Advertisment

ପାଣ୍ଡିଆନଙ୍କ ନାଁ ନନେଇ ଅଶୋକ ବର୍ଷିଲେ, ସୁଜାତାଙ୍କ ସମ୍ଭାବ୍ୟ ଏଂଟ୍ରିରେ ପ୍ରମିଳା ପୂରାଇଲେ କେଁ

ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ଆଜି ପାଣ୍ଡିଆନଙ୍କ ନାଁ ନେଇ ତାଙ୍କୁ କଟାକ୍ଷ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କର ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହଁନ୍ତି କି ଏକଚାଟିଆ ସମ୍ପତ୍ତି ନୁହଁନ୍ତି ।

author-image
Ordigital Desk
Ashok Panda

Ashok Panda

ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମସୀମାରେ ପହଂଚିଛି । ଦଳର ବରିଷ୍ଠ ନେତାମାନେ ଜଣକ ପରେ ଜଣେ ଗଣମାଧ୍ୟମ ସାମ୍ନାକୁ ଆସି ଦଳୀୟ ସାଂଗଠନିକ ପରିଚାଳନାକୁ ନେଇ ମୁହଁ ଖୋଲିବା ସହ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ବୁଲେଇବଙ୍କେଇ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏପଟେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଜେଡିରେ ସମ୍ଭାବ୍ୟ ଏଂଟ୍ରିରେ ମଧ୍ୟ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କେଁ ପୁରାଇଛନ୍ତି । ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବଦ୍ରିନାରାୟଣ ପାତ୍ରଙ୍କ ପରେ ଆଜି ଅଶୋକ ଚନ୍ଦ୍ର ପଣ୍ଡା ଦଳର ସାଂଗଠନିକ ପରିଚାଳନା ଓ ଲକ୍ଷ୍ମଣ ରେଖା ଉଲ୍ଲଘଂନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବାକୁ ପଛାଇନାହାନ୍ତି । ଅଶୋକ ପଣ୍ଡାଙ୍କ ଆଜିର ବୟାନକୁ ଦଳର ‘ଓଲ୍ଡ ଗାର୍ଡ\' ବା ପୁରୁଖା ନେତାମାନଙ୍କର ଅସନ୍ତୋଷ ଓ ଶକ୍ତି ପ୍ରଦର୍ଶନ ଭାବେ ବିବେଚନା କରାଯାଉଛି, ଯେଉଁମାନେ କି ପାଣ୍ଡିଆନଙ୍କ ମାମଲାତି ଓ ନେତୃତ୍ୱକୁ ସ୍ୱୀକାର କରିବା ମୁଡରେ ନଥିବା ଜଣାପଡ଼ିଛି ।

Advertisment

ନବୀନ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି : ଅଶୋକ ପଣ୍ଡା

ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ଆଜି ପାଣ୍ଡିଆନଙ୍କ ନାଁ ନେଇ ତାଙ୍କୁ କଟାକ୍ଷ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କର ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହଁନ୍ତି କି ଏକଚାଟିଆ ସମ୍ପତ୍ତି ନୁହଁନ୍ତି । ସେ ରାମାୟଣରେ ଲକ୍ଷ୍ମଣଙ୍କ ଦ୍ୱାରା ସୀତାଙ୍କ ପାଇଁ ରେଖାଙ୍କିତ ‘ଲକ୍ଷ୍ମଣରେଖା'ର ଉଦାହରଣ ଦେଇ କହିଥିଲେ ଯେ, ଦଳରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୀମା ରହିବା ଆବଶ୍ୟକ, ଯାହା ସମସ୍ତେ ମାନିବା ଉଚିତ । ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି। ଦଳରେ ଶୃଙ୍ଖଳା ସର୍ବୋପରି ଏବଂ କୌଣସି ନେତା କିମ୍ବା ସଦସ୍ୟ ଦଳର ନୀତି ଓ ନିୟମରୁ ଊର୍ଦ୍ଧ୍ୱରେ ନୁହଁନ୍ତି । ସମ୍ ହସ୍ପିଟାଲରେ ନବୀନଙ୍କୁ ଦଳୀୟ ନେତାଙ୍କୁ ଭେଟିବାକୁ ସୁଯୋଗ ନମିଳିବା ପରେ ଆଜି ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ବୁଲେଇବଙ୍କେଇ ସେ ପାଣ୍ଡିଆନ ଦମ୍ପତିଙ୍କୁ ଟାର୍ଗେଟ୍ କରିଥିବା ଚର୍ଚ୍ଚା ହେଉଛି ।

ଓଡ଼ିଶା ସ୍ୱାର୍ଥ ସହ ସାଲିସ୍ କରାଯିବ ନାହିଁ

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା କ’ଣ ରହିବ ତାକୁ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଶ୍ରୀ ପଣ୍ଡା ମଧ୍ୟ ବୁଲେଇବଙ୍କେଇ କହିଛନ୍ତି ଯେ “ ଦଳର ଆଭିମୁଖ୍ୟ ସ୍ପଷ୍ଟ । ତା’ହେଉଛି ଓଡ଼ିଶାର ସ୍ୱାର୍ଥ । ଏଥିରେ ସାଲିସ୍ କରାଯିବ ନାହିଁ । ନବୀନବାବୁ କେବେ ସୀମା ବାହାରକୁ ଯିବାକୁ ଶିଖାଇନାହାନ୍ତି । ୪୧ ପ୍ରତିଶତ ଜନାଦେଶ ପାଇଛୁ । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବୁ । ଆଉଟ୍ ହେବାର ପ୍ରଶ୍ନ ଉଠୁନାହିଁ । ସମସ୍ତେ ଗୋଟିଏ କଥା ମନେରଖିବା ଦରକାର ଯେ ଦଳ ସମସ୍ତଙ୍କୁ ନେଇ ଚାଲିବ । କୌଣସି ନିର୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Advertisment

ଦେବାଶୀଷ-ରାଜା-ବଦ୍ରିଙ୍କ ପରେ ଅଶୋକ, ତାଳି ପକେଇଲେ ପ୍ରମିଳା

ଦଳର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା, ବଦ୍ରିନାରାୟଣ ପାତ୍ରଙ୍କ ପରେ ଆଜି ଅଶୋକ ପଣ୍ଡା ମୁହଁ ଖୋଲିଛନ୍ତି । ବିଜେଡିରେ  ପାଣ୍ଡିଆନ ଦମ୍ପତି ପୁଣିଥରେ ସକ୍ରିୟ ହୋଇ ନିଜର ମାମଲାତି ଆରମ୍ଭ କରିବା ପରେ ଏହି ବରିଷ୍ଠ ନେତାମାନେ ବିଗତ ୧୫ଦିନ ମଧ୍ୟରେ ନିଜ ନିଜର କ୍ଷୋଭ ଓ ଆକ୍ରୋଶ ବ୍ୟକ୍ତ କରିସାରିଛନ୍ତି । ଗତକାଲି ବଦ୍ରି ମଧ୍ୟ ଗଣମାଧ୍ୟମରେ ନିଜର କ୍ଷୋଭ ବ୍ୟକ୍ତ କରି ଦଳରେ ଯେଉଁମାନେ ଏବେ ଦାୟିତ୍ୱ ନେଇଛନ୍ତି, ସେମାନେ ଯେଉଁ ନିଷ୍ପତ୍ତିି ନେଉଛନ୍ତି, ତାହା ତଳସ୍ତରରେ କେତେ ଗ୍ରହଣୀୟ ହେଉଛି, ତାହା ସମୀକ୍ଷା କରିବା ଆବଶ୍ୟକ ବୋଲି କହିବା ସହ ସାଂଗଠନିକ ପାଣ୍ଡିଆନଙ୍କ ‘ଆଇ ଆମ୍ ଡାଉନ୍‌...’ପ୍ରସଙ୍ଗରେ ତାଙ୍କୁ ପଚାର ବୋଲି କହି ଏଡ଼ାଇ ଯାଇଥିଲେ । ଅଶୋକ ମଧ୍ୟ ଆଜି ସମାନ ଢଙ୍ଗରେ ଏହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଦଳରେ କୌଣସି ପ୍ରକାରର ବିଶୃଙ୍ଖଳା ନାହିଁ । କାହାର କ’ଣ ବ୍ୟକ୍ତିଗତ ମତ ଥିବ, ମାତ୍ର ସମସ୍ତେ ଶୃଙ୍ଖଳା ଭିତରେ ରହିଛନ୍ତି ବୋଲି କହି ଏହି ଆଭ୍ୟନ୍ତରୀଣ କନ୍ଦଳକୁ ଏଡ଼ାଇ ଯାଇଥିଲେ ।

ସୁଜାତାଙ୍କ ଏଂଟ୍ରିରେ କେଁ ପୁରାଇଲେ ପ୍ରମିଳା

ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ସମ୍ଭାବ୍ୟ ଏଂଟ୍ରି ପ୍ରସଙ୍ଗରେ ବିଜେଡି ରାଜନୀତିକ ବ୍ୟାପାର କମିଟି(ପିଏସି) ସଦସ୍ୟ ପ୍ରମିଳା ମଲ୍ଲିକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁଜାତାଙ୍କ ଏଂଟ୍ରି ସମ୍ପର୍କରେ ସେଭଳି କୌରସି ନିଷ୍ପତ୍ତି ନବୀନବାବୁ ନେଇନାହାନ୍ତି କିମ୍ବା ଏନେଇ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । ସରକାରୀ କଳ(ବିଜେପି) ଏବେ ପାଣ୍ଡିଆନ ଓ ସୁଜାତାଙ୍କୁ ‘ନେତା’ କରାଇବାକୁ ଅଧିକ ଉତ୍ସାହ ଦେଖାଉଛି । ମାତ୍ର ଦଳ ସଭାପତି ନବୀନବାବୁ ଏନେଇ ଆମମାନଙ୍କୁ କୌଣସି ସୂଚନା ଦେଇନାହାନ୍ତି କିମ୍ବା କିଛି କହିନାହାନ୍ତି ବୋଲି ପ୍ରମିଳା ସ୍ପଷ୍ଟ କରିଛନ୍ତି ।

ପ୍ରମିଳାଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କର ବିଜେଡିରେ ପ୍ରବେଶକୁ ନେଇ ଅଙ୍କକଷା ଜୋର ଧରିଛି । ଆଉ ବିଜେପି ନେତୃତ୍ୱଙ୍କ ସହ ପାଣ୍ଡିଆନଙ୍କ ଘନିଷ୍ଠତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ସମ୍ଭବତଃ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଜେଡିରେ ଆନୁଷ୍ଠାନିକ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ପ୍ରମିଳା ସୁଚିନ୍ତିତ ରଣନୀତି ଆଧାରରେ ଆଗୁଆ ଏଭଳି ବୟାନ ଗଣମାଧ୍ୟମକୁ ଦେଇଥିବା ଦଳୀୟ ଶିବିରରେ ଆଲୋଚନାକୁ ସରଗରମ କରାଇଛି ।

BjD