ମଧ୍ୟ ୨୦୨୮ ଯାଏ କାର୍ଯ୍ୟ କରିବେ। ୨୦୨୭ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବାର ଅଛି। ଏହି ସମୟରେ କେଜ୍ରିୱାଲ ପଞ୍ଜାବ ରାଜନୀତିକୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିବେ ବୋଲି ଆପ୍‌ ଆଶା ରଖିଛି।

କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ଯିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା କଂଗ୍ରେସ ନେତା ପ୍ରତାପ ସିଂହ ବାଜୱାଙ୍କ ବୟାନ ପରେ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ବାଜୱା କହିଥିଲେ ଯେ “କେଜ୍ରିୱାଲ ପଞ୍ଜାବ ଦେଇ କ୍ଷମତା ଦଖଲ କରିବାକୁ ଚାହୁଁଛନ୍ତି। ଏଥିପାଇଁ କିଛି ରାଜ୍ୟସଭା ସଦସ୍ୟଙ୍କୁ ବଳିଦାନ ଦେବାକୁ ପଡ଼ିବ। ସେମାନଙ୍କ ବଦଳରେ କେଜ୍ରିୱାଲ ରାଜ୍ୟସଭାକୁ ଯିବେ।”

ବାଜୱା ଆହୁରି ଦାବି କରିଥିଲେ ଯେ ଦିଲ୍ଲୀ ପରାଜୟ ପରେ ପଞ୍ଜାବ ଆପରେ କନ୍ଦଳ ସୃଷ୍ଟି ହୋଇଛି। ଏଥିପାଇଁ ଆପ୍‌ର ୩୦ରୁ ଅଧିକ ବିଧାୟକ କଂଗ୍ରେସ ଯୋଗାଯୋଗରେ ରହିଛନ୍ତି। ସରକାର କିମ୍ବା ଦଳ ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନଙ୍କ କୌଣସି ନିୟନ୍ତ୍ରଣ ନାହିଁ ବୋଲି ମଧ୍ୟ ସେ କହିଥିଲେ।

Related story