Asaduddin Owaisi
ଲୋକସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ଆଜି ଦ୍ୱିତୀୟ ଦିନରେ ଶପଥ ପାଠ କରୁଛନ୍ତି। କିନ୍ତୁ ଏହି ସମୟରେ ସେମାନେ ଦେଉଥିବା ନାରା ବେଶ ଚର୍ଚ୍ଚାକୁ ଆସିଛି। ଆଜି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ଶପଥ ନେବା ପରେ ଦେଇଥିବା ନାରା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।
ସେ ଶପଥ ନେବା ପରେ ଜୟ ପାଲେଷ୍ଟାଇନ କହିଛନ୍ତି। ବର୍ତ୍ତମାନ ଇସ୍ରାଏଲ ପକ୍ଷରୁ ପାଲେଷ୍ଟାଇନରେ ଘନଘନ ଆକ୍ରମଣ କରାଯାଉଛି। ଏଠାରେ ରହୁଥିବା ପାଲେଷ୍ଟାଇନ ସଂଗଠନ ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ଏପରି କରୁଛି। ତେବେ ଏହି ଆକ୍ରମଣରେ ପାଲେଷ୍ଟାଇନର ଶହଶହ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ବିରୋଧ କରି ଓୱେସୀ ଜୟ ପାଲେଷ୍ଟାଇନ ନାରା ଦେଇଥିବା କୁହାଯାଉଛି।
୫ମ ଥର ପାଇଁ ହାଇଦ୍ରାବାଦରୁ ଜିତି ସଂସଦକୁ ଆସିଥିବା ଓୱେସୀ ପ୍ରଥମେ ଅନ୍ୟ ସାଂସଦମାନଙ୍କ ଭଳି ଶପଥ ପାଠ କରିଥିଲେ। ଏହାପରେ ସେ ଜୟ ଭୀମ, ଜୟ ମୀମ, ଜୟ ତେଲାଙ୍ଗାନା ଓ ଶେଷରେ ଜୟ ପାଲେଷ୍ଟାଇନ କହିଥିଲେ। ତେବେ ତାଙ୍କର ଜୟ ପାଲେଷ୍ଟାଇନକୁ ଗୃହରେ ଉପସ୍ଥିତ ଶାସକ ଦଳର ସଦସ୍ୟମାନେ ଜୋରଦାର ଢଙ୍ଗରେ ବିରୋଧ କରିଥିଲେ।
କିନ୍ତୁ ନିଜ ନାରାକୁ ଠିକ ବୋଲି ଦର୍ଶାଇ ଏହା ସମ୍ବିଧାନରେ ଥିବା ନିୟମକୁ ଉଲ୍ଲଙ୍ଘନ କରୁନାହିଁ ବୋଲି ଓୱେସୀ କହିଛନ୍ତି। ସେ କହିଛନ୍ତି, “ଅନେକ ଲୋକ ଅନେକ କଥା କହୁଛନ୍ତି। ମୁଁ କେବଳ ଜୟ ଭୀମ, ଜୟ ମୀମ, ଜୟ ତେଲାଙ୍ଗାନା ଓ ଜୟ ପାଲେଷ୍ଟାଇନ କହିଛି। ଏହା କେମିତି ଭୁଲ ହେଲା? ସମ୍ବିଧାନର କେଉଁ ପ୍ରୋଭିଜନରେ ଏପରି କହିପାରିବ ନାହିଁ ବୋଲି କୁହାଯାଇଛି, ମୋତେ ଦେଖାନ୍ତୁ।”
କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଓୱେସୀ ଜାଣିଶୁଣି ଭାରତ ମାତ କୀ ଜୟ କହିନାହାନ୍ତି ଓ ଜୟ ପାଲେଷ୍ଟାଇନ କହିଛନ୍ତି। ଏହା ଗୃହର ନିୟମ ବାହାରର କାମ। ସଂସଦ ଭିତରେ ଜୟ ପାଲେଷ୍ଟାଇନ ନାରା ଦେବା ସଂପୂର୍ଣ୍ଣ ଭାବେ ଭୁଲ। ସେ ଭାରତରେ ରହୁଥିବା ବେଳେ ଭାରତ ମାତା କୀ ଜୟ ନାରା ଦେଇନାହାନ୍ତି। ସେ ଭାରତରେ ରହି ଅସାମ୍ବିଧାନିକ କାମ କରିଥିବା ଲୋକମାନେ ବୁଝିବା ଦରକାର।”
ଅନ୍ୟପକ୍ଷରେ ବିଜେପିର ବରେଲୀ ସାଂସଦ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ବରେଲୀରୁ ବିଜୟୀ ହୋଇଥିବା ଛତ୍ରପାଲ ସିଂହ ଗଙ୍ଗୱାର ଆଜି ଶପଥ ନେଇଥିଲେ। ଏହାପରେ ସେ ପୋଡିୟମରେ ଛିଡ଼ା ହୋଇ ଜୟ ହିନ୍ଦୁ ରାଷ୍ଟ୍ର ଓ ଜୟ ଭାରତ ନାରା ଦେଇଛନ୍ତି। ଏହାକୁ ମଧ୍ୟ ବିରୋଧ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1719316110.jpg)